ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ନୂଆ ସରକାରର ଏତେ ପ୍ରତିଶ୍ରୁତିକୁ ସମ୍ବଳ କାହିଁ ? ସୁଭଦ୍ରା, ଧାନ ଏମଏସ୍‌ପି ଓ ଭତ୍ତା ବୃଦ୍ଧି ପାଇଁ ଆବଶ୍ୟକ ୫୦ ହଜାର କୋଟି

ଭୁବନେଶ୍ୱର, ୦୫/୦୭: ସୁଭଦ୍ରା ଯୋଜନାକୁ ଅତି କମ୍‌ରେ ୨୫ ହଜାର କୋଟି । ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ପାଖାପାଖି ସାଢ଼େ ୬ ହଜାର କୋଟି । ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବାବଦରେ ୨୦ ହଜାର କୋଟି । ଏଇ ତିନିଟି ପ୍ରତିଶ୍ରୁତି ପୂରଣ କରିବାକୁ ପାଖାପାଖି ୫୦ ହଜାର କୋଟି ଟଙ୍କା ଦରକାର । ଆହୁରି ଅନେକ ପ୍ରତିଶ୍ରୁତି ବାକି ପଡ଼ିଛି ।  ଏତେ ଟଙ୍କା ଆସିବ କୁଆଡ଼ୁ?  ଏମିତି ଚିନ୍ତା ଘାରିଲାଣି ଓଡ଼ିଶାର ନୂଆ ସରକାରକୁ । ଦୁଃଶ୍ଚିନ୍ତା ମାଡ଼ି ବସିଲାଣି ଅର୍ଥ ବିଭାଗକୁ । କାରଣ ରାତାରାତି ରାଜ୍ୟର ରାଜସ୍ୱ ଆୟ ବଢ଼ିଯିବ ନାହିଁ ଯେ ସବୁ ପ୍ରତିଶ୍ରୁତିର ଖର୍ଚ୍ଚ ଭରଣା ହୋଇଯିବ । କେନ୍ଦ୍ରରୁ ବି ଅଧିକ ପାଣ୍ଠି ମିଳିବା ଆଶା କମ୍‌ । 

ମିଶାଣ ଫେଡ଼ାଣ ଆରମ୍ଭ ହୋଇଛି- କେଉଁ ଯୋଜନାକୁ କାଟିବେ ଆଉ କାହାକୁ ରଖିବେ । ଶେଷରେ ଋଣ ହିଁ ଭରସା । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ସବୁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରାଯିବ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କଲେ, ରାଜ୍ୟର କୌଣସି ସହରରେ ଛକ ଉପରେ ଆଉ ରେଡ୍‌ ଲାଇଟ୍‌ ରହିବ ନାହିଁ, ସବୁଠି ଓଭରବ୍ରିଜ୍‌ ହେବ । ବିଭିନ୍ନ ମନ୍ତ୍ରୀ ପ୍ରତିଦିନ କିଛି ନା କିଛି ଘୋଷଣା କରୁଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଦେଲେ ଯେ ରାଜ୍ୟରେ ମଦ ବିକ୍ରି ବନ୍ଦ ପାଇଁ ସରକାର ଚିନ୍ତା କରୁଛନ୍ତି । ଏତେ ପ୍ରତିଶ୍ରୁତି ପୂରଣ କରିବାକୁ ଟଙ୍କା ଆସିବ କୁଆଡ଼ୁ ସେକଥା ବୁଝାପଡ଼ୁ ନାହିଁ । ପ୍ରଥମ କ୍ୟାବିନେଟ୍‌ ବୈଠକରେ ମୋହନ ସରକାର ଦୁଇଟି ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରସ୍ତାବ ପାରିତ କରିଥିଲ । ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍‌ ମିଳିବ। ଦ୍ୱିତୀୟଟି ହେଉଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ।  

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି (ମଙ୍ଗଳବାର) କହିଛନ୍ତି, ଭତ୍ତା  ୧ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବଢ଼ିବ ।   ଏ ବାବଦରେ ୩ ହଜାର ୯୮୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଥିଲା ୨୦୨୪-୨୫ କାମଚଳା ବଜେଟ୍‌ରେ । ମଧୁବାବୁ ପେନ୍‌ସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ଓ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ୨୩ ଲକ୍ଷ, ଏମିତି ମୋଟ ୫୭ ଲକ୍ଷ ହିତାଧିକାରୀଙ୍କୁ ମିଳୁଛି ପେନ୍‌ସନ ।  ପରେ ଭତ୍ତା ୫୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ତତ୍‌କାଳୀନ ସରକାର । 

 ଖର୍ଚ୍ଚ ୬ ହଜାର ୮୦୦ କୋଟି ଟଙ୍କାକୁ ବଢ଼ି ଯାଇଥିଲା । ଏବେ ଏହା ତିନି ଗୁଣା ବଢ଼ି ୨୦ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଦେବେ । ଓଡ଼ିଶା ସରକାର ନିଜ ପକେଟରୁ ଆଉ ୮୦୦ ଟଙ୍କା ଅଧିକ ଦେବେ ଚାଷୀକୁ । ଗତ ଖରିଫ ଓ ରବି ଋତୁରେ ମୋଟ ୭୯ ଲକ୍ଷ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ବର୍ଦ୍ଧିତ ମୂଲ୍ୟରେ ଏହି ପରିମାଣର ଧାନ କିଣିବାକୁ ସରକାର ଆଉ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସୁଭ୍ରଦା ଯୋଜନା ହିସାବ ନିକାଶ ଅଖି ତରାଟି ଦେଲା ଭଳି । 

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟର ସବୁ ମହିଳାଙ୍କୁ ମିଳିବ । ଏହାର ଅର୍ଥ ଅତି କମ୍‌ରେ ୧ କୋଟି ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର କୋଟି ସହାୟତା ଯୋଗାଇ ଦେଲେ ବର୍ଷକୁ ୨୫ ହଜାର କୋଟି ଖର୍ଚ୍ଚ ହେବ ଏହି ଯୋଜନାରେ ।  

ଓଡ଼ିଶାର ମୋଟ ରାଜସ୍ୱ ଆୟ ୨ ଲକ୍ଷ ୪ ହଜାର କୋଟି ଟଙ୍କା । ୨୪-୨୫ ବଜେଟ ଆକଳନ ଅନୁସାରେ ରାଜ୍ୟର ନିଜସ୍ୱ ଟିକସ ସୂତ୍ରରୁ ୫୯ ହଜାର କେଟି ଟଙ୍କା ଆୟ ହେବ । ଅଣ ରାଜସ୍ୱ ସୂତ୍ରରୁ ୫୬ ହଜାର କୋଟି, କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ବାବଦରେ ୫୫ ହଜାର ୨୩୧ କୋଟି ଓ କେନ୍ଦ୍ରୀୟ ଅନୁଦାନରୁ ୩୩ ହଜାର ୭୬୮ କୋଟି ଟଙ୍କା ମିଳିବ ।  କୌଣସି ଗୋଟିଏ ବି ସମ୍ବଳ ସଂଗ୍ରହ ସୂତ୍ରରୁ ଆୟ ଅଚାନକ୍‌ ବଢ଼ିଯିବ ନାହିଁ । ବରଂ ମଦ ବିକ୍ରି ବନ୍ଦ ହେଲେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କାର ଅବକାରୀ ରାଜସ୍ୱ ହରାଇବାର ଆଶଙ୍କା ରହିଛି ।  

ଆୟକୁ ଦେଖି ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି । ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦରୁ କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା, ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର କୋଟି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ୩୯୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 

 ଏସବୁ ଖର୍ଚ୍ଚ କାଣ୍ଟଛାଣ୍ଟ କରିବା ଏକ ପ୍ରକାର ଅସମ୍ଭବ । କାର୍ଯ୍ୟକ୍ରମ ଅଥବା ଯୋଜନା ଖର୍ଚ୍ଚ କମ୍‌ କଲେ ବିକାଶ ବାଧାପ୍ରାପ୍ତ ହେବ । ବିଭିନ୍ନ କାର୍ଯ୍ୟରତ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି । ଏସବୁ ଅଧାରୁ ବନ୍ଦ କରିବା ବାଟ ନାହିଁ ।  ପ୍ରଶାସନିକ ଖର୍ଚ୍ଚର ସିଂହ ଭାଗ ଦରମା, ପେନ୍‌ସନ, ଋଣ ଓ ସୁଧ ପରିଶୋଧ ବାବଦରେ ବ୍ୟୟ ହେଉଛି, ଯାହା କମିବା ଅସମ୍ଭବ ।   ଏଭଳି ସ୍ଥିତିରେ ଏହି ତିନିଟି ଯୋଜନା ପାଇଁ ଅଧିକ ୫୦ ହଜାର କୋଟି ଟଙ୍କା କେଉଁଠୁ ଯୋଗାଡ଼ କରାଯିବ ସେକଥା ବୁଝି ପାରୁ ନାହିଁ ଅର୍ଥ ବିଭାଗ ।  

ଖର୍ଚ୍ଚ ଭରଣା ପାଇଁ ଏ ବର୍ଷ ସରକାର ପାଖାପାଖି ୪୦ ହଜାର କୋଟି ଟଙ୍କା ଋଣ ସୂତ୍ରରୁ ସଂଗ୍ରହ କରିବେ ବୋଲି ଆକଳନ କରିଥିଲେ । ଏଥିରୁ ଖୋଲା ବଜାରରୁ ଚଢ଼ା ସୁଧ ହାରରେ ୧୨ ହଜାର ୩୦୦ କୋଟି ଋଣ ଉଠାଯିବ ।  ସରକାରଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ହେଲେ ଋଣ ହିଁ ଏକମାତ୍ର ଭରସା । କିନ୍ତୁ ଏତେ ପରିମାଣର ଋଣ ଉଠାଇଲେ ବିତ୍ତୀୟ ଶୃଂଖଳା ଓଲଟ ପାଲଟ ହେବା ନିଶ୍ଚିତ । ବିତ୍ତୀୟ ନିଅଣ୍ଟ ଭୋଟ ଘରୋଇ ଉତ୍ପାଦରର ୩ ପ୍ରତିଶତକୁ ଲଂଘିଯିବ । ଋଣ ବୋଝ ବି ଅନେକ ଗୁଣରେ ବଢ଼ିଯିବ ବୋଲି ଅର୍ଥ ବିଭାଗର ଅଧିକାରୀମାନେ ଆଶଙ୍କା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.