ନୂଆଦିଲ୍ଲୀ ୦୩/୦୭: ଭାରତର ୩ୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ ସ୍ଥାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ସଦ୍ୟ ଅନୁସନ୍ଧାନ ଅନୁସାରେ, ବିକ୍ରମ ଲ୍ୟାଣ୍ଡର ଦ୍ୱାରା ମୁତୟନ ହୋଇଥିବା ଓ ତା’ର ନିର୍ଦ୍ଦେଶାନୁସାରେ କାମ କରୁଥିବା ରୋଭର ପ୍ରଜ୍ଞାନ ରିମ୍ ଚତୁପାଶ୍ୱର୍ରେ ପଡ଼ିଥିବା ଛୋଟ ଛୋଟ ପଥର ଖଣ୍ଡ, କାନ୍ଥ ସ୍ଲୋପ୍ ଏବଂ ଦକ୍ଷିଣାଞ୍ଚଳର ସୁଉଚ୍ଚ ଅବତରଣ ସ୍ଥଳୀରେ ଛୋଟ ଛୋଟ ଗର୍ତ୍ତର ଚଟାଣ ଚିହ୍ନଟ କରିଥିଲା ।
ସୂଚନାଯୋଗ୍ୟ, ଗୋଟିଏ ଚନ୍ଦ୍ର ଦିବସରେ ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ପ୍ରାୟ ୧୦୩ ମିଟର ଯାତ୍ରା କରିଥିଲା । ଅଧ୍ୟୟନ ଅନୁସାରେ, ‘ଶିବ ଶକ୍ତି ପଏଣ୍ଟ୍’ ନାମରେ ନାମିତ ସ୍ଥାନରେ ଚନ୍ଦ୍ରଯାନର ଅବତରଣ ପରେ ପ୍ରଜ୍ଞାନ ଉକ୍ତ ସ୍ଥାନର ପଶ୍ଚିମ ଆଡ଼କୁ ପ୍ରାୟ ୩୯ ମିଟର ଗତି କରିବାବେଳେ ଚିହ୍ନଟ କରିଥିବା ପଥର ଖଣ୍ଡଗୁଡ଼ିକର ସଂଖ୍ୟା ଓ ଆକାର ବୃଦ୍ଧି ହୋଇଥିଲା । ରିପୋର୍ଟ ଅନୁସାରେ, ଏହି ପଥର ଖଣ୍ଡଗୁଡ଼ିକ ପ୍ରାୟ ୧୦ ମିଟର ବ୍ୟାସଯୁକ୍ତ ଗର୍ତ୍ତ ମଧ୍ୟ ହୋଇପାରେ । ତନ୍ମଧ୍ୟରୁ ଦୁଇଟି ପଥର ଖଣ୍ଡ କ୍ଷୟ ହୋଇଥିବାର ପ୍ରମାଣ ମିଳିଥିଲା । ଏହା ମହକାଶ ଜଳବାୟୁ ଘଟଣା ସହ ସଂଶ୍ଲିଷ୍ଟ ବୋଲି ଇଙ୍ଗିତ କରୁଛି । ବିଶେଷଜ୍ଞଙ୍କ ଅନୁସାରେ, ଏହି ଫଳାଫଳ ଚନ୍ଦ୍ର ଓ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପ୍ରଦାନ କରିପାରେ । ଚନ୍ଦ୍ର ରିଗୋଲିଥ୍ର ଆଭ୍ୟନ୍ତରରେ ପଥର ଖଣ୍ଡଗୁଡ଼ିକର ଧୀରେ ଧୀରେ କ୍ଷୟକୁ ଏହା ଦର୍ଶାଇଛି । ସଦ୍ୟ ଆବିଷ୍କାର ମହାକାଶ, ଚନ୍ଦ୍ରପୃଷ୍ଠ ଓ ପୃଷ୍ଠର ସଂରଚନା ଉପରେ ବୈଜ୍ଞାନିକଙ୍କ ଜ୍ଞାନର ପରିସର ବୃଦ୍ଧି କରିବ ।
ସୂଚନାଯୋଗ୍ୟ, ଭାରତର ଚନ୍ଦ୍ରଯାନ-୩ ମିଶନ ଚନ୍ଦ୍ରରେ ଅନେକ ତତ୍ତ୍ୱର ଉପସ୍ଥିତି ସ୍ପଷ୍ଟ କରିଥିଲା । ପ୍ରଜ୍ଞାନ ରୋଭରରେ ସଂଲଗ୍ନ ଲେଜର୍-ଇନ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ଯନ୍ତ୍ର ଚନ୍ଦ୍ର ପୃଷ୍ଠରେ ସଲଫର୍ର ଉପସ୍ଥିତିକୁ ସ୍ପଷ୍ଟ କରିଥିଲା । ଏଥିସହ ଆଲୁମିନିୟମ୍, କ୍ୟାଲ୍ସିୟମ୍, ଲୌହ, କ୍ରୋମିୟମ୍, ଟିଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଓ ଅମ୍ଳଜାନ ବି ଚିହ୍ନଟ କରିଥିଲା । ୨୦୨୩ ମସିହା, ଅଗଷ୍ଟ ୨୭ ତାରିଖରେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ରେକର୍ଡ କରାଯାଇଥିଲା । ଚନ୍ଦ୍ର ତାପମାତ୍ରାରେ ହେଉଥିବା ପରିବର୍ତ୍ତନର ଏକ ଗ୍ରାଫ୍ ବି ଇସ୍ରୋ ଜାରି କରିଥିଲା । ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ରେକର୍ଡ ହୋଇଥିବା ଉଚ୍ଚ ତାପମାତ୍ରାକୁ ନେଇ ମଧ୍ୟ ଚକିତ ହୋଇଥିଲେ । ନିକଟରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ପରବର୍ତ୍ତୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୪ ବିଷୟରେ ଆଲୋଚନା କରିଥିଲେ । ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନ ଶିବ ଶକ୍ତି ପଏଣ୍ଟ୍ରୁ ଚନ୍ଦ୍ର ନମୁନା ପୃଥିବୀକୁ ଆଣିବା ଏହି ମିଶନର ଲକ୍ଷ୍ୟ ବୋଲି ସେ କହିଥିଲେ ।