ନୂଆଦୀଲ୍ଲି: ନେପାଳର ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ 'ପରିଦର୍ଶନ ପୋଖରା ବର୍ଷ ୨୦୨୫' ରେ ଘଟିଥିବା ଦୁର୍ଘଟଣା ପାଇଁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ୧୫ ଫେବୃଆରୀରେ ଏହି ଉତ୍ସବର ଉଦ୍ଘାଟନ ସମୟରେ ହାଇଡ୍ରୋଜେନ ଗ୍ୟାସ ଭର୍ତ୍ତି ବେଲୁନ୍ ଫାଟି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ନେପାଳର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ବିଷ୍ଣୁ ପାଉଡେଲ ସାମାନ୍ୟ ଆହତ ହୋଇଥିଲେ। ବେଲୁନରେ ହାଇଡ୍ରୋଜେନ ଗ୍ୟାସ ଭରିବା ପାଇଁ ଅଭିଯୁକ୍ତ କମଲେଶ କୁମାର ଦାୟୀ ଥିବାରୁ ତାକୁ ଗିରଫ କରାଯାଇଛି ବୋଲି ନେପାଳ ପୋଲିସ ସୂଚନା ପ୍ରଦାନ କରିଛି।
'ପୋଖରା ବର୍ଷ ୨୦୨୫ ପରିଦର୍ଶନ'ର ଉଦଘାଟନ ସମୟରେ ବେଲୁନରେ ହାଇଡ୍ରୋଜେନ୍ ଗ୍ୟାସ୍ ଭରିବା ଦାୟିତ୍ୱରେ ଥିବା ୪୧ ବର୍ଷିୟ କମଲେଶ କୁମାରଙ୍କୁ ଗିରଫ କରାଯାଇଛି ବୋଲି ନେପାଳର ଡେପୁଟି ପୋଲିସ୍ ଅଧୀକ୍ଷକ କମଲେଶ କୁମାର କହିଛନ୍ତି।
ସୂଚନା ମୁତାବକ, ଫେବୃଆରୀ ୧୫ ତାରିଖରେ ଉପ-ପ୍ରଧାନମନ୍ତ୍ରୀ ପାଉଡେଲ ଏବଂ ପୋଖରା ମହାନଗର ନିଗମ ମେୟର ଧନରାଜ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନି ସମାରୋହରେ ଉଭୟେ ଇଲେକ୍ଟ୍ରିକ୍ ସୁଇଚ୍ ସହିତ ମହମବତୀ ଜଳାଇ ହାଇଡ୍ରୋଜେନ୍ ଗ୍ୟାସରେ ଭର୍ତି ହୋଇଥିବା ବେଲୁନ୍ ଗୁଡିକୁ ଆକାଶକୁ ଉଡାଇ ଥିଲେ। ତେବେ ତାହା ମଧ୍ୟରୁ ହଠାତ୍ କିଛି ବେଲୁନ ଫାଟିଯାଇଥିଲା। ବେଲୁନରେ ହାଇଡ୍ରୋଜେନ ଗ୍ୟାସ ଭର୍ତ୍ତି ହୋଇଥିବାରୁ ହଠାତ୍ ନିଆଁ ଲାଗିଯାଇଥିଲା। ପାଉଡେଲ ଏବଂ ଆଚାର୍ଯ୍ୟଙ୍କ ନିକଟରେ ବେଲୁନ ଫାଟିଯିବାରୁ ସେମାନଙ୍କ ହାତ ଓ ମୁହଁରେ ସାମାନ୍ୟ ଆଘାତ ଲାଗିଥିଲା। ତେବେ ମହମବତୀ ଅତି ନିକଟରେ ଥିବାରୁ ବେଲୁନରେ ହଠାତ୍ ନିଆଁ ଲାଗିଯାଇଥିଲା ବୋଲି ପୋଲିସର ସୂଚନା ପ୍ରଦାନ କରିଛି।
କମଲେଶଙ୍କ ବିରୋଧରେ କାସ୍କି ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ ହୋଇଛି ବୋଲି ଡିଏସପି ଶର୍ମା କହିଛନ୍ତି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ପାଉଡେଲ ଓ ଆଚାର୍ଯ୍ୟଙ୍କୁ ଏୟାର ଲିଫ୍ଟ କରାଯାଇ କାଠମାଣ୍ଡୁର କିର୍ତ୍ତୀପୁର ବର୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାୟାଇଥିଲା। ତେବେ ଗତ ସୋମବାର ଦିନ ତାଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ଆଚାର୍ଯ୍ୟଙ୍କୁ ଆଉ କିଛି ଦିନ ଚିକିତ୍ସାରେ ରହିବାକୁ ପଡିବ ବୋଲି ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଛି।