ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ପାକିସ୍ତାନ ଏବେ ନିଜେ କ୍ରମାଗତ ଭାବେ ଆତଙ୍କବାଦୀ ଘଟଣାର ଶିକାର ହେଉଛି। ସଂପ୍ରତି ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳରୁ ଆଉ ଏକ ଆତଙ୍କବାଦୀ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଏଠାରେ କୋଇଲା ଖଣି ଶ୍ରମିକ ମାନଙ୍କୁ ନେଇଯାଉଥିବା ଏକ ଗାଡ଼ି ଉପରେ ବୋମା ମାଡ଼ ହୋଇଛି । ଏହି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନରେ ଏହି ବୋମା ବିସ୍ଫୋରଣ ଘଟଣା ବେଲୁଚିସ୍ତାନ ପ୍ରଦେଶର ଅଶାନ୍ତ ଅଞ୍ଚଳର ହର୍ଣ୍ଣାଇ ଜିଲ୍ଲାର ଶାହରାଗ ଅଞ୍ଚଳରେ ଘଟିଛି। ଶୁକ୍ରବାର ଦିନ, କୋଇଲା ଖଣି ଶ୍ରମିକ ମାନଙ୍କୁ ନେଇଯାଉଥିବା ଏକ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଆତଙ୍କବାଦୀ ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ମିନି ଟ୍ରକରେ ଯାତ୍ରା କରୁଥିଲେ। ଅଧିକାରୀ ମାନେ କହିଛନ୍ତି ଯେ ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବେଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବୋମା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ପରେ, ପାକିସ୍ତାନ ଆଇନ ପ୍ରବର୍ତ୍ତନ ସଂସ୍ଥାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହି ଆତଙ୍କବାଦୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମଧ୍ୟ ସୂଚନା ଦେଇଛି।