ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ଗୁରୁବାର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଏବଂ ଏନଡିଏ ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ଉତ୍ସବ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ନେତା ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଗାମୀ ୨ ବର୍ଷ ମଧ୍ୟରେ, ଯେଉଁଠି ଯେଉଁଠି ନିର୍ବାଚନ ହେବ, NDA ବିରୋଧୀଙ୍କୁ ପରାସ୍ତ କରିବ।
ସୂଚନା ଅନୁଯାୟୀ, NDA ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, NDA ଏକଜୁଟ ଅଛି ଏବଂ ଆମେ ସମସ୍ତେ ଏକ ବିକଶିତ ଭାରତ ପାଇଁ କାମ କରିବୁ ଏବଂ ଏକାଠି ଏହି ଲକ୍ଷ୍ୟ ହାସଲ କରିବୁ। ସୂଚନା ଅନୁଯାୟୀ, ବୈଠକରେ NDA ନେତା ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରି, NDA ପ୍ରତ୍ୟେକ ନିର୍ବାଚନରେ ଜିତିବ।
ତେବେ ୨୦୨୫ ମସିହା ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୬ ମସିହାରେ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ, ୨୦୨୭ ମସିହାରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।