ନୂଆଦିଲ୍ଲୀ ୧୧/୦୪: ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୧% ହାରରେ ବଢ଼ିବ । ମୁଡିସ୍ ରେଟିଙ୍ଗ୍ସ ଗୁରୁବାର ଭାରତୀୟ ଅର୍ଥନୀତି ପାଇଁ ଏହାର ଅଭିବୃଦ୍ଧି ଅନୁମାନକୁ ଖସାଇଛି । ପୂର୍ବରୁ ଏହା ୬.୪% ଅନୁମାନ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କନୀତି ଯୋଗୁ ମୁଡିସ୍ ଏହାର ପୂର୍ବାନୁମାନକୁ ସଂଶୋଧିତ କରିଛି । ଏହା ପ୍ରକାଶ କରିଛି ଯେ, ହୀରା, ପୋଷାକ ଏବଂ ମେଡିକାଲ ଉପକରଣଗୁଡ଼ିକ ଉପରେ ଶୁଳ୍କ ଦ୍ୱାରା ରପ୍ତାନି ଖସିବାର ଆଶଙ୍କା ରହିଛି । ଏହାଦ୍ୱାରା ଆମେରିକା ସହ ବାଣିଜ୍ୟ ନିଅଣ୍ଟ ବଢ଼ିପାରେ । ମୁଡିସ୍ ପ୍ରକାଶ କରିଛି ଯେ, ଟାରିଫ୍ ଉପରେ ଟ୍ରମ୍ପଙ୍କ ୯୦ ଦିନର ସ୍ଥଗିତାଦେଶ ଦ୍ୱାରା କିଛିଟା ଆଶ୍ୱସ୍ତି ମିଳିପାରେ କିନ୍ତୁ ଟାରିଫ୍ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବା ଦ୍ୱାରା ଭାରତର ଜିଡିପି ଅଭିବୃଦ୍ଧି ୦.୩% ପର୍ଯ୍ୟନ୍ତ ଖସିବ ।
ଆର୍ଥିକବର୍ଷ ୨୦୨୫-୨୬ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୫% ହାରରେ ବଢ଼ିବ । ଏହା ୨୦୨୪-୨୫ର ୬.୩% ଅଭିବୃଦ୍ଧି ଅନୁମାନ ତୁଳନାରେ ଅଧିକ । ମୁଡିସ୍ ରିପୋର୍ଟ ଅନୁସାରେ, ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବେ । ଏହାବ୍ୟତୀତ ଟିକସ ଏବଂ ସୁଧ ହାରରେ ହ୍ରାସ ଦ୍ୱାରା ଖର୍ଚ୍ଚ ବଢ଼ିବ, ଯାହା ଅଭିବୃଦ୍ଧିକୁ ସହାୟକ ହେବ । ଏହି ଅବଧିରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସ୍ଥିରତା ରହିବ । ଭାରତୀୟ ବ୍ୟାଙ୍କଗୁଡ଼ିକର ପରିଚାଳନାଗତ ପରିବେଶ ଆସନ୍ତା ଆର୍ଥିକବର୍ଷରେ ଅନୁକୂଳ ରହିବ କିନ୍ତୁ ଗତ ବର୍ଷରେ ଜରୁରୀ ସୁଧାର ପରେ ବ୍ୟାଙ୍କଗୁଡ଼ିକର ଆସେଟ୍ ମାନରେ ହ୍ରାସ ଦେଖାଦେବ ।
ଆର୍ଥିକବର୍ଷ ୨୦୨୪-୨୫ର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୨% ରହିଥିଲା । ବର୍ଷେ ତଳେ ସମାନ ଅବଧିରେ ଏହା ୮.୪% ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ଫେବ୍ରୁଆରୀ ୨୮ରେ ଏହି ତଥ୍ୟ ଜାରି କରିଛି । ୨୦୨୪-୨୫ ଆର୍ଥିକବର୍ଷରେ ଅର୍ଥନୀତି ୬.୫% ହାରରେ ବଢ଼ିବାର ଅନୁମାନ ରହିଛି । ଏହାପୂର୍ବରୁ ଜାନୁଆରୀରେ ଜାରି କରାଯାଇଥିବା ଅନୁମାନରେ କୁହାଯାଇଥିଲା ଯେ, ୨୦୨୪-୨୫ରେ ଭାରତର ବିକାଶ ହାର ୬.୪% ରହିବ, ଯାହାକି ୪ ବର୍ଷର ସର୍ବନିମ୍ନ ସ୍ତର । ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୮.୨% ଥିଲା ।