ନୂଆଦିଲ୍ଲୀ : ଚୀନ୍ରୁ କ୍ରୟ କରିଥିବା ଅସ୍ତ୍ରଶସ୍ତ୍ରକୁ ନେଇ ପାକିସ୍ତାନ ଖୁବ୍ ଗର୍ବ କରୁଥିଲା , ଅପରେସନ ସିନ୍ଦୂର ତାକୁ ନିମିଷକେ ଧୂଳିସାତ୍ କରିଦେଲା। ଲାହୋର ନିକଟରେ ମୁତୟନ ଚୀନର ହାଇଟେକ୍ ଏଚକ୍ୟୁ-୯ ଏୟାର ସିଷ୍ଟମକୁ ଭାରତୀୟ ବାୟୁସେନା ପ୍ରାୟ ୨୩ ମିନିଟ୍ରେ ଧୂଳି ଚଟାଇ ଦେଇଥିଲା। ଯେଉଁ ସିଷ୍ଟମ ଭାରତ ପକ୍ଷରୁ ଗୋଟିଏ ବି ପକ୍ଷୀକୁ ଉଡ଼ିବାକୁ ନଦେବାର ଦାବି କରୁଥିଲା, ସେହି ସିଷ୍ଟମ ଭାରତର ଇଲେକ୍ଟ୍ରୋନିକ୍ ୱାରଫେୟାର ଟେକନିକ୍ ଆଗରେ ଆଣ୍ଠେଇ ପଡ଼ିଲା। ପାକିସ୍ତାନ ଚୀନର କୋଳରେ ବସି ଯେଉଁ ସୁରକ୍ଷାର ଘେରା ଠିଆ କରିଥିଲା, ତାହା ତାର ମୁଣ୍ଡ ଉପରେ ଖସି ପଡ଼ିବାର କାନ୍ଥ ପାଲଟି ଗଲା। ଆସନ୍ତୁ ଜାଣିବା ଭାରତ କେମିତି ଭାଙ୍ଗିଲା ପାକ୍ର ପ୍ରିୟ ବନ୍ଧୁ ଡ୍ରାଗନର ସୁରକ୍ଷା କବଚ।
୭ମଇର ସକାଳେ ଭାରତୀୟ ବାୟୁସେନା ଅପରେସନ ସିନ୍ଦୂର ଅନୁସାରେ , ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ) ରେ ଆତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାକୁ ସଫଳ କରିଥିଲା। ପ୍ରାୟ ୨୩ ମିନିଟ୍ ଧରି ଚାଲିଥିବା ଏହି ସର୍ଜିକାଲ ଏୟାର ଷ୍ଟ୍ରାଇକ୍ରେ , ଲାହୋର ପାଖରେ ମୁତୟନ ଚୀନ ନିର୍ମିତ ଏଚକ୍ୟୁ-୯ ଏୟାର ଡିଫେନ୍ସକୁ ସଫଳତାପୂର୍ବକ ଜାମ୍ କରି ନିଷ୍କ୍ରିୟ କରିଦିଆ ଯାଇଥିଲା। ଏହାସହ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରି ପୂରା ସଠିକତାର ସହ ଧ୍ୱଂସ କରିଦିଆ ଗଲା।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ୨୨ ଅପ୍ରେଲରେ ଦକ୍ଷିଣ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ଜବାବରେ କରାଯାଇ ଥିଲା, ଯେଉଁଥିରେ ୨୬ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ହମଲାରେ ମୃତକ ଲୋକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଭାରତ ଏହାକୁ ପାକିସ୍ତାନ ଦ୍ୱାରା ଆତଙ୍କକୁ ଅସ୍ତ୍ର କରିବାର ରଣନୀତିର ପାର୍ଟ କହିଥିଲା ଏବଂ ଏହାର ଜବାବରେ ଅପରେସନ ସିନ୍ଦୂରକୁ ଆରମ୍ଭ କରିଥିଲା।
ଭାରତୀୟ ବାୟୁସେନା ଏହି ଅପରେସନକୁ ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମ (ଆଇଏସିସିଏସ) ଅନୁସାରେ ସଫଳ କରିଥିଲା,ଯେଉଁଥିରେ ଜଳ ,ସ୍ଥଳ ଓ ବାୟୁସେନାର ସମ୍ୱଳକୁ ସମନ୍ୱିତ ଭାବେ ବ୍ୟବହାର କରାଯାଇଛି। ଏହି ସମୟରେ ଭାରତୀୟ ପକ୍ଷର କୌଣସି କ୍ଷତି ହୋଇ ନାହିଁ।
ସରକାରୀ ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ, ଲାହୋର ନିକଟରେ ଚୀନରୁ ମିଳିଥିବା ଏଚକ୍ୟୁ-୯ ଡିଫେନ୍ସ ସିଷ୍ଟମ ଇଲେକ୍ଟ୍ରନିକ ୱାରଫେୟାର ଟେକନିକ୍ ଓ ଭାରତୀୟ ଲୁଟିଂ ମ୍ୟୁନିଶନ୍ସ ମାଧ୍ୟମରେ ନିଷ୍କ୍ରିୟ କରାଯାଇ ଥିଲା। ଏହା ସହ ପାକିସ୍ତାନ ଦ୍ୱାରା ଭାରତର ଉତ୍ତରୀ ଓ ପଶ୍ଚିମୀ ଅଞ୍ଚଳରେ କରାଯାଇ ଥିବା ଡ୍ରୋନ୍ ଓ ମିସାଇଲ ହମଲାକୁ ମଧ୍ୟ ଭାରତୀୟ ପ୍ରତିରକ୍ଷା ସିଷ୍ଟମ ବିଫଳ କରି ଦେଇଥିଲା।
ଅପରେସନ ସିନ୍ଦୂରର ବିଶେଷ କଥା ଏହା କି , ଏଥିରେ ଭାରତର ସ୍ୱଦେଶୀ ଡ୍ରୋନ୍, ଗାଇଡେଡ୍ ଅସ୍ତ୍ର ଓ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମର ପୂରା ବ୍ୟବହାର କରାଯାଇ ଥିଲା। ଏହି ପୂରା ମିଶନ ବେଳେ ଇସ୍ରୋ ଓ ସେନାର ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟରେ ରିୟଲ- ଟାଇମ୍ ସାଟେଲଇଟ ମୁତୟନ କରାଯାଇ ଥିଲା।