ନୂଆଦିଲ୍ଲୀ: ଶନିବାର ହୋଇଥିବା ଏକ ଦୁର୍ଘଟଣାରେ ନେପାଳର ଉପମୁଖ୍ୟମନ୍ତ୍ରୀ ବିଷ୍ଣୁ ପ୍ରସାଦ ପୋଡେଲ ଓ ପୋଖରାର ମେୟର ଧନରାଜ ଆଚାର୍ଯ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଭୟେ ଏକ ସମାରୋହରେ ଯୋଗ ଦେଇଥିବା ବେଳେ ହାଇଡ୍ରୋଜେନ୍ ଗ୍ୟାସରେ ଭର୍ତ୍ତି ବେଲୁନ ଗୁଡିକରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ ତଥା ନେପାଳର ଅର୍ଥମନ୍ତ୍ରୀ ପୋଡେଲଙ୍କ ବ୍ୟତୀତ ପୋଖରାର ମେୟର ଧନରାଜ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟିବା ପରେ ଉଭୟ ନେତାଙ୍କୁ ବିମାନ ଯୋଗେ ରାଜଧାନୀ କାଠମାଣ୍ଡୁରେ ଥିବା ଏକ ଡାକ୍ତରଖାନାକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ସୂଚନା ମୁତାବକ ଉଭୟ ନେତା ବର୍ତ୍ତମାନ ବିପଦ ବାହାରେ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ଉପ-ପ୍ରଧାନମନ୍ତ୍ରୀ ପୋଡେଲ 'ପୋଖରା ବର୍ଷ ପରିଦର୍ଶନ' କର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଯୋଗଦେବା ପାଇଁ ପୋଖରା ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମେୟର ଧନରାଜ ମଧ୍ୟ ଉପସ୍ଥିତ ଥିଲେ।
ପୋଖରା ମେୟରଙ୍କ ବ୍ୟକ୍ତିଗତ ସଚିବ ପୁନ୍ ଲାମା କହିଛନ୍ତି ଯେ ଉଦ୍ଘାଟନୀ ସମାରୋହ ଆରମ୍ଭ ହେବା ସମୟରେ ହଠାତ ନିକଟରେ ଥିବା କେତେକ ବେଲୁନ୍ ଫାଟିଯାଇଥିଲା। ବେଲୁନ୍ ଗୁଡିକ ହାଇଡ୍ରୋଜେନ ଗ୍ୟାସରେ ଭରାଯାଇଥିଲା ଏବଂ ଫାଟିବା ମାତ୍ରେ ବେଲୁନ ଗୁଡିକରେ ନିଆଁ ଲାଗିଯାଇଥିଲା। ପାଖରେ ବସିଥିବା ଉପମୁଖ୍ୟମନ୍ତ୍ରୀ ପୋଡେଲଙ୍କ ବ୍ୟତୀତ ଅନ୍ୟ ଲୋକମାନେ ଏଥିରେ ସାମାନ୍ୟ ଜଳି ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ପୋଡେଲ ଏବଂ ମେୟର ଧନରାଜଙ୍କୁ କାଠମାଣ୍ଡୁକୁ ବିମାନ ଯୋଗେ ଏୟାରଲିଫ୍ଟ କରାଯାଇଥିଲା। ତେବ ବର୍ତ୍ତମାନ ଉଭୟ ବିପଦରୁ ମୁକ୍ତ ଅଛନ୍ତି ବୋଲି ସେ କହିଛନ୍ତି।
ଏକ ସ୍ୱୟଂଚାଳିତ ସୁଇଚ୍ ପ୍ରଜ୍ୱଳିତ ହୋଇଯିବାରୁ ଏହି ହାଇଡ୍ରୋଜେନ୍ ଭର୍ତି ବେଲୁନ୍ ରେ ବିସ୍ଫୋରଣ ଘଟିଥିବା ଜଣାଯାଇଛି। ତେବେ ଏହି ଘଟଣା ସତ୍ତ୍ୱେ ପୋଖରା ଯାତ୍ରା ବର୍ଷର ଉଦ୍ଘାଟନୀ ସମାରୋହ ଜାରି ରହିଥିଲା।