ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଓଡ଼ିଆ ଭାଷାର ସ୍ଥିତି ଓ ଏହାର ସୁରକ୍ଷା...

ସମଗ୍ର ପୃଥିବୀରେ ବର୍ତ୍ତମାନ ପ୍ରାୟ ସାତ ହଜାର  ଭାଷା ପ୍ରଚଳିତ ବୋଲି ପରିସଂଖ୍ୟାନରୁ ଜଣାଯାଏ ।  ଏମାନଙ୍କ ମଧ୍ୟରୁ ୧୪୯୨ କୋଟି ଲୋକଙ୍କର କଥିତ ଭାଷା  ଇଂରାଜୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଦ୍ୱିତୀୟ  ସ୍ଥାନରେ ୧୧୧୮ କୋଟି ଲୋକଙ୍କର କଥିତ ଭାଷା ଚାଇନିଜ  ବା ମାଣ୍ଡାରିନ । ୨୦୨ କୋଟିରୁ ଉର୍ଦ୍ଧ ଭାରତୀୟ ଲୋକଙ୍କର  କଥିତ ଭାଷା ହିନ୍ଦୀ ତୃତୀୟ ସ୍ଥାନ ଅଧିକାର କରେ । ଏହି  ପରିସଂଖ୍ୟାନ ଅନୁସାରେ ଆମ ପ୍ରିୟ ମାତୃଭାଷାର ସ୍ଥାନ  ୭ମ ଓ ବ୍ୟବହାରୀଙ୍କ ସଂଖ୍ୟା ପାଞ୍ଚ କୋଟି ଏବଂ ଏହା  ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,  ଝାଡ଼ଖଣ୍ଡ, ଛତିଶଗଡ଼ ଓ ଇଣ୍ଡୋନେସିଆରେ କଥିତ ଭାଷା  ରୂପେ ପ୍ରଚଳିତ । ଏମାନଙ୍କ ମଧ୍ୟରେ ଭାଷା ସାହିତ୍ୟ ସୃଷ୍ଟିରେ  ପ୍ରାଚୀନତା ଓ ସମୃଦ୍ଧ ସାହିତ୍ୟ ପରମ୍ପରାକୁ ବିଚାରକୁ  ନେଇ ୬ଟି ଭାଷା- ସଂସ୍କୃତ, ଓଡ଼ିଆ, ତାମିଲ, ତେଲୁଗୁ,  ମାଲାୟଲମ୍‌ ଓ କନ୍ନଡ଼କୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ  କରାଯାଇଛି । ଏହି ୬ଟି ମଧ୍ୟରୁ ସଂସ୍କୃତ ହେଉଛି ଦେବଭାଷା,  କନ୍ନଡ଼, ତେଲୁଗୁ, ତାମିଲ ଓ ମାଲାୟଲମ୍‌ ହେଉଛନ୍ତି ଦ୍ରାବିଡ଼  ଭାଷା ଓ ଓଡ଼ିଆ ଭାଷା ହେଉଛି ଏକମାତ୍ର ଆର୍ଯ୍ୟଭାଷା । 

ଭରତମୁନି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ରଚନା  କରିଥିବା "ନାଟ୍ୟଶାସ୍ତ୍ର'ରେ ଓଡ଼ିଆକୁ ଏକ ବିଭାଷା  ରୂପେ ବର୍ଣ୍ଣନା କରି ଲେଖିଛନ୍ତି: "ଶକରା ଭୀର ଚାଣ୍ଡାଳ  ଶବର ଦ୍ରାବିଡୋଡ୍ରଜା, ଦିନ ବନେ ଚରଣାମ୍‌ ଚ ବିଭାସ  ସପ୍ତକୀର୍ତ୍ତିତାଃ । ଶୀକର, ଆଭୀର, ଚାଣ୍ଡାଳ, ଶବର, ଦ୍ରାବିଡ଼,  ଉଡ୍ର ଓ ଜନଚରମାନଙ୍କ ଭାଷା ହେଉଛି ଭରତ ମୁନିଙ୍କ  ମତରେ ସାତୋଟି ବିଭାଷା । ଖ୍ରୀଷ୍ଟପୂର୍ବ ୨୭୧ରେ ମୌର୍ଯ୍ୟ  ସମ୍ରାଟ ଅଶୋକ ଦୟାନଦୀ ତଟବର୍ତ୍ତୀ ଧଉଳି ନିକଟରେ  କଳିଙ୍ଗ ଯୁଦ୍ଧ ପରେ ତାର ଭୟବହତାରେ ମର୍ମାହତ ହୋଇ  ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧଧର୍ମର  ସତ୍ୟ ଓ ଅହିଂସା ନୀତିର ପ୍ରଚାର କରିଥିଲେ । ଧଉଳି ଗିରିର  ପ୍ରବେଶ ପଥରେ ଧର୍ମରାଜ ଅଶୋକ ତେରଟି ଶିଳାଲେଖ  ବ୍ରାହ୍ମୀ ଲିପିରେ ଖୋଦନ କରାଇ ଶାନ୍ତି ଓ ଅହିଂସାର ବାର୍ତ୍ତା  ପ୍ରଚାର କରିଥିଲେ । ବ୍ରାହ୍ମୀ ଲିପି କ୍ରମଶଃ ବିବର୍ତ୍ତିତ ହୋଇ  ଓଡ଼ିଆ ଲିପିରୁ ସୃଷ୍ଟି ହୋଇଛି । 

ବ୍ରାହ୍ମୀ ଲିପିରେ ବଳୟ  ଭିତରୁ ଗୁପ୍ତ ଓ ମାଗଧୀ (ପୂର୍ବ ମାଗଧୀ- ପ୍ରୋଟୋ ଓଡ଼ିଆ  ବା ବଙ୍ଗାଳୀ) ଲିପି ବାଟଦେଇ ଆଧୁନିକ ବର୍ତ୍ତୁଳ ଓଡ଼ିଆ ଲିପିର ଉଦ୍ଭବ ହୋଇଛି । ତେଣୁ ଅଶୋକଙ୍କ ଶିଳାଲେଖରୁ  ଓଡ଼ିଆ ଭାଷାର ଆଦିମ ସଂକେତ ପ୍ରାୟ ୨୩୦୦ ବର୍ଷ  ପୂର୍ବେ ଲିପିବଦ୍ଧ ଥିଲା ଓ ଏହା ଓଡ଼ିଆ ଭାଷାର ଆଦିମ  ଭାଷା ସମୃଦ୍ଧ ଭାଷା ପରମ୍ପରାର ପ୍ରମାଣ ପ୍ରଦାନ କରିଥାଏ । ଆନ୍ଧ୍ରପ୍ରଦେଶର ଉରଜାମ ଶିଳାଲେଖରେ ପ୍ରାଚୀନ ଓଡ଼ିଆ  ଶବ୍ଦାବଳୀ ଯଥା ମାଣିଚଙ୍କୁ (ମଣିଷଙ୍କୁ), ସହର୍ସ (ସହସ୍ର),  ମେଲାଣ (ମେଲଣ), ଶଣିବାରେ (ଶନିବାର), ସନମୁଖେଂ (ସମ୍ମୁଖେ) ଆଦି ଖ୍ରୀଷ୍ଟାବ୍ଦ ୧୦୫୧ରେ ଖୋଦିତ ହୋଇଥିଲା ।  

ଆଦିମ କାଳରୁ ଓଡ଼ିଆ ଭାଷା ଯଥାକ୍ରମେ ସଂସ୍କୃତ ଓ ପରେ  ପ୍ରାକୃତ, ପାଲି ପ୍ରଭୃତି ଭାଷାମାନଙ୍କରୁ ସୃଷ୍ଟି ହୋଇଛି । ଓଡ଼ିଆ  ଭାଷାର ମୂଳ ଭାରତୀୟ ଆର୍ଯ୍ୟଭାଷାରେ ଓ ତାର ମୂଳ  ଭାରତ ଇରାନୀ ଉତ୍ସଭାଷାରେ, ଉତ୍ସଭାଷା ଭାରତ ଇରାନୀରୁ  ଆସିଲେ ଇରାନୀ ପିଶାଚୀ ଓ ଭାରତୀୟ ଆର୍ଯ୍ୟଭାଷା । ଏହି  ଆର୍ଯ୍ୟଭାଷାରୁ ସୃଷ୍ଟି ପ୍ରାକୃତ ଓ ସଂସ୍କୃତ ଭାଷା ପ୍ରାକୃତରୁ  ଆସିଲେ ପ୍ରତିଚ୍ୟ ମଧ୍ୟଦେଶୀୟ କୋଶଳୀୟ ଦାକ୍ଷିଣାତ୍ୟ  ଭାଷା ଓ ମାଗଧୀ । ମାଗଧୀରୁ ପୁଣି ସୃଷ୍ଟି ହେଲା ଓଡ଼ିଆ,  ବଙ୍ଗଳା, ବିହାରୀ (ମଧ୍ୟମାଗଧୀ), ଅସମୀୟା (ପୂର୍ବମାଗଧୀ)  ଓ ଭୋଜପୁରୀ (ପଶ୍ଚିମ ମାଗଧୀ) । ଓଡ଼ିଆ ପ୍ରଥମେ ଶବର  ଅଧ୍ୟୁଷିତ, ପରେ ଦ୍ରାବିଡ଼ ଅଧ୍ୟୁଷିତ ଓ ଶେଷରେ ଆର୍ଯ୍ୟ  ଅଧ୍ୟୁଷିତ ହେଲା । ଉତ୍ପତ୍ତି ଦୃଷ୍ଟିରୁ ଉଡ୍ର, ଉତ୍କଳ ଓ କଳିଙ୍ଗ  ଶବ୍ଦ ଚାଷକାର୍ଯ୍ୟ ସହ ସଂପୃକ୍ତ ଥିବାରୁ କେତେକ ଏହାକୁ ଚଷା  ଜାତିର ଭାଷା ବୋଲି କହିଥାନ୍ତି । 

ପୃଥିବୀର ଏହି ଅନ୍ୟତମ ପ୍ରାଚୀନ ଦାମ୍ଭିକ ଓ ଭାଷା  ସମ୍ଭାରର ଗନ୍ତାଘର, ଓଡ଼ିଆ ଭାଷାର ବର୍ତ୍ତମାନର ସ୍ଥିତି  ଓ ସ୍ୱାଭିମାନ ସମ୍ପୂର୍ଣ୍ଣ ଅବସ୍ଥାରେ ନାହିଁ, ଏକଥା ଅନୁଭବ  କରିହେଉଛି ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ସୁରକ୍ଷା,  ସମୃଦ୍ଧି ଓ ଆଗକୁ ବଢ଼ାଇବା ପାଇଁ ସଂକ୍ଷେପରେ କେତେକ  ପରାମର୍ଶ ପ୍ରଦାନ କରାଗଲା । ମାତୃଭାଷାର ଶକ୍ତି ଅସୀମ,  ମାତୃଭାଷା ବିନା ମସ୍ତକରେ ଭାବନାର ବ୍ୟାଖ୍ୟାନ ହୋଇପାରେ  ନାହିଁ କି ଅନ୍ୟ ଭାଷାକୁ ଆୟତ୍ତ କରିବା ସମ୍ଭବ ନୁହେଁ । ଓଡ଼ିଆ  ଭାଷା ସୁରକ୍ଷାର ପ୍ରଥମ ପାହାଚ ହେଉଛି ପରସ୍ପର ମଧ୍ୟରେ  ନିଜ ମାତୃଭାଷାରେ ଭାବ ବିନିମୟ କରିବା । ମାତୃଭାଷାରେ  ହିଁ ଜଣେ ବ୍ୟକ୍ତି ସବୁଠାରୁ ଅଧିକ ସ୍ୱଚ୍ଛନ୍ଦରେ ଓ ସର୍ବାଧିକ  ଭାବ ବ୍ୟକ୍ତ କରିଥାଏ । ଖୁସିର କଥା, ଓଡ଼ିଆ ଭାଷାରେ ଶବ୍ଦ  ଭଣ୍ଡାର ଏତେ ବିଶାଳ ଯେ ସେଥିରେ ଭାବ ବ୍ୟକ୍ତ କରିବାରେ  କେହି କୌଣସି ପ୍ରକାର ଅଭାବ ଅନୁଭବ କରିବାର ଅବସର  ନାହିଁ³ ବରଂ ଅଧିକରୁ ଅଧିକ ଶବ୍ଦର ବ୍ୟବହାର ବଢ଼ିଲେ  ଆମେ ସ୍ୱଚ୍ଛନ୍ଦରେ ଭାବ ପରିପ୍ରକାଶ କରିପାରିବା । 

ଆହୁରି ମଧ୍ୟ ଜଣେ ଓଡ଼ିଆ ଭାଷୀ ତାର ନିଜ ଭାଷା  ମାଧ୍ୟମରେ ଯେବେ ରାଜ୍ୟ ଦେଶ ତଥା ବିଶ୍ୱର ଉପଲବ୍ଧ ସମସ୍ତ  ଜ୍ଞାନ ହାସଲ କରିପାରିଲେ ଓଡ଼ିଆ ଭାଷାର ପ୍ରକୃତ ଉନ୍ନତି  ସାଧନ ହୋଇପାରିବ । ଯଦି ସେ ଓଡ଼ିଆ ଭାଷା ମାଧ୍ୟମରେ ଦେଶ  ତଥା ପୃଥିବୀର ଇତିହାସ, ଦର୍ଶନ, ରାଜନୀତି ବିଜ୍ଞାନ, ସାହିତ୍ୟ,  କୃଷି, କାରିଗରୀ, ପଶୁପାଳନ ସମ୍ବନ୍ଧୀୟ ତଥ୍ୟ ପାଇପାରିବ  ତାହେଲେ ସେ ଓଡ଼ିଆ ଭାଷା ଉପରେ ନିର୍ଭର କରିପାରିବ ଓ  ବୋଧଗମ୍ୟ ପାଇଁ ଉପଯୁକ୍ତ ଅନୁବାଦକ ଆବଶ୍ୟକ । ଏସବୁର  ଅନୁବାଦରେ ସହାୟତା ପାଇଁ ଉପଯୁକ୍ତ ଅଭିଧାନ, ଭାଷାକୋଷ  ଠାରୁ ଆରମ୍ଭ କରି କମ୍ପ୍ୟୁଟରର ବିଭିନ୍ନ ସଫ୍‌ଟଓୟାର ଆବଶ୍ୟକ  ମୁତାବକ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ ।  ଓଡ଼ିଆ ଏକ ସମୃଦ୍ଧିଶାଳୀ ଓ ସଂସ୍କୃତିସଂପନ୍ନ ଭାଷା³ ଯାହାର  ଏକ ସ୍ୱତନ୍ତ୍ର ଲିପି ରହିଛି । କିନ୍ତୁ ପୃଥିବୀର ସବୁଠାରୁ ଅଧିକ  କଥିତ ଶକ୍ତିଶାଳୀ ଇଂରେଜୀ, ଜର୍ମାନ, ସ୍ପାନିସ, ଡ୍ୟାନିସ ଓ  ଜର୍ମାନ ଭାଷାର ନିଜସ୍ୱ ଲିପି ନାହିଁ ଓ ଏହି ଭାଷାଗୁଡିକ ରୋମାନ  ଲିପି ହିଁ ବ୍ୟବହାର କରନ୍ତି । ଆମ ଦେଶର ଉଭୟ ହିନ୍ଦୀ ଓ  ମରାଠୀ ନାଗରୀ ଲିପି ବ୍ୟବହାର କରନ୍ତି ଓ କୋଙ୍କଣୀ ଭାଷା  ଭିନ୍ନ ଭିନ୍ନ ଲିପି ବ୍ୟବହାର କରେ । ନିଜସ୍ୱ ଲିପି ଥିବା, ଅସୀମ  ଶବ୍ଦଭଣ୍ଡାରର ଗନ୍ତାଘର ଓଡ଼ିଆ ଭାଷାକୁ ସୁରକ୍ଷା ଦେବା କଷ୍ଟସାଧ୍ୟ  ବ୍ୟାପାର ନୁହେଁ, କେବଳ ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟର  ସହିତ ଏହି ଭାଷାର ପଠନ ଓ ଲିଖନର ଆବଶ୍ୟକତା ରହିଛି । 

ଆମ ସମସ୍ତଙ୍କୁ ମନେରଖିବାକୁ ପଡ଼ିବ କୌଣସି  ଭାଷାକୁ ଅତ୍ୟଧିକ ଅବହେଳା କଲେ ଭାଷା ମରିଯାଏ ଏବଂ  ଓଡ଼ିଆ ଭାଷାକୁ ଅବହେଳା କଲେ ଆସ୍ତେ ଆସ୍ତେ ଏହା  ମର୍ଯ୍ୟାଦା ହରାଇ ନିଶ୍ଚିହ୍ନ ହୋଇଯିବା କିଛି ବିଚିତ୍ର କଥା  ନୁହେଁ । ପୃଥିବୀରେ ବର୍ତ୍ତମାନ ୬୦୦୦ରୁ ଅଧିକ କଥିତ  ଭାଷା ମଧ୍ୟରୁ ଭାରତରେ ପ୍ରଚଳିତ ଭାଷା ସଂଖ୍ୟା ୧୫୦୦ ଓ  ଏଥିରୁ ପ୍ରତିବର୍ଷ କିଛି କିଛି ଭାଷା ନିଷ୍ପ୍ରଭ ହୋଇଯାଉଛନ୍ତି ।  ଗତ କିଛିବର୍ଷ ଭିତରେ ୫୦ଟି ଆଫ୍ରିକୀୟ ଭାଷା ମରିଗଲାଣି  ଏବଂ ତହିଁରୁ ତିନିଟି ଭାଷା କେନିୟାର । ୟୁନେସ୍କୋର ଏକ  ସର୍ବେକ୍ଷଣରୁ ଆକଳନ କରାଯାଇଛି, ଆଗାମୀ ୧୦୦ ବର୍ଷ  ଭିତରେ ଭାରତର ସମସ୍ତ ଭାଷା ମଧ୍ୟରୁ ଶତକଡ଼ା ୨-୩  ଭାଗ ଲୋପ ପାଇଯିବ । ଭାରତରେ ମଧ୍ୟ କେତେକ ଭାଷାର  ଏହି ପ୍ରକାର ଅବସ୍ଥା ଦେଖିବାକୁ ମିଳୁଛି । ଯେପରିକି ଓଡ଼ିଆ  ଭାଷାର ସମସାମୟିକ ପ୍ରାଚୀନ ମୈଥିଳୀ ଭାଷାରେ ମଧ୍ୟ  ଉଚ୍ଚକୋଟୀର ସାହିତ୍ୟ ଲେଖାଯାଇଥିଲା । ଏହି ଭାଷାର  ଦୁଇଟି ଉପଭାଷା- ଆଙ୍ଗିକା ଓ ବଜ୍ଜିକା ନିଜକୁ ସ୍ୱାଧୀନ ଭାଷା  କହି ଆଉ ମୈଥିଳୀ ଭାଷା କହିବାକୁ ରାଜି ହେଲେନାହିଁ,  ଫଳରେ ମୈଥିଳୀ ହିନ୍ଦୀ ଭାଷାର ଉପଭାଷା ହୋଇ  ରହିଗଲା । ଆମ ଓଡ଼ିଆ ଭାଷାର ଭବିଷ୍ୟତରେ ଯେ ଏପରି  ଅବସ୍ଥା ନଘଟିବ କହିହେବନାହିଁ । 

ଆମର ବିଶାଳ କୃଷି, ଖଣିଜ ଓ ଜଙ୍ଗଲ ସମ୍ପଦ,  ସୁଦୀର୍ଘ ବେଳାଭୂମି, ଆମ କଳା ସ୍ଥାପତ୍ୟର ମୂକସାକ୍ଷୀ  ରାଜାରାଣୀ, ଜଗନ୍ନାଥ, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର  ଓଡ଼ିଆ ଭାଷାଭାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ ।  ଆମର ଭାଷାସମ୍ଭାର, ଭାଗବତ, ରାମାୟଣ, ମହାଭାରତ,  ଚମ୍ପୁ, ଚଉତିଶା, ଛାନ୍ଦ, ପୁରାଣର ଅନେକ କଥା ନେଇ ଆମ  ବିଭବଶାଳୀ ଭାଷାକୁ ଅକ୍ଷୟ ରଖିବା ଆମର ଦାୟିତ୍ୱ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.