ରାୟଗଡ଼ା,୨୯/୩(ଆପ୍ର): ପ୍ରଥମେ ଗୋଟିଏ ପରେ ଆଉ ଗୋଟିଏ ଏମିତି ସମସ୍ତ ବସ୍ ଚଳାଚଳ ବନ୍ଦ କରାଗଲା। ପରବର୍ତ୍ତୀ ସମୟରେ ରାୟଗଡ଼ା ଓଏସ୍ଆର୍ଟିସି ଡିପୋକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଦୀର୍ଘ ୧୦ବର୍ଷ ଧରି ଚାଲିଥିବା ଏହି ଡିପୋକୁ ବନ୍ଦ କରିବା ପଛରେ ବିଭାଗୀୟ ଅଧିକାରୀଙ୍କ ଚକ୍ରାନ୍ତ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାୟଗଡ଼ା ଡିପୋରୁ ୩ଟି ରୁଟ୍ ରାୟଗଡ଼ାରୁ କାଶୀପୁର, ରାୟଗଡ଼ାରୁ କଳାହାଣ୍ଡିର ଥୁଆମୂଳା, ରାମପୁର ଏବଂ ରାୟଗଡ଼ାରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାକୁ ଚଳାଚଳ କରୁଥିବା ବସ୍କୁ ବନ୍ଦ କରିଦିଆଗଲା। ଏହି ୩ ଯାତ୍ରୀବାହୀ ବସ୍ର ଫିଟ୍ନେସ୍, ପରମିଟ୍ ସହ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ଏସବୁକୁ ବନ୍ଦ କରିଦେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ଏହାବନ୍ଦ ହେବା ପଛରେ ଘରୋଇ ବସ୍ ଚଳାଚଳ କରୁଥିଲା। କାଳକ୍ରମେ ଏହା ଧିରେ ଧିରେ କମିବାରେ ଲାଗିଲା। ବର୍ତ୍ତମାନ ରାୟଗଡ଼ାରୁ କାଶୀପୁର, ରାୟଗଡ଼ାରୁ ଥୁଆମୂଳ ରାମପୁର, ରାୟଗଡ଼ାରୁ ଚନ୍ଦ୍ରପୁର ଆଦି ରୁଟ୍ ବର୍ତ୍ତମାନ ଘୋରୋଇ ମାଲିକଙ୍କ ହାତଥିବା ଅଭିଯୋଗ ହୋଇଛି। ଫଳରେ ରାୟଗଡ଼ା ଓଏସ୍ଆରଟିସି ବସ୍ ଡିପା ଅଧୀନରେ କାର୍ଯ୍ୟ କରୁଥିବା ୨୦ରୁ ଅଧିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି।
୨୦୧୫ରେ ରାୟଗଡ଼ାଠାରେ ଓଏସ୍ଆରଟିସିର ବସ୍ ଡିପୋ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଥର ପାଇଁ ଏହାର ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାର। ସେତେବେଳେ ଏହି ଡିପୋ ଅଧୀନରେ ୧୨ଟି ରୁଟ୍ରେ ରାୟଗଡ଼ାରୁ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଡଙ୍ଗାପାଇ, ରାୟଗଡ଼ାରୁ ବ୍ରହ୍ମପୁର, ରାୟଗଡ଼ାରୁ ଚିତ୍ରକୋଣ୍ଡାକୁ ବସ୍ ଚଳାଚଳ କରୁଥିଲା। ହେଲେ ଗତ କିଛି ମାସ ହେଲା ରାୟଗଡ଼ାରୁ ମାତ୍ର ୩ଟି ରୁଟ୍ରେ ବସ ଚାଲୁଥିଲା। ଶେଷରେ ଏଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆ ଯାଇଛି। ଫଳରେ ଏହିସବୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବସ ବନ୍ଦ ହେବା ଫଳରେ କାର୍ଯ୍ୟରତ ଡ୍ରାଇଭର ଓ କଣ୍ଡକ୍ଟରମାନେ କିଭଳି ତାଙ୍କ ପରିବାର ଚଳାଇବେ ସେହି ଚିନ୍ତାରେ ଦିନ କାଟୁଛନ୍ତି। ସରକାରୀ ବସ୍ରେ ନିର୍ଦ୍ଧାରିତ ଭଡ଼ାରେ ଯାତ୍ରୀମାନେ ଯାତାୟତ କରୁଥିଲେ। ସରକାରୀ ବସ୍ ନଚାଲିବାରୁ ଘରୋଇ ବସ୍ମାନେ ମନଇଛା ଦର କରୁଛନ୍ତି। ଟିକଟ ପ୍ରତି ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବସଭଡ଼ା ଅଧିକ ଦେବାକୁ ପଡ଼ୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲାରେ ଅନେକ ଘରୋଇ ବସ୍ର କାଗଜପତ୍ର ଠିକ୍ ନଥିବା ବେଳେ ତାହା ଆରାମରେ ଚାଲୁଛି। କ୍ଷତିରେ ଚାଲୁଥିବା ଦର୍ଶାଇ ରାୟଗଡ଼ା ଡିପୋକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ରାୟଗଡ଼ା ବସ୍ଷ୍ଟାଣ୍ଡ୍ରେ ସରକାରୀ ଅଚଳ ବସ୍ ଗୁଡ଼ିକ ପଡ଼ିରହିଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏ ନେଇ ଓଏସ୍ଆରଟିସି ମ୍ୟାନେଜର ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି, ପୁରୁଣା ଗାଡ଼ିକୁ ନେଇ ବିଭିନ୍ନ ରୁଟ୍ରେ ବସ୍ ଚଳାଚଳ କରିବା ଠିକ୍ ନୁହଁ। ଏହାଦ୍ୱାରା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଆଗାମୀ ଦିନରେ ଜିଲ୍ଲାକୁ ନୂତନ ବସ୍ ଆସିଲେ ପୁଣି ବିଭିନ୍ନ ରୁଟ୍ର ବସ ଚଳାଚଳ କରିବ।