ପ୍ରମୂଖ ଖବର
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Published By : Prameya | April 24, 2025 7:45 AM

ଭୁବନେଶ୍ୱର/ପୁରୀ,୨୪/୦୪: ଗୁରୁବାର ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଏବଂ ସୁଭଦ୍ରା ଟଙ୍କା ବଣ୍ଟନ କରିବେ । ଏଥିପାଇଁ  ପୁରୀରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ ।  

ସେହିଭଳି ମଙ୍ଗଳବାର ବିହାର ମଧୁବନି ଜିଲ୍ଲାର ଲୋହନା ଉତ୍ତର  ଗ୍ରାମପଞ୍ଚାୟତଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ । ଏହି ଜାତୀୟସ୍ତରର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ପଞ୍ଚାୟତିରାଜ ଦିବସ ଅବସରରେ ସମସ୍ତ ପଞ୍ଚାୟତରେ ବସିବ ଗ୍ରାମସଭା । ପ୍ରଧାନମନ୍ତ୍ରୀ ଜାତୀୟ କାର୍ଯ୍ୟକ୍ରମରୁ ଗ୍ରାମସଭାକୁ ସମ୍ବୋଧିତ କରିବେ । ସାଢ଼େ  ୧୩ ହଜାର କୋଟିର ଭିତ୍ତିଭୂମି ପ୍ରକଳ୍ପକୁ ଲୋକାର୍ପଣ କରିବେ । ସ୍ୱତନ୍ତ୍ର  ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ । ଓଡ଼ିଶା  ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।  ମୟୂରଭଞ୍ଜ ହାଟବଦ୍ରା ପଞ୍ଚାୟତ ଆତ୍ମନିର୍ଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ସ୍ଥାନ  ହାସଲ କରି ପୁରସ୍କୃତ ହେବ । ସେହିପରି ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ  ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ମନେନୀତ ହୋଇଛି । 

ପୂର୍ବରୁ ବିଜୁ ବାବୁଙ୍କ ଜନ୍ମଦିନ  (ମାର୍ଚ୍ଚ ୫)ରେ ପଞ୍ଚାୟତିରାଜ  ଦିବସ ପାଳନ ହେଉଥିଲା । ନୂଆ  ସରକାର ଆସିବା ପରେ ତାରିଖ  ବଦଳାଇ ଏପ୍ରିଲ ୨୪ ଜାତୀୟ ପଞ୍ଚାୟତିରାଜ ଦିବସରେ ପଞ୍ଚାୟତିରାଜ ଦିବସ  ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ମହିଳାମାନେ ଗତ ମାର୍ଚ୍ଚ ୩୧ ସୁଦ୍ଧା  ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ  ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ କରିବା  ଅବସରରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ଏକକାଳୀନ  ପ୍ରଦାନ କରାଯିବ । ସେହିଭଳି ରାସନକାର୍ଡ ପାଇଁ ଦୀର୍ଘଦିନ ହେବ ଅପେକ୍ଷା କରିଥିବା  ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ୯୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ  କରାଯାଇଛି । ପଞ୍ଚାୟତିରାଜ ଦିବସରୁ ନୂଆ ରଙ୍ଗୀନ କାର୍ଡ ବଣ୍ଟନ କରାଯିବ ।  

ଏଥିପାଇଁ ବ୍ଲକ ଓ ପୌରାଞ୍ଚଳରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯିବ । ପୁରୀରେ  ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ  ନାଏକ, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଯୋଗାଣ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅତିଥି ଭାବେ ସାମିଲ ହେବେ । କେନ୍ଦ୍ରାପଡ଼ାରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ, କୋରାପୁଟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କଟକରେ  ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବଲାଙ୍ଗୀରରେ ସ୍ୱାସ୍ଥ୍ୟମନ୍ତ୍ରୀ  ମୁକେଶ ମହାଲିଙ୍ଗ, ଖୋର୍ଦ୍ଧାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,  ଢେଙ୍କାନାଳରେ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶୀରାମ ସିଂ ଖୁଣ୍ଟିଆ, ଜଗତସିଂହପୁରରେ  ସମବାୟ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ନୟାଗଡ଼ରେ ଶିଳ୍ପ  ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । 

ଉଲ୍ଲେଖଯୋଗ୍ୟ, ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ଜଳବାୟୁ ପ୍ରଶମନ ପଦକ୍ଷେପ  ଏବଂ ନିଜସ୍ୱ ରାଜସ୍ୱ ଉତ୍ସ ଜରିଆରେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ନିମନ୍ତେ  କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପୁରସ୍କୃତ କରିବ । ଏହାଛଡ଼ା ଦୀର୍ଘସ୍ଥାୟୀ ବିକାଶ  ଲକ୍ଷ୍ୟ (ଏଲ୍‌ଏସ୍‌ଡିଜି) ସହ ଯୋଡ଼ି ହୋଇ ରହିଥିବା ପଞ୍ଚାୟତଗୁଡ଼ିକର କ୍ଷମତା  ନିର୍ମାଣ ପାଇଁ ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ଅବସରରେ ପୁରସ୍କାର ପ୍ରଦାନ  କରାଯିବ । ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ୬ କେନ୍ଦ୍ରମନ୍ତ୍ରୀ ଯୋଗଦେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.