ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ତୁର୍କୀ ଓ ଆଜେରବୈଜାନର ପାକିସ୍ତାନକୁ ସମର୍ଥନ ଯୋଗୁଁ ହଜାର ହଜାର ଭାରତୀୟ ପର୍ଯଟକ ଏହି ଦୁଇ ଦେଶକୁ ଯାତ୍ରା ବାତିଲ କରିଛନ୍ତି। ଏହି ବିରୋଧ ଏପ୍ରିଲ ୨୨ ତାରିଖରେ ହୋଇଥିବା ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଛି। ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଅବସ୍ଥାନକୁ ଲକ୍ଷ୍ୟ କରି ଅପରେସନ ସିନ୍ଦୁର ଆରମ୍ଭ କରିଥିଲା।
ଅପରେସନ ସିନ୍ଦୁର ପରେ ତୁର୍କୀ ଏବଂ ଆଜେରବୈଜାନ ପାକିସ୍ତାନକୁ ସମର୍ଥନ କରି ବିବୃତି ଜାରି କରିଥିଲେ। ତୁର୍କୀର ବୈଦେଶିକ ମନ୍ତ୍ରାଳୟ ଭାରତର କାର୍ଯ୍ୟକୁ "ଅନାବଶ୍ୟକ ଉତ୍ତେଜନା" ବୋଲି ଅଭିହିତ କରି ଏହା ସମ୍ପୂର୍ଣ୍ଣ ଯୁଦ୍ଧର ଆଶଙ୍କା ସୃଷ୍ଟି କରିପାରେ ବୋଲି କହିଥିଲା। ସେହିପରି ଆଜେରବୈଜାନର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଭାରତର ସାମରିକ କାର୍ଯ୍ୟକୁ ନିନ୍ଦା କରି ପାକିସ୍ତାନର ଜନତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିଲା। ଏହା ସହିତ ପାକିସ୍ତାନ ଭାରତୀୟ ସାମରିକ ଓ ନାଗରିକ ଅବସ୍ଥାନକୁ ଲକ୍ଷ୍ୟ କରି ତୁର୍କୀ ନିର୍ମିତ ସୋଙ୍ଗାର ଡ୍ରୋନ ବ୍ୟବହାର କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଏହି ଘଟଣାକ୍ରମ ପରେ ଭାରତରେ #BoycottTurkey, #BoycottAzerbaijan ଏବଂ #BoycottTurkeyAzerbaijan ହାସଟାଗ ସହିତ ଏକ ବିରାଟ ଅନଲାଇନ ଅଭିଯାନ ଆରମ୍ଭ ହୋଇଛି। ଅନେକ ଭାରତୀୟ ନାଗରିକ ଏହି ଦୁଇ ଦେଶକୁ ଯାତ୍ରା ବାତିଲ କରି ଦେଶପ୍ରେମର ପରିଚୟ ଦେଇଛନ୍ତି। ମୁମ୍ବାଇର ଜଣେ ପରିବାର ତୁର୍କୀର ସମର୍ଥନ ବିରୁଦ୍ଧରେ ସେମାନଙ୍କ ଛୁଟି ଯୋଜନା ବାତିଲ କରିଥିବା ଜଣାପଡ଼ିଛି। ଏହା ସହିତ ଗୁଜରାଟରୁ ପ୍ରାୟ ୮୦୦ ଜଣଙ୍କ ଏକ ଦଳ ମଧ୍ୟ ଏହି ଦୁଇ ଦେଶକୁ ଯାତ୍ରା ବାତିଲ କରିଥିବା ରିପୋର୍ଟ ମିଳିଛି।
ଭାରତର ପ୍ରମୁଖ ଟ୍ରାଭେଲ ପ୍ଲାଟଫର୍ମ ଯଥା ଇଜ଼ିମାଇଟ୍ରିପ, ଇକ୍ସିଗୋ, ମେକମାଇଟ୍ରିପ ଏବଂ କକ୍ସ ଆଣ୍ଡ କିଙ୍ଗସ ତୁର୍କୀ ଏବଂ ଆଜେରବୈଜାନ ପାଇଁ ବୁକିଂ ବନ୍ଦ କରିଦେଇଛନ୍ତି। ଇଜ଼ିମାଇଟ୍ରିପର ସହ-ପ୍ରତିଷ୍ଠାତା ପ୍ରଶାନ୍ତ ପିଟ୍ଟିଙ୍କ ଅନୁଯାୟୀ, ତୁର୍କୀ ପାଇଁ ୨୨% ଏବଂ ଆଜେରବୈଜାନ ପାଇଁ ୩୦%ରୁ ଅଧିକ ବୁକିଂ ବାତିଲ ହୋଇଛି। ମେକମାଇଟ୍ରିପ ଗତ ସପ୍ତାହରେ ୨୫୦% ବୁକିଂ ବାତିଲ ଏବଂ ୬୦% ନୂଆ ବୁକିଂରେ ହ୍ରାସ ରିପୋର୍ଟ କରିଛି।
୨୦୨୪ ମସିହାରେ ପ୍ରାୟ ୩.୩ ଲକ୍ଷ ଭାରତୀୟ ତୁର୍କୀ ଏବଂ ୨.୪୩ ଲକ୍ଷ ଆଜେରବୈଜାନ ଭ୍ରମଣ କରିଥିଲେ। ଯାହା ଏହି ଦୁଇ ଦେଶର ଅର୍ଥନୀତିରେ ପ୍ରାୟ ୪,୦୦୦ କୋଟି ଟଙ୍କାର ଯୋଗଦାନ ଦେଇଥିଲା। ତୁର୍କୀରେ ପର୍ଯଟନ ୧୨% ଜିଡିପି ଏବଂ ୧୦% ନିଯୁକ୍ତି ପାଇଁ ଦାୟୀ। ଅନ୍ୟପଟେ ଆଜେରବୈଜାନରେ ଏହା ୭.୬% ଜିଡିପି ଏବଂ ୧୦% ନିଯୁକ୍ତି ପ୍ରଦାନ କରିଥାଏ। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ବୟକଟ ଯୋଗୁଁ ଏହି ଦୁଇ ଦେଶରେ ଭାରତୀୟ ପର୍ଯଟକଙ୍କ ସଂଖ୍ୟା ୫୦% ହ୍ରାସ ପାଇପାରେ। ଯାହା ସେମାନଙ୍କ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ।
ପର୍ଯଟନ ସହିତ ସହିତ ଭାରତରେ ତୁର୍କୀ ଓ ଆଜେରବୈଜାନର ଉତ୍ପାଦକୁ ମଧ୍ୟ ବୟକଟ କରାଯାଉଛି। ପୁଣେର ଫଳ ବ୍ୟବସାୟୀମାନେ ତୁର୍କୀରୁ ଆସୁଥିବା ସେଉ ବିକ୍ରି ବନ୍ଦ କରିଦେଇଛନ୍ତି। ଉଦୟପୁରର ମାର୍ବଲ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସହ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଆରେ ଗୋଆ ଭିଲାସ ନାମକ ଏକ ଭିଲା ରେଣ୍ଟାଲ କମ୍ପାନୀ ତୁର୍କୀ ନାଗରିକଙ୍କୁ ସେବା ପ୍ରଦାନ ନକରିବାକୁ ଘୋଷଣା କରିଛି।
ବିଭିନ୍ନ ରାଜନୈତିକ ନେତା ଏବଂ ସେଲିବ୍ରିଟି ମଧ୍ୟ ଏହି ବୟକଟକୁ ସମର୍ଥନ କରିଛନ୍ତି। ହିମାଚଳ ପ୍ରଦେଶର କଂଗ୍ରେସ ବିଧାୟକ କୁଲଦୀପ ସିଂ ରାଠୋର ତୁର୍କୀରୁ ଆମଦାନୀ ଉପରେ ତୁରନ୍ତ ନିଷେଧାଦେଶ ଜାରି କରିବାକୁ ଦାବି କରିଛନ୍ତି। ସେ ମନେ ପକାଇ ଦେଇଛନ୍ତି ଯେ ୨୦୨୩ ମସିହାରେ ତୁର୍କୀରେ ଭୂମିକମ୍ପ ସମୟରେ ଭାରତ ‘ଅପରେସନ ଦୋସ୍ତ’ ମାଧ୍ୟମରେ ସାହାଯ୍ୟ ପ୍ରଦାନ କରିଥିଲା। ସେହିପରି ଗାୟକ ବିଶାଲ ମିଶ୍ର ଓ ଅଭିନେତ୍ରୀ ରୂପାଲୀ ଗାଙ୍ଗୁଲୀ ତୁର୍କୀ ଓ ଆଜେରବୈଜାନକୁ କେବେ ମଧ୍ୟ ଯିବେନାହିଁ ବୋଲି ଘୋଷଣା କରିଛନ୍ତି।
ଅନେକ ଭାରତୀୟ ପର୍ଯଟକ ଏବେ ତୁର୍କୀ ଓ ଆଜେରବୈଜାନ ବଦଳରେ ଗ୍ରୀସ, ଆର୍ମେନିଆ, ବାଲି ଓ ମାଲେସିଆ ଭଳି ଦେଶକୁ ଯିବାକୁ ପସନ୍ଦ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଦେଶଗୁଡ଼ିକୁ ଭାରତର ବନ୍ଧୁ ରାଷ୍ଟ୍ର ଭାବେ ପ୍ରୋତ୍ସାହିତ କରାଯାଉଛି।
ଏହି ବୟକଟ କେବଳ ପର୍ଯଟନ ସହ ସୀମିତ ନାହିଁ, ବରଂ ଏହା ଭାରତର ଜାତୀୟ ଅସ୍ମିତା ଏବଂ ସ୍ୱାଭିମାନର ଏକ ପ୍ରତୀକ ହୋଇଛି। ତୁର୍କୀ ଓ ଆଜେରବୈଜାନର ପାକିସ୍ତାନକୁ ସମର୍ଥନ ଭାରତୀୟଙ୍କ ମନରେ ଗଭୀର ପ୍ରଭାବ ପକାଇଛି। ଯାହା ଏକ ବିରାଟ ସାମାଜିକ ଓ ଅର୍ଥନୈତିକ ପ୍ରତିକ୍ରିୟାରେ ପରିଣତ ହୋଇଛି। ତେବେ ଆଗାମୀ ଦିନରେ ଏହି ବୟକଟର ପ୍ରଭାବ ତୁର୍କୀ ଓ ଆଜେରବୈଜାନର ଅର୍ଥନୀତି ଉପରେ କିପରି ପଡ଼ିବ ତାହା ଦେଖିବାକୁ ବାକି ରହିଲା।