ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତ୍ୟାବର୍ତ୍ତନ କରିଥିଲା । ତେଣୁ ଆୟୋଜକ ଏହାକୁ ସ୍ମରଣୀୟ କରିବା ପାଇଁ କିଛି ନୂଆ କରି ଦେଖାଇବାର ଯୋଜନା କରିଥିଲେ ଏବଂ ସଫଳ ମଧ୍ୟ ହେଲେ । ପ୍ରଥମ ଥର ଅଲିମ୍ପିକ୍ସରେ ଷ୍ଟାଡିୟମ ପରିବର୍ତ୍ତେ ନଦୀ ଗର୍ଭରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେଲା । ବେଶ ଆକର୍ଷଣୀୟ ଏବଂ ଚମକପ୍ରଦ ରହିଥିଲା । ବୋତସ୍ୱାନାର ଲେଟସିଲି ତେବୋଗୋଙ୍କ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ପୋଲ ଭଲ୍ଟରେ ସ୍ୱିଡେନର ଆର୍ମଣ୍ଡ ଡୁପ୍ଲାଣ୍ଟିସଙ୍କ ବିଶ୍ୱ ରେକର୍ଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଶେଷରେ ଆମେରିକା ସର୍ବାଧିକ ୪୦ ସ୍ୱର୍ଣ୍ଣ ସହ ଚାମ୍ପିଅନ ଏବଂ ଚୀନ ରନର୍ସଅପ୍ରେ କ୍ରୀଡ଼ା ଉଦ୍ଯାପିତ ହୋଇଥିଲା ।
ପ୍ରସ୍ତୁତି: କୁମାର ବିମଳ
ସେନ ନଦୀରେ ଉଦ୍ଘାଟନୀ
ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟାଇ ଶେଷରେ ମହାଆଡ଼ମ୍ବରରେ ପ୍ରାଚ୍ୟୁର୍ଯ୍ୟ ଭରା ପ୍ୟାରିସ ନଗରୀରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ କ୍ରୀଡ଼ାର ୩୩ତମ ସଂସ୍କରଣ । ପ୍ୟାରିସ ନଗରୀର ଜୀବନରେଖା ସେନ ନଦୀରେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଉଦ୍ଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା । ୨୦୬ ରାଷ୍ଟ୍ରରୁ ୭୦୦୦ କ୍ରୀଡ଼ାବିତ ଡଙ୍ଗା ପରେଡରେ ୬ କିଲୋ ମିଟର ଯାତ୍ରା କରିଥିଲେ । ଏଥିପାଇଁ ୮୫ଟି ବଡ଼ ବଡ଼ ଡଙ୍ଗା ନିୟୋଜିତ ହୋଇଥିଲା । ଅଷ୍ଟ୍ରେର୍ଲିଜ ବ୍ରିଜ୍ (ପୋଲ) ପାଖରୁ ଆରମ୍ଭ ହୋଇଥିଲା ଉଦ୍ଘାଟନୀ ଉତ୍ସବ । ପରେଡ୍ ଶେଷରେ ୧୬ଟି ପୋଲ ଅତିକ୍ରମ କରି ଆଇଫିଲ ଟାୱାର ନିକଟରେ ଶେଷ ହୋଇଥିଲା । ରଙ୍ଗାରଙ୍ଗ ଆଲୋକମାଳା, ନଦୀ ଗର୍ଭରେ ଜଳ ଫୁତ୍କାର ଏବଂ ଆତସବାଜି ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା ।ସନ୍ଧ୍ୟା ଯେତିକି ପାଖେଇ ଆସୁଥିଲା, ସାଂସ୍କୃତିକ କାର୍ଯ୍ୟକ୍ରମର ରୋମାଞ୍ଚ ସେତିକି ବଢ଼ି ବଢ଼ି ଚାଲିଥିଲା । ଅତି ଅଦ୍ଭୁତ ଓ ଆକର୍ଷଣୀୟ ରହିଥିଲା ଉତ୍ସବ । ସାଧାରଣତଃ ଆଥଲେଟିକ୍ସ ଷ୍ଟାଡିୟମରେ ୬୦ରୁ ୭୦ ହଜାର ଦର୍ଶକ ବସି ଉତ୍ସବ ଦେଖିଥାନ୍ତି । କିନ୍ତୁ ଏଥର ୩ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଉତ୍ସବର ପ୍ରତ୍ୟକ୍ଷ ରୋମାଞ୍ଚ ନେଇଥିଲେ ।
୩୦୦୦ କଳାକାର
ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା ବିଶ୍ୱକୁ ପ୍ରେମଭରା ଶାନ୍ତିର ବାର୍ତ୍ତା ଏବଂ ପ୍ରଦର୍ଶିତ ହୋଇଥିଲା ଫ୍ରାନ୍ସର କଳା, ସଂସ୍କୃତି ଓ ଐତିହ୍ୟର ଛବି । ୩ ହଜାର କଳାକାର ଏଥିରେ ଭାଗ ନେଇଥିଲେ । ବେଶ ମନମୁଗ୍ଧକର ଥିଲା ପରିବେଶ । ପ୍ରଥମ ଥର ଅଲିମ୍ପିକ୍ସପ୍ରେମୀ ଷ୍ଟାଡିୟମ ପରିବର୍ତ୍ତେ ଖୋଲା ଆକାଶତଳେ ଉଦ୍ଘାଟନୀ ଉତ୍ସବର ରୋମାଞ୍ଚ ନେଇଥିଲେ । ପ୍ରସିଦ୍ଧ କଣ୍ଠଶିଳ୍ପୀ ଲେଡି ଗାଗା, ସେଲିନ ଡିୟନ ଏବଂ ପପ୍ ଷ୍ଟାର ଆୟା ନାକାମୁରାଙ୍କ ଦ୍ୱାରା ଧମାକାଦାର ଶୋ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । ମଝିରେ ମଝିରେ ହାଲକା ବର୍ଷା ସମସ୍ତଙ୍କୁ ଭିଜାଇ ଦେଉଥିଲା । ଶେଷରେ ଆନୁଷ୍ଠାନିକ ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ କ୍ରୀଡ଼ା ଶୁଭାରମ୍ଭ ଘୋଷଣା କରିଥିଲେ । ଆଇଫିଲ ଟାୱାର ନିକଟରେ ଶେଷରେ ଉତ୍ସବ ସମାପିତ ହୋଇଥିଲା । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟର ସଭାପତି ଥୋମାସ ବାକ୍ ଏବଂ ୮୦ଟିରୁ ଊର୍ଦ୍ଧ୍ଵ ରାଷ୍ଟ୍ରର ମୁଖ୍ୟମାନେ ଉତ୍ସବରେ ଯୋଗ ଦେଇଥିଲେ ।
ଶତାବ୍ଦୀ ପରେ ଫେରିଲା ଅଲିମ୍ପିକ୍ସ
୧୦୦ ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ କ୍ରୀଡ଼ା ଫେରିଥିଲା । ପୂର୍ବରୁ ଏଠାରେ ୧୯୦୦ ଓ ୧୯୨୪ରେ ଦୁଇ କ୍ରୀଡ଼ା ଆୟୋଜିତ ହୋଇଥିଲା । ଉଦଘାଟନୀ ପାଇଁ ପ୍ୟାରିସ ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଉଦ୍ଘାଟନୀ ସ୍ଥଳ ଠାରୁ ପୂରା ସହରକୁ ୪୫ ହଜାର ସୁରକ୍ଷାକର୍ମୀ ଜଗି ରହିଥିଲେ । ତଥାପି ସେଦିନ ସକାଳୁ ପ୍ୟାରିସକୁ ଯୋଗାଯୋଗ ବିଛିନ୍ନ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ସହରର ଚତୁର୍ଦିଗରୁ ହାଇ-ସ୍ପିଡ୍ ରେଳ ସିଗନାଲ୍ ବକ୍ସକୁ ଆକ୍ରମଣକାରୀମାନେ ନିଆଁ ଲଗାଇ ଦେଇଥିଲେ । ଫଳରେ ସହରକୁ ରେଳ ଯୋଗାଯୋଗ ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିଲା । ଅଲିମ୍ପିକ୍ସ ଇତିହାସରେ ଏହା ପ୍ରଥମ କ୍ରୀଡ଼ା ଯାହା ଉଦ୍ଘାଟନୀର ସପ୍ତାହେ ପୂର୍ବରୁ ସହରକୁ ଲକ୍ଡାଉନ କରି ଦିଆଯାଇଥିଲା ।
ଉଡ଼ନ୍ତା ଅଲିମ୍ପିକ୍ସ କଲଡ୍ରନ
ପ୍ୟାରିସ୍ କ୍ରୀଡ଼ାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଅଲିମ୍ପିକ୍ସ କଲଡ୍ରନ ବା ଅଲିମ୍ପିକ୍ସ ହଣ୍ଡା । କ୍ରୀଡ଼ା ଆୟୋଜକ ଦେଶ ସାରା ବିଶ୍ୱକୁ ପରିବେଶ ସୁରକ୍ଷା ବାର୍ତ୍ତା ଦେବା ନେଇ ସମୟକ୍ରମେ ଅଲିମ୍ପିକ୍ସ କଲଡ୍ରନରେ ଭିନ୍ନ ଭିନ୍ନ ଇନ୍ଧନ ବ୍ୟବହାର କରି ଆସିଛନ୍ତି । ମାତ୍ର ପ୍ୟାରିସରେ ଏଥର ଯେଉଁ କଲଡ୍ରନ ଜଳୁଥିଲା ବା ଜଳିବାର ପ୍ରତୀୟମାନ ହେଉଥିଲା ତାହା ସଂପୂର୍ଣ୍ଣ ଇନ୍ଧନ ମୁକ୍ତ ଥିଲା । ୬୦ ଫୁଟ ଉଚ୍ଚରେ ଏହାକୁ ହଟ୍ ଏୟାର ବେଲୁନରେ ଝୁଲା ଯାଇଥିଲା । ପର୍ଯ୍ୟଟକଙ୍କ ପାଇଁ ଏହା ମୁଖ୍ୟ ଆକର୍ଷଣ ପାଲଟିଥିଲା । ଅଲିମ୍ପିକ୍ସ କଲଡ୍ରନକୁ ଐତିହାସିକ ତୁଇଲେରିଏସ ଗାର୍ଡେନରେ ରଖାଯାଇଥିଲା । ଏଥିରେ କେବଳ ବିଜୁଳି ଏବଂ ପାଣିର ବ୍ୟବହାର କରାଯାଇଥିଲା । କଲଡ୍ରନ ନିର୍ମାଣ ହେବା ପାଇଁ ହଟ୍ ଏୟାର ବେଲୁନ, ୪୦ଟି ଏଇଡି ଲାଇଟ୍ ଏବଂ ୨୦୦ଟି ହାଇ ପ୍ରେସର ନଜଲ ବା ହୋସ ପାଇପ ବ୍ୟବହାର ହୋଇଥିଲା ।
ଫ୍ରାନ୍ସର ପୋଷ୍ଟର ବୟ ମର୍ଚାଣ୍ଡ
ସନ୍ତରଣରେ ୪ଟି ସ୍ୱର୍ଣ୍ଣ ପଦକ ଜିତି ୨୨ ବର୍ଷୀୟ ଲିଓନ ମର୍ଚାଣ୍ଡ ଫ୍ରାନ୍ସର ପୋଷ୍ଟରବୟ ସାଜିଥିଲେ । ୨୦୨୧ରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସ ବେଳକୁ ମର୍ଚାଣ୍ଡଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ସେ ୪ଟି ଇଭେଣ୍ଟରେ ଭାଗ ନେଇଥିଲେ । ମାତ୍ର ଗୋଟିଏ ବି ପଦକ ଜିତିପାରି ନଥିଲେ । କେବଳ ୪୦୦ ମିଟର ବ୍ୟକ୍ତିଗତ ମିଡଲେରେ (୪:୧୧.୧୬ ସେକେଣ୍ଡ) ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଷଷ୍ଠ ସ୍ଥାନରେ ରହିଥିଲେ । ସେମିତିବି ସନ୍ତରଣରେ ଫ୍ରାନ୍ସର ପ୍ରଦର୍ଶନ ଭଲ ନଥିଲା । କେବଳ ଫ୍ଲୋରେଣ୍ଟ ମାନାଉଡୌ ୫୦ ମିଟର ଫ୍ରୀଷ୍ଟାଇଲରେ ରୌପ୍ୟ ପଦକ ଜିତିଥିଲେ । ଗତ ୩ ବର୍ଷ ମଧ୍ୟରେ ମର୍ଚାଣ୍ଡ ନିଜକୁ ବେଶ ଭଲ ଭାବେ ପ୍ରସ୍ତୁତ କରିଥିଲେ । ଘରୋଇ ଭେନ୍ୟୁ ଏବଂ ଘରୋଇ ପରିବେଶରେ କିଛି ଚମତ୍କାର କରିବାକୁ ଲକ୍ଷ୍ୟ ରଖିଥିଲେ । ଗୋଟିଏ ପରେ ଗୋଟିଏ ଏମିତି ୪ଟି ପଦକ ଜିତି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲେ । ୪୦୦ ମିଟର ବ୍ୟକ୍ତିଗତ ମିଡ୍ଲେରେ ମର୍ଚାଣ୍ଡ୍ ସ୍ୱର୍ଣ୍ଣରୁ ଅଭିଯାନ ଆରମ୍ଭ କରିଥିଲେ । ପରେ ୨୦୦ ମିଟର ବଟରଫ୍ଲାଏ, ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଏବଂ ୨୦୦ ମିଟର ବ୍ୟକ୍ତିଗତ ମିଡ୍ଲେରେ ପଦକ ଜିତିଥିଲେ ।
ତୁର୍କୀ ସୁଟରଙ୍କ ନିଆରା ଷ୍ଟାଇଲ୍
ତୁର୍କୀର ୫୧ ବର୍ଷୀୟ ସୁଟର ୟୁସୁଫ୍ ଡିକେକ୍ ନିଜର ନିଆରା ସୁଟିଂ ଷ୍ଟାଇଲ୍ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ରେ ସେଭାଲଇଲେଦା ତାରହାନଙ୍କ ସହ ରୌପ୍ୟ ପଦକ ଜିତିଥିଲେ । ସାଧାରଣତଃ ସୁଟିଂ ସମୟରେ ସୁଟରମାନେ କାନ, ଆଖିର ସୁରକ୍ଷା ପାଇଁ ବିଭିନ୍ନ ସୁରକ୍ଷା ସାମଗ୍ରୀ ବ୍ୟବହାର କରନ୍ତି । ବିଶେଷ ଲେନ୍ସ ମଧ୍ୟ ଲଗାଇଥାନ୍ତି । କିନ୍ତୁ ୟୁସୁଫ ସଂପୂର୍ଣ୍ଣ ସାଧାସିଧା ଭାବେ ସୁଟିଂ ରେଞ୍ଜ୍ରେ ଅବତୀର୍ଣ୍ଣ ହୋଇ ପଏଣ୍ଟ ପରେ ପଏଣ୍ଟ ସ୍କୋର କରି ଚାଲିଥିଲେ ଏବଂ ଶେଷରେ ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ସୁଟିଂ ସମୟରେ ୟୁସୁଫ୍ଙ୍କର ନିଆରା ଷ୍ଟାଇଲ ହିଁ ସମସ୍ତଙ୍କୁ ଖୁବ ଚକିତ କରିଥିଲା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସେ ଡାହାଣ ହାତରେ ବନ୍ଧୁକ ଧରି ସୁଟ୍ କରୁଥିବାବେଳେ ବାମ ହାତଟି ତାଙ୍କ ପ୍ୟାଣ୍ଟ୍ ପକେଟରେ ରହୁଥିଲା । ୟୁସୁଫ୍ଙ୍କ ଏହା କ୍ୟାରିୟରରେ ପଞ୍ଚମ ଅଲିମ୍ପିକ୍ସ ଥିଲା ।
ଅଲିମ୍ପିକ୍ସରେ ୭ ମାସର ଗର୍ଭବତୀ
ଇଜିପ୍ଟର ୨୬ ବର୍ଷୀୟା ଫେନସର ନାଦା ହାଫେଜ ପ୍ୟାରିସ ଅଲିମ୍ପିକ୍ସରେ ସବୁଠୁ ଚର୍ଚ୍ଚାରେ ରହିଥିଲେ । ସେ ନିଜ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତି ନଥିଲେ କିମ୍ବା ସେମିତି ଆକର୍ଷଣୀୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇ ନଥିଲେ । ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ ନାଦା ଯାହା ଘୋଷଣା କରିଥିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ସତରେ ଜଣେ ଗର୍ଭବତୀ ଥାଇବି କ’ଣ ଅଲିମ୍ପିକ୍ସରେ ଭାଗ ନେଇପାରେ? ମାନିବାକୁ ପଡ଼ିବ ତାଙ୍କ ସାହସ, ଧୈର୍ଯ୍ୟ ଏବଂ ପରିଶ୍ରମକୁ । ହୁଏତ ଅଲିମ୍ପିକ୍ସରେ ଏହା ପ୍ରଥମ ଘଟଣା ହୋଇପାରେ । ଜୁଲାଇ ୨୯ ତାରିଖରେ ନାଦା ଫେନସିଂରେ ନିଜ ଇଭେଣ୍ଟରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳିଥିଲେ । ମହିଳା ସାବ୍ରେ ବ୍ୟକ୍ତିଗତ ବର୍ଗରେ ୧୫-୧୩ରେ ସେ ଆମେରିକାର ଏଲିଜାବେଥ୍ ତାରତାକୋଭସ୍କାଏଙ୍କୁ ପରାଜିତ କରିଥିଲେ । ସେହିଦିନ ନାଦା ଖେଳିଥିଲେ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ଏବଂ କୋରିଆର ହାୟଙ୍ଗ ଜେଓନଙ୍କ ଠାରୁ ୧୫-୭ରେ ପରାଜିତ ହୋଇଥିଲେ ।
ନଦୀମ ଜିତିଲେ ସ୍ୱର୍ଣ୍ଣ
ପାକିସ୍ତାନ ପାଇଁ ଅଲିମ୍ପିକ୍ସରେ ଗୌରବ ଆଣିଥିଲେ ଜାଭେଲିନ ଫିଙ୍ଗାଳି ଅର୍ଶଦ ନଦୀମ । ଅଲିମ୍ପିକ୍ସ ରେକର୍ଡ (୯୨.୯୭ ମିଟର) ସହ ସେ ସ୍ୱର୍ଣ୍ଣିମ ଇତିହାସ ରଚିଥିଲେ । ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ସେ ଏହି ଗୌରବ ଲାଭ କରିଥିଲେ । ମାତ୍ର ୭ ଜଣ ଖେଳାଳି ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିଲେ । ନଦୀମ ହିଁ କେବଳ ସ୍ୱର୍ଣ୍ଣ ଜିତିଥିଲେ । ତାଙ୍କ ଘର ପଞ୍ଜାବ (ପାକିସ୍ତାନ) ପ୍ରୋଭିନ୍ସର ମିଆନ ଚାନୁରେ । ଜନ୍ମ ଅତି ସାଧାରଣ ପରିବାରରେ । ତାଙ୍କ ବାପା ମହମ୍ମଦ ଅସ୍ରଫ ଜଣେ ନିର୍ମାଣ ଶ୍ରମିକ । ତେଣୁ ଘରେ ଅଭାବ ଯୋଗୁ ନଦୀମ ଜାଭେଲିନ କିଣି ପାରୁନଥିଲେ । ବାଉଁଶ କିମ୍ବା ଲମ୍ବା କାଠ ବାଡ଼ିରେ ସେ ଅଭ୍ୟାସ କରୁଥିଲେ ।
ପିକ୍ଚର ଅଫ୍ ଦ ଅଲିମ୍ପିକ୍ସ
ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ଫଟୋ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବ୍ରାଜିଲର ୩ ଥର ବିଶ୍ୱ ଚାମ୍ପିଅନ ସର୍ଫର ଗାବ୍ରିଏଲ୍ ମେଦିନାଙ୍କ ଅଦ୍ଭୁତ ସେଲିବ୍ରେସନକୁ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିବାରେ ସଫଳ ହୋଇଥିଲେ ଜେରୋମ ବ୍ରୁଇଲେଟ୍ । ଏହି ଫଟୋକୁ ଅଲିମ୍ପିକ୍ସର ଶ୍ରେଷ୍ଠ ଫଟୋର (ପିକ୍ଚର ଅଫ୍ ଦ ଅଲିମ୍ପିକ୍ସ) ଆଖ୍ୟା ମିଳିଥିଲା । ଫଟୋରେ ଗାବ୍ରିଏଲ୍ ଉପରକୁ ହାତଟେକି ଧରି ଶୂନ୍ୟରେ ରହିଛନ୍ତି । ସେ ଏହି ଇଭେଣ୍ଟରେ ରେକର୍ଡ ସ୍କୋର (୯.୯) କରିଥିଲେ । ଖୁବ ଭାଇରାଲ ହୋଇଥିଲା ଏହି ଫଟୋ । ଜେରୋମ ଏହି ଫଟୋ ପାଇଁ ବେଶ ପ୍ରଶଂସିତ ହୋଇଥିଲେ ।
ପୋଲ ଭଲ୍ଟର ଈଶ୍ୱର ଡୁପ୍ଲାଣ୍ଟିସ
ପ୍ୟାରିସରେ ନୂଆ ବିଶ୍ୱ ରେକର୍ଡ ସହ ପୋଲ ଭଲ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ସ୍ୱିଡେନର ଆର୍ମଣ୍ଡ ଡୁପ୍ଲାଣ୍ଟିସ । ସେ ପୁଣି ଥରେ ନିଜ ରେକର୍ଡ ସିଲେସିଆ ଡାଏମଣ୍ଡ ଲିଗ୍ରେ ଭଙ୍ଗ କରିବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ଦଶମ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି । ବାରମ୍ବାର ନିଜ ବିଶ୍ୱ ରେକର୍ଡକୁ ନିଜେ ଭାଙ୍ଗି ଚାଲିଥିବା ମଣିଷକୁ ଈଶ୍ୱର ହିଁ କୁହାଯିବ । ସିଲେସିଆରେ ଡୁପ୍ଲାଣ୍ଟିସ ନିଜର ଦ୍ୱିତୀୟ ପ୍ରୟାସରେ ୬.୨୬ ମିଟର ଉଚ୍ଚ ଡେଇଁ ବିଶ୍ୱ ରେକର୍ଡ କରିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ସେ ୬.୨୫ ମିଟର ପ୍ରଦର୍ଶନ ଦେଇ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ । ଆମେରିକାର ସାମ କେନଡ୍ରିକ୍ସ (୬.୦୬ ମିଟର) ଦ୍ୱିତୀୟ ଏବଂ ଗ୍ରୀସର ଇମାନୋଇଲ କାରାଲିସ (୫.୯୩ ମିଟର) ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ସିଜନରେ ଏହାକୁ ମିଶାଇ ସେ ତୃତୀୟ ଥର ନିଜ ବିଶ୍ୱ ରେକର୍ଡ ନିଜେ ଭାଙ୍ଗିବାରେ ସଫଳ ହୋଇଛନ୍ତି । ୨୦୨୦ ଫେବ୍ରୁଆରୀ ୮ ତାରିଖରେ ଡୁପ୍ଲାଣ୍ଟିସ ପ୍ରଥମ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପୂର୍ବ ରେକର୍ଡ ଫ୍ରାନ୍ସର ରେନାଉଡ ଲାଭିଲେନିଏଙ୍କ (୬.୧୬ ମିଟର) ନାମରେ ରହିଥିଲା । ଡୁପ୍ଲାଣ୍ଟିସ ୬.୧୭ ମିଟର ସହ ତାଙ୍କ ରେକର୍ଡ ଭାଙ୍ଗିଥିଲେ । ୧୯୮୫ରୁ ୧୯୯୪ ମଧ୍ୟରେ ୟୁଏସ୍ଏସ୍ଆରର ସର୍ଜି ବୁବକା କ୍ୟାରିୟରରେ ୧୩ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ୧୯୯୪ରେ ବୁବକାଙ୍କ (୬.୧୪ ମିଟର) ରେକର୍ଡକୁ ରେନାଉଡ୍ (୬.୧୬ ମିଟର) ଭାଙ୍ଗିଥିଲେ ।
୧୦୦ ମିଟରରେ ଲାଇଲ୍ସଙ୍କୁ ସ୍ୱର୍ଣ୍ଣ
ପୁରୁଷ ୧୦୦ ମିଟରରେ ଆମେରିକାର ନୋହ ଲାଇଲ୍ସ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ୯.୭୯ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଜାମାଇକାର କିଷାନେ ଥମ୍ପସନ୍ (୯.୭୯) ରୌପ୍ୟ ଏବଂ ଆମେରିକାର ଫ୍ରେଡ୍ କେର୍ଲି (୯.୮୧) ବ୍ରୋଞ୍ଜ ଜିତିଥିଲେ ।
ଆମେରିକା ଚାମ୍ପିଅନ, ଚୀନ ରନର୍ସଅପ୍
ପଦକ ତାଲିକାରେ ଆମେରିକା ଶୀର୍ଷ ସ୍ଥାନରେ ରହି ଚାମ୍ପିଅନ ହୋଇଥିଲା । ଚୀନ ଦ୍ୱିତୀୟ ସ୍ଥାନ ସହ ରନର୍ସଅପ୍ ଏବଂ ଜାପାନ ତୃତୀୟ ସ୍ଥାନ ହାସଲ କରିଥିଲା । ଆମେରିକା ଦଳ ଜିତିଥିଲା ମୋଟ୍ ୧୨୬ ପଦକ । ଯେଉଁଥିରେ ୪୦ ସ୍ୱର୍ଣ୍ଣ, ୪୪ ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା । ସେହିପରି ଚୀନ ୯୧ ପଦକ (୪୦ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୨୪ଟି ବ୍ରୋଞ୍ଜ) ଏବଂ ଜାପାନ ୪୫ ପଦକ (୨୦ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୩ଟି ବ୍ରୋଞ୍ଜ) ଜିତିଥିଲା । ଆୟୋଜକ ଫ୍ରାନ୍ସ ୬୪ ପଦକ ଜିତି (୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୨୨ଟି ବ୍ରୋଞ୍ଜ) ପଞ୍ଚମ ସ୍ଥାନରେ ରହିଥିଲା ।
ମହିଳାରେ ଆଲଫ୍ରେଡ ଚାମ୍ପିଅନ
ମହିଳା ୧୦୦ ମିଟରରେ ସେଣ୍ଟ ଲୁସିଆର ଜୁଲିଏନ ଆଲଫ୍ରେଡ ଚାମ୍ପିଅନ ହୋଇଥିଲେ । ୧୦.୭୨ ସେକେଣ୍ଡ ସହ ସେ ଆମେରିକାର ସାକାରି ରିଚାର୍ଡସନଙ୍କୁ ପଛରେ ପକାଇଥିଲେ । ସାକାରି (୧୦.୮୭) ରୌପ୍ୟ ଏବଂ ମେଲିସା ଜେଫରସନ (୧୦.୯୨) ବ୍ରୋଞ୍ଜ ପଦକ ପାଇଥିଲେ ।
ବୋତସ୍ୱାନାର ଅଲିମ୍ପିକ୍ସ ଚାମ୍ପିଅନ ତେବୋଗୋ
ଦକ୍ଷିଣ ଆଫ୍ରିକାର ଏକ ଛୋଟ ଦେଶ ବୋତସ୍ୱାନା, ଲୋକସଂଖ୍ୟା ୨.୪ ମିଲିୟନ । ଆୟତନ ଫ୍ରାନ୍ସ ସହ ପ୍ରାୟତଃ ସମାନ ହେବ । ହୁଏତ ବୋତସ୍ୱାନାର ନାମ ବହୁ କମ୍ ଲୋକ ଶୁଣି ଥିବେ । କିନ୍ତୁ ଯେଉଁମାନେ କ୍ରୀଡ଼ାରେ ଆଗ୍ରହ ରଖିଛନ୍ତି, ବିଶେଷ କରି ଆଥଲେଟିକ୍ସରେ ସେମାନଙ୍କୁ ଏହି ଦେଶର ନାମ ନୂଆ ନୁହେଁ । କାରଣ ପ୍ୟାରିସ ଅଲିମ୍ପିକ୍ସରେ ଲେଟସିଲି ତେବୋଗୋ ପୁରୁଷ ୨୦୦ ମିଟରରେ ଚାମ୍ପିଅନ ହେବା ପରେ ଏ ଦେଶ ସାରା ବିଶ୍ୱରେ ପରିଚିତି ଲାଭ କରିଥିଲା । ବୋତସ୍ୱାନାର ପ୍ରଥମ ଆଥଲେଟ ଭାବେ ତେବୋଗୋ ଜିତିଥିଲେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ । ଦେଶ ପାଇଁ ଏବଂ ନିଜ ଅଞ୍ଚଳ ପାଇଁ ସେ ଏବେ ନୂଆ ‘ୟୁଥ୍ ଆଇକନ’ ଭାବେ ଉଭା ହୋଇଛନ୍ତି । ମାତ୍ର ୨୧ ବର୍ଷ ବୟସରେ ତେବୋଗୋ ଅଲିମ୍ପିକ୍ସରେ ଚାମ୍ପିଅନ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ ତେବୋଗୋ । ପ୍ରଥମ ବୋତସ୍ୱାନା ଆଥଲେଟ ଭାବେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଏହାପରେ ସେ ପୋପ୍ ଫ୍ରାନସିସଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ତେବୋଗୋ ପ୍ୟାରିସରେ ୨ଟି ପଦକ ଜିତିଥିଲେ । ୨୦୦ ମିଟର ପରେ ସେ ୪ ଗୁଣା ୪୦୦ ମିଟର ରିଲେରେ ରୌପ୍ୟ ପଦକ ପାଇଥିଲେ ।