ଆମ ଦେଶ ସମଗ୍ର ବିଶ୍ୱର ତୃତୀୟ ବୃହତ୍ତମ ଇଲେକଟ୍ରନିକ ଉପକରଣର ବର୍ଜ୍ୟ ସୃଷ୍ଟି କରୁଥିବା ଦେଶ । ପ୍ରଥମ ହେଉଛି ଚୀନ, ଦ୍ୱିତୀୟ ହେଉଛି ଆମେରିକା । ଏହାର କାରଣ ଅଧିକାଂଶ ଇଲେକଟ୍ରିକ ଉପକରଣଗୁଡ଼ିକ ମରାମତିଯୋଗ୍ୟ ନୁହେଁ । ଯଦି ଖରାପ ହେଲା ତାକୁ ଫିଙ୍ଗିଦବା । ଫଳରେ ଅତି ଶସ୍ତାରେ ଯେଉଁ ଦେଶଗୁଡ଼ିକ ଆମ ଦେଶକୁ ରପ୍ତାନି କରୁଛନ୍ତି ଆମରି ଲୋକେ ତାକୁ ଅଧିକ ତତ୍ପରତାର ସହିତ କ୍ରୟ କରୁଛନ୍ତି । ୨/୩ ବର୍ଷ ନଯାଉଣୁ ସେଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହେଉଛି । ଏଭଳି ଭାବରେ ବର୍ଜ୍ୟ ଉତ୍ପନ୍ନ ହେଉଛି । ଆମ ଦେଶର କଞ୍ଜ୍ୟୁମର ଏଫାୟାର୍ସ ମନ୍ତ୍ରଣାଳୟ ମସୁଧା କରୁଛନ୍ତି ମୋବାଇଲ ଫୋନ୍ ଓ ଇଲେକଟ୍ରନିକ ଉପକରଣଗୁଡ଼ିକର ଗୋଟିଏ ରିପେୟାରେବ୍ଲ ଇଣ୍ଡେକ୍ସ ବା ମରାମତି ଯୋଗ୍ୟତାର ବର୍ଣ୍ଣନାକ୍ରମିକ ସୂଚୀ ପ୍ରସ୍ତୁତ କରିବା ପାଇଁ । ତାହା ସହିତ ସେହି ଉପକରଣଗୁଡ଼ିକୁ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକୁ ଉତ୍ସାହିତ କରିବାକୁ ଯେ ସେମାନେ ମରାମତିଯୋଗ୍ୟ ଉତ୍ପାଦଗୁଡ଼ିକୁ ଉତ୍ପାଦନ କରନ୍ତୁ । ସେଗୁଡ଼ିକ ଅତି ସହଜରେ ଓ ଅଳ୍ପ ଖର୍ଚ୍ଚରେ ଯେପରି ମରାମତି କରାଯାଇପାରିବ । ଏକଥା ସବୁ ଯଦି ଖାଉଟିମାନେ ଜାଣିପାରିବେ ତାହେଲେ ସେମାନେ ସେଇ ଅନୁସାରେ ଉପକରଣଗୁଡ଼ିକୁ ଖର୍ଦ୍ଦି କରି ବ୍ୟବହାର କରିବେ, ଯେଉଁଗୁଡ଼ିକ ଅତି ସହଜରେ ମରାମତି ହୋଇପାରୁଥିବ ।
ଏହି ସୂଚୀ ଅନ୍ୟ ଦେଶଗୁଡ଼ିକରେ ଚାଲୁରହିଥିବା ସୂଚୀ ଆଧାରରେ ପ୍ରସ୍ତୁତ ହେବ । ଏହି ସୂଚୀ ଆଧାରରେ ସେହି ଉପକରଣଗୁଡ଼ିକର ଦାମ୍ ନିର୍ଦ୍ଧାରିତ ହେବ । ଖାଉଟିଙ୍କ ସୂଚନା ପାଇଁ ସେଥିରେ ରହିଥିବା ଉପକରଣଟିର ଟେକ୍ନିକାଲ ଡକ୍ୟୁମେଣ୍ଟସ କେତେ ପରିମାଣରେ ଉପଲବ୍ଧ, କେତେ ସହଜରେ ଉପକରଣଟି ଭିତରେ ଥିବା ଯନ୍ତ୍ରାଂଶଗୁଡ଼ିକୁ ଖୋଲା ଯାଇପାରିବ, ସେଗୁଡ଼ିକର ସ୍ପେୟାର ପାର୍ଟସ କେତେ ସହଜରେ ଉପଲବ୍ଧ ହେବ ଇତ୍ୟାଦି । ତେଣୁ ଏହାକୁ ବାସ୍ତବାୟିତ କରିବା ପାଇଁ ଏକ ୱାର୍କସପ୍ର ଆୟୋଜନ କରାଯାଇଥିଲା ଓ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯେପରି ସେମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ ସ୍ଥିର କରିବାକୁ କେଉଁ କେଉଁ ପାରାମିଟରଗୁଡ଼ିକ ଆବଶ୍ୟକ ଯାହାକୁ ଆଧାର କରି ଗୋଟିଏ ଉପକରଣର ମରାମତି ଯୋଗ୍ୟତାର ସୂଚୀ ପ୍ରସ୍ତୁତ କରାଯାଇ ପାରିବ । ତାହା ସହିତ ସେହି ଉପକରଣଟିର ଡିଜାଇନର ଆୟୁ କେତେ ଓ କେଉଁଗୁଡ଼ିକ ସବୁ ମରାମତି ହୋଇପାରିବ, ଯାହାଦ୍ୱାରା ଖାଉଟିମାନଙ୍କୁ ସୂଚୀତ କରାଯିବ ଏ ବାବଦରେ ବିଚାର କରି ଖର୍ଦ୍ଦିକରିବା ପାଇଁ ।
ଏହାଫଳରେ ମୋବାଇଲ ଫୋନ୍ ବା ଅନ୍ୟ ଇଲେକଟ୍ରନିକ ଉପକରଣ ଯେଉଁଗୁଡ଼ିକୁ ସେମାନେ ବ୍ୟବହାର କରିବେ ତାହା ସେମାନଙ୍କ ଅର୍ଥ ଖର୍ଚ୍ଚର ଉପଯୁକ୍ତ କି ନୁହେଁ ତାହା ସେମାନେ ବିଚାର କରି ଖର୍ଦ୍ଦି କରିବେ । ଏସବୁ ତଥ୍ୟ ସେମାନଙ୍କ ପାଖରେ ଆଉ ଗୋପନୀୟ ହୋଇ ରହିବ ନାହିଁ, ମରାମତି ପାଇଁ ଉପଯୁକ୍ତ ଅର୍ଥ ବିନିଯୋଗ କରିବେ, ଠକିଯିବେ ନାହିଁ । ଖାଉଟି ସଚେତନତା ବୃଦ୍ଧି ସହିତ ସ୍ଥାନୀୟ ମରାମତି କରୁଥିବା କାରିଗରୀକୁ ପ୍ରୋତ୍ସାହିତ କରାଯାଇ ପାରିବ । ଏଥିରେ ସରକାର ଏତିକି ଅନ୍ତତଃ ସୁନିଶ୍ଚିତ କରିବେ ଯେପରି ଜେନୁଇନ ସ୍ପେୟାର ପାର୍ଟସ ଖାଉଟିମାନଙ୍କୁ ଉପଲବ୍ଧ ହେବ ସ୍ଥାନୀୟ ବଜାରରେ । ଆମ ଦେଶ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥାର ଦେଶ ହେବାକୁ ଯାଉଛି । ତେଣୁ ଆମ ଦେଶର ରହିବା ଆବଶ୍ୟକ ଏକ ପ୍ରାଣବନ୍ତ ପ୍ରଯୁକ୍ତିପ୍ରେମୀ ମରାମତି ସିଷ୍ଟମ । ଅମ ଦେଶ ହୋଇପାରିବ ମରାମତି କରିବାର ଏକ ବିଶାଳ ବଜାର । ଫ୍ରାନ୍ସ ହେଉଛି ପ୍ରଥମ ରାଷ୍ଟ୍ର ଏହି ରିପେୟାରେବ୍ଲ ସୂଚୀ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାରେ । ଏହାକୁ ଅନୁସରଣ କରିବାକୁ ଆରମ୍ଭ କରିଛନ୍ତି ଅନ୍ୟ ୟୁରୋପୀୟ ରାଷ୍ଟ୍ର ସମୁଦାୟର ରାଷ୍ଟ୍ରବୃନ୍ଦ ।
ଫ୍ରାନ୍ସର ଇଲେକଟ୍ରିକ ଓ ଇଲେକଟ୍ରୋନିକ ଉତ୍ପାଦଗୁଡ଼ିକର ସୂଚୀ ପ୍ରସ୍ତୁତ କରାଯାଇଛି ୫ଟି ଶ୍ରେଣୀର ଉପକରଣ ପାଇଁ । ତାହା ଭିତରେ ଅଛି ମୋବାଇଲ, ଲାପଟପ ଇତ୍ୟାଦି । ଏହାକୁ ଆଇନରେ ପରିଣତ କରାଯାଇଛି ୨୦୨୧ ମସିହା ଜାନୁଆରୀ ପହିଲାରୁ । ଏହାକୁ ପ୍ରସ୍ତୁତ କରାଯାଇଛି ସରକାରଙ୍କ ତରଫରୁ ଖାଉଟିଙ୍କୁ ଉତ୍ସାହିତ କରିବା ପାଇଁ, ଯେପରି ସେମାନେ ଅଧିକ ପରିମାଣରେ ମରାମତିଯୋଗ୍ୟ ଉପକରଣଗୁଡ଼ିକୁ କ୍ରୟ କରି ବ୍ୟବହାର କରିବେ, ଯାହାଫଳରେ ଇଲେକଟ୍ରନିକ ବର୍ଜ୍ୟ କମ୍ ପରିମାଣରେ ହେବ । ଏହି ଇଣ୍ଡେକ୍ସ ଆଧାରରେ ଗୋଟିଏ ଉତ୍ପାଦର ସ୍କୋର କେତେ ତାହା ସେହି ଉତ୍ପାଦ ମିଳୁଥିବା ଦୋକାନରେ ଉତ୍ପାଦ ପାଖରେ ଦର୍ଶାଯାଇପାରିବ । ସେହି ଇଣ୍ଡେକ୍ସ ବା ସୂଚୀ ପ୍ରସ୍ତୁତି ୫ଟି ଗୁଣକୁ ନେଇ ପ୍ରସ୍ତୁତ କରାଯାଇଛି ।
ଡକୁମେଣ୍ଟେସନ ବା ପ୍ରଲେଖନ ବା ଉପକରଣ ବାବଦରେ ଦଲିଲ ରଚନା, ପ୍ରଦର୍ଶନ ଓ ବ୍ୟବହାର, ଭିତର ପାର୍ଟସ ସବୁକୁ ପୃଥକ କରିବା, ସ୍ପେୟାର ପାର୍ଟସଗୁଡ଼ିକ କେଉଁଠି କିପରି ମିଳିବ, ସେଗୁଡ଼ିକର ମୂଲ୍ୟ କେତେ ଏବଂ ଗୋଟିଏ ଉପକରଣ ପାଇଁ ନିର୍ଦ୍ଦିଷ୍ଟ କିଛି ଜାଣିବା ଆବଶ୍ୟକ । ସେହିପରି ୫ଟି ଉତ୍ପାଦ ଉପରେ ଏହି ଇଣ୍ଡେକ୍ସ ଲାଗୁ କରାଯାଇଛି । ସେଗୁଡ଼ିକ ହେଲା- ସ୍ମାର୍ଟଫୋନ, ଲାପଟପ, ଟିଭି, ୱାସିଂମେସିନ ଓ ଲନ୍ରୁ ଘାସ କାଟିବା ଯନ୍ତ୍ର ।
ଫ୍ରାନ୍ସ ଅଧିବାସୀଙ୍କୁ ମଧ୍ୟ ଦିଆଯାଇଛି ଏହି ମରାମତି କରାଇବାର ଅଧିକାର । ପୁଣି ଅତ୍ୟଧିକ ମାନସ ମନ୍ଥନ ମଧ୍ୟ ଚାଲିଛି ଏହାକୁ କିପରି ଉନ୍ନତ କରାଯାଇ ପାରିବ । ଏହାକୁ ଅନୁସରଣ କରି ୟୁରୋପୀୟ ରାଷ୍ଟ୍ର ସମୁଦାୟ ମଧ୍ୟ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପାଇଁ ଏହାକୁ ଲାଗୁ କରାଇଛନ୍ତି । ଏବଂ ଭାକ୍ୟୁମ କ୍ଲିନରକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଗୋଟିଏ ମାତ୍ର ଉଦ୍ଦେଶ୍ୟ ଏହି ଇଲେକଟ୍ରନିକ ବର୍ଜ୍ୟକୁ ବହୁ ପରିମାଣରେ ହ୍ରାସ କରିବା ଏକ ସବୁଜ ବିଶ୍ୱ ପ୍ରତିଷ୍ଠା ପାଇଁ । ଏହି ଇଣ୍ଡେକ୍ସ କୁହାଯାଉଛି ଏକ ଶକ୍ତ ମାଇଲ ଖୁଣ୍ଟ ଅଧିବାସୀଙ୍କୁ ପ୍ରଦାନ କରାଯାଇଥିବା ମରାମତି କରାଇବାର ଅଧିକାରକୁ ନେଇ । ଏହାର ମଧ୍ୟ ଲିମିଟେସନ ଅଛି । ଅନେକ ଚାଲେଞ୍ଜ ବି ଅଛି । ଏହିସବୁକୁ ଅନୁସରଣ କରିବାକୁ ଚାହୁଁଛି ଆମ ଦେଶ, କାରଣ ବର୍ଜ୍ୟ ସାମଗ୍ରୀ ପର୍ବତ ସଦୃଶ ଜମା ହୋଇପଡ଼ିଛି ଆମ ଦେଶରେ ଓ ତାର କ୍ରମବର୍ଦ୍ଧମାନ ଘଟିଚାଲିଛି ।
ଏହି ଅଧିକାରର ମୂଳ କଥାଟି ହେଲା ନିର୍ମାତା ନିଜେ ନିଜ ଉତ୍ପାଦ ବାବଦରେ ଘୋଷଣାପତ୍ର ଦେବ କେତେ ସୁବିଧା ମୂଲ୍ୟରେ ଏକ ଉତ୍ପାଦ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି ଯାହାର ଉଚ୍ଚ ମାନର ଓ ତାର ପାର୍ଟସଗୁଡ଼ିକୁ ଅତି ସହଜ ଭାବରେ ସୁଲଭ ମୂଲ୍ୟରେ ଯୋଗାଇ ପାରୁଛି। ତେବେ ଏହି ନିର୍ମାତା ପ୍ରଦାନ କରିଥିବା ସ୍କୋରକୁ କିଏ ଯାଞ୍ଚ କରିପାରିବ? ଫ୍ରାନ୍ସର ମାର୍କେଟ ସର୍ଭେୟଲାନ୍ସ ଅଥରିଟି ଏହା ଯାଞ୍ଚ କରିପାରିବ । କିନ୍ତୁ ଏହି କର୍ତ୍ତୃପକ୍ଷଙ୍କ ପାଖରେ କ’ଣ ସେହି ଭାବରେ ଟେକ୍ନିକାଲ ନଲେଜ ଥିବ ଓ ଯାଞ୍ଚ ଉପକରଣ ଥିବ ସତ୍ୟାସତ୍ୟ ଜାଣିବା ପାଇଁ । ତେବେ ସେମାନଙ୍କୁ ସହଯୋଗ କରୁଛନ୍ତି କଞ୍ଜୁମର ପ୍ରୋଟେକ୍ସନ ଏଜେନ୍ସି ଓ ପରିବେଶବିତ ସମୁଦାୟ ।
ଏହି ଯାଞ୍ଚର ତଥ୍ୟସବୁ ଖାଉଟିମାନଙ୍କ ପାଇଁ ଖୋଲାଖୋଲି ଭାବରେ ଉପଲବ୍ଧ ନୁହେଁ । ତେବେ ସେହି ଉତ୍ପାଦର ମୂଲ୍ୟ ଏହି ଇଣ୍ଡେକ୍ସର ସ୍କୋର ଉପରେ ନିର୍ଭର କରେ । ପୁଣି ୨୦୨୪ ପହିଲା ଜାନୁଆରୀରୁ ଏହି ମରାମତି କରିବାର ସୂଚୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରାଯାଇଛି ଡ୍ୟୁରେବିଲିଟି ସୂଚୀ ଅର୍ଥାତ୍ ଏହି ଉପକରଣଟିର ଆୟୁ କେତେ । ତାହାକୁ ଉପକରଣଟିର ମରାମତି କରିବାର ସୂଚୀ ସହିତ ଏହା କେତେ ପରିମାଣରେ ନିର୍ଭରଯୋଗ୍ୟ ବା ରିଲାଏବିଲିଟି ଏହି ଦୁଇଟିକୁ ବିଚାରକୁ ନେଇ ଆୟୁ ବା ଡ୍ୟୁରେବିଲିଟି ପ୍ରସ୍ତୁତ କରାଯାଇଛି । ଏବେ ଆମ ସରକାର ଆରମ୍ଭ କରିଛନ୍ତି ରାଇଟ୍ ଟୁ ରିପେୟାର ପୋର୍ଟାଲ । ଏଥିରେ ସାମିଲ ହୋଇଛନ୍ତି ୬୩ଟି କମ୍ପାନୀ ଯାହା ଭିତରେ ଅଛନ୍ତି ୨୩ଟି ମୋବାଇଲ ଓ ଇଲେକଟ୍ରନିକ ସେକ୍ଟରର କମ୍ପାନୀ । ସରକାରଙ୍କ ଏହି ପ୍ରଚେଷ୍ଟା ହେଉଛି ବର୍ଜ୍ୟ ହ୍ରାସ କରିବା, ଉନ୍ନତ ମାନର ଉପକରଣ ଖାଉଟିଙ୍କୁ ଯୋଗାଇଦେବା ଓ ତୃତୀୟ ପକ୍ଷ ଭାବରେ ମରାମତି କରୁଥିବା କମ୍ପାନୀଙ୍କୁ ଯୋଡ଼ି ଏକ ସ୍ଥାୟୀ ବାତାବରଣ ସୃଷ୍ଟି କରିବା ଇଲେକଟ୍ରନିକ ମାର୍କେଟ ପାଇଁ ।
କିନ୍ତୁ ଏସବୁ ସମ୍ଭବ, ଯଦି କମ୍ପାନୀମାନେ ଉତ୍ପାଦଗୁଡ଼ିକୁ ଖୋଲାଖୋଲି ଭାବେ ଏସବୁ ତଥ୍ୟ ଦେଇ ମାର୍କେଟକୁ ଛାଡ଼ିବା ଉପରେ । ଯାହା ଜଣାଯାଏ, ଚୀନ ଭଳି ଦେଶଗୁଡ଼ିକ ନୂଆ ନୂଆ ଟେକନୋଲୋଜିରେ ପ୍ରସ୍ତୁତ ଉପକରଣଗୁଡ଼ିକୁ ଖର୍ଦ୍ଦି କରିନେଇ ତାର ପାର୍ଟସଗୁଡ଼ିକୁ ଖୋଲିଦେଇ ତନଖି କରି, ସେହି ସ୍ଥାନରେ ନିଜର କିଛି କିଛି ଶସ୍ତା ଉପକରଣ ଖଞ୍ଜିଦେଇ ମାର୍କେଟକୁ ଛାଡ଼ନ୍ତୁ- ନୂଆ ନାମ ଦେଇ ଓ ମେଡ୍ ଇନ୍ ଚାଇନା କରି । ଫଳରେ ସେଗୁଡ଼ିକ ଦୁଇ ବର୍ଷ ବା ତିନି ବର୍ଷ ଭିତରେ ଖରାପ ହୋଇଯାଏ । ସେଗୁଡ଼ିକ ଏକଦମ୍ ଅରିଜିନାଲ କମ୍ପାନୀର ଉତ୍ପାଦ ଭଳି ଦେଖାଯାଏ ଓ ଦାମ୍ ମଧ୍ୟ ବହୁତ କମ୍ ରହିଥାଏ । ତେଣୁ ଖାଉଟିମାନେ ସେଗୁଡ଼ିକୁ ପ୍ରଲୋଭିତ ହୋଇ କିଣି ନେଇଯାଆନ୍ତି । ଆମ ଦେଶର କମ୍ପାନୀମାନେ ସେତେ ପରିମାଣରେ ଉତ୍ପାଦ ପ୍ରସ୍ତୁତ କରି ବଜାରକୁ ଛାଡ଼ିପାରନ୍ତି ନାହିଁ । ଦାମ୍ ମଧ୍ୟ କମ୍ କରିପାରନ୍ତି ନାହିଁ ।
ତେଣୁ ମେଡ୍ ଇନ୍ ଚାଇନ ଉତ୍ପାଦଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଆମ ଦେଶରେ ଯେଉଁଠି ପାରେ ସେଇଠି ଉପଲବ୍ଧ ହୋଇଯାଉଛି । ଖାଉଟିମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯେପରି ଆବଶ୍ୟକ, ସେହିଭଳି ଆବଶ୍ୟକ କମ୍ପାନୀମାନଙ୍କର ଦାମ୍ ହ୍ରାସ ଓ ପର୍ଯ୍ୟାପ୍ତ ପରିମାଣରେ ବଜାରରେ ଉପଲବ୍ଧ କରାଇବାର ପ୍ରଚେଷ୍ଟା । ସରକାରଙ୍କର ଏ ବାବଦରେ ପ୍ରୟାସ ଆବଶ୍ୟକ । ଗତ ଏପ୍ରିଲ ୨୩ ତାରିଖରେ ୟୁରୋପିଆନ ପାର୍ଲାମେଣ୍ଟ ଅନେକ ବର୍ଷ ଧରି ବିଚାରବିମର୍ଶ କରିବା ପରେ ରାଇଟ୍ ଟୁ ରିପେୟାର ଡାଇରେକ୍ଟିଭକୁ ଆଡପ୍ଟ କରିଛି । ଏହା ଅଧିକାଂଶ ଶିଳ୍ପ ପ୍ରତି ଲାଗୁ ହୋଇଛି ଓ କିଛି ନୂତନ ବାଧ୍ୟବାଧକତା ଧାର୍ଯ୍ୟ କରାଯାଇଛି । ଏହା ହେଲେ ଶିଳ୍ପର ଓ ମରାମତି ବଜାରର ଏକ ନୂତନ ପରିବେଶ ସୃଷ୍ଟିହେବ ଓ ଆମ ଦେଶଜ ଉତ୍ପାଦଗୁଡ଼ିକ ପ୍ରତି ଗ୍ରାହକଙ୍କ ଆଗ୍ରହ ସୃଷ୍ଟି ହେବ।