ଢାକା,୯।୪: ବାଲାଂଦେଶରେ ପୁଣି ହିଂସା। ଏଥର ଏହି ହିଂସ୍ରକ ପ୍ରଦର୍ଶନ ରାଜଧାନୀ ଢାକା ସହ ଆଉ କିଛି ସହରରେ ଦେଖିବାକୁ ମିଳିଛି। ତେବେ ପ୍ରାୟ ୭ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ପ୍ରଦର୍ଶନର ଅପେକ୍ଷା ଏହି ଆନ୍ଦୋଳନର ପ୍ରସଙ୍ଗ ଅଲଗା। ଏଥର ବାଂଲାଦେଶରେ ଅଶାନ୍ତି କାରଣ ଇସ୍ରାଏଲ,ଏହି କାରଣରୁ ସେ ଭଙ୍ଗାରୁଜା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଚର୍ଚ୍ଚା ହେଉଛି ଯେ, ବାଂଲାଦେଶରେ ବହୁ ଅନ୍ତର୍ଜାତୀୟ କମ୍ପାନୀର ଆଉଟଲେଟକୁ ଟାର୍ଗେଟ କରାଯାଇଛି।
ବାଂଲାଦେଶରେ ସୋମବାରଠାରୁ ଇସ୍ରାଏଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏହାର କାରଣ ହେଉଛି ଗାଜାରେ ଇସ୍ରାଏଲୀ ସେନାର ସାମରିକ ଅଭିଯାନ, ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଜୀବନ ଯାଇସାରିଛି। ଏହା ବିରୋଧରେ ବାଂଲାଦେଶରେ ଲୋକେ ସଡକରେ ପ୍ରଦର୍ଶନ କରୁଛନ୍ତି। କେବଳ ସେତିକି ନୁହେଁ, ଏହି ଲୋକେ ଇସ୍ରାଏଲ ସହ ଜଡିତ ଉତ୍ପାଦର ବୟକଟ୍ କରିବା ପାଇଁ ମଧ୍ୟ ସ୍ବର ଉଠାଇଛନ୍ତି।
ଇସ୍ରାଏଲୀ ଉତ୍ପାଦ ବିରୋଧରେ ଲୋକେ ଉଠାଇଛନ୍ତି ସ୍ବର। ଏହି କାରଣରୁ ଅନ୍ତର୍ଜାତୀୟ ବ୍ରାଣ୍ଡର ଆଉଟଲେଟ୍ରେ ବିରୋଧ କ୍ରମେ ହିଂସାରେ ବଦଳି ଯାଇଥିଲା। ବିଶେଷ ଭାବରେ ଯୋତା ତିଆରି କରୁଥିବା କମ୍ପାନୀ ବାଟା, ଖାଦ୍ୟ-ପାନୀୟ କମ୍ପାନୀ କେଏଫ୍ସି ଓ ପିଜା ହଟ୍ ଭଳି ବ୍ରାଣ୍ଡ ଲୋକଙ୍କ ଅସନ୍ତୋଷର ସାମନା କରୁଛି। ଇସ୍ରାଏଲ ସହ ଜଡିତ ଥିବା ନେଇ ଆଶଙ୍କା କରି ଲୋକମାନେ ଏହି ହମଲା କରିଛନ୍ତି। ବାଂଲାଦେଶୀ ଖବରକାଗଜ ଢାକା ଟ୍ରିବ୍ୟୁନ୍ର ସୂଚନା ଅନୁସାରେ, ପ୍ରଦର୍ଶନ ବେଳେ ବହୁ ସ୍ଥାନରେ ଲୋକେ ହିଂସ୍ର ହୋଇ ପଡିଛନ୍ତି। ବହୁ ଷ୍ଟୋରରେ ସେମାନେ ଭଙ୍ଗାରୁଜା କରିଥିଲେ।