ବାରିପଦା,୨୯/୩(ଆପ୍ର): ଦୀର୍ଘ ୭ବର୍ଷ ପରେ ନିଜ ପରିବାର ନିକଟକୁ ଫେରିଲା ଝିଅ। ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହାୟତାରେ ଝାଡଖଣ୍ଡ ଜାମସେଦପୁରରେ ରହୁଥିବା ପରିବାର ନିକଟକୁ ଝିଅ ଫେରି ଆସିବା ପରେ ଖୁସିରେ ସମଗ୍ର ପରିବାର ଆତ୍ମହରା ହୋଇ ଉଠିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି ।
ସୂଚନା ମୁତାବକ ଗତ ୨୦୧୮ ମସିହାରେ ମୟୂରଭଞ୍ଜ ଝାଡ଼ଖଣ୍ଡ ସୀମାନ୍ତ ଝରାଡିହି ଠାରୁ ଏକ ୬ବର୍ଷର ଝିଅକୁ ସ୍ଥାନୀୟ ଝରାଡିହି ପୁଲିସ ଉଦ୍ଧାର କରି ଚାଇଲ୍ଡଲାଇନ୍ ସବ୍ସେଣ୍ଟରକୁ ହସ୍ତାନ୍ତର କରିଥିଲା। ଚାଇଲ୍ଡ ଲାଇନ୍ ତରଫରୁ ସେହି କୁନି ଝିଅଟିକୁ ମୟୂରଭଞ୍ଜ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଗଲା। ପରେ ତାକୁ ବାରିପଦାର ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ସ୍ଥାନୀୟ ବିଦ୍ୟାଳୟରେ ତାର ଶିକ୍ଷା ଆରମ୍ଭ କରାଗଲା। ସେତେବେଳେ ପିଲାଟି ଅତ୍ୟନ୍ତ ଛୋଟ ହୋଇଥିବାରୁ ସେ ତା ନାମ ବେବୀ ପାତ୍ର ବ୍ୟତୀତ ଆଉ କିଛି କହିପାରୁ ନଥିଲା। ତେଣୁ ପିଲାଟିର ପରିବାର ସହିତ କୌଣସି ଯୋଗାଯୋଗ ସମ୍ଭବ ନଥିଲା। ଇତି ମଧ୍ୟରେ ବେବୀ ପ୍ରଥମରୁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ତା ବାପା ମାଆ କିଏ ଏବଂ ଘର କେଉଁଠି ପଚାରିବା ପରେ ନିକଟରେ ସେ ତାର ଘର ଜାମସେଦପୁର ବୋଲି କହିବା ସହିତ ସେଠାକୁ ନେଇଗଲେ ସେ ଘର ଚିହ୍ନାଇଦେବ ବୋଲି କହିଥିଲା। ଏହାଶୁଣି ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଏବଂ ଶିଶୁ ମଙ୍ଗଳ ସମିତି ପକ୍ଷରୁ ବେବୀର ଘର ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଯୋଜନା ମୁତାବକ ବେବୀକୁ ସାଙ୍ଗରେ ଧରି ଗତ ୨୭ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଏବଂ ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶକ୍ରମେ ସୁରକ୍ଷା ଅଧିକାରୀ ମଧୁସୂଦନ ରଥ ଏବଂ ଚାଇଲ୍ଡଲାଇନ୍ର ପରାମର୍ଶ ଦାତ୍ରୀ ରଶ୍ମିତା ପାଣି ବେବୀକୁ ନେଇ ଝାଡ଼ଖଣ୍ଡର ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲେ। ତେବେ ୭ ବର୍ଷ ଭିତରେ ଜାମସେଦପୁରର କଳେବର ଅନେକ ପରିବର୍ତ୍ତନ ହୋଇଥିବାରୁ ବେବୀ କିଛି ଜାଣିପାରି ନଥିଲା। ତେବେ ବହୁତ ଖୋଜାଖୋଜି ପରେ ଶେଷରେ ତା ଠିକଣା ମିଳିଥିଲା। ପ୍ରଥମେ ତାର ଭାଇ କାମ କରୁଥିବା ସ୍ଥାନର ସନ୍ଧାନ ମିଳିବା ପରେ ସେଠାରୁ ତା’ଘରର ସଂପୂର୍ଣ୍ଣ ଠିକଣା ମିଳିଥିଲା।
ତେବେ ଘରେ ପହଞ୍ଚିବା ପରେ ମାଆକୁ ଦେଖି ବେବୀ ଖୁସିରେ ଆତ୍ମହରା ହେବା ସହିତ ମାଆ ଓ ସମଗ୍ର ପରିବାର ମଧ୍ୟ ଖୁସିରେ ବିଭୋର ହୋଇ ଯାଇଥିଲେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସାତବର୍ଷ ପରେ ଝିଅକୁ ଘରେ ପହଞ୍ଚାଇ ଥିବାରୁ ପରିବାର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହିତ ସାଙ୍ଗରେ ଯାଇଥିବା ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେପଟେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ମଧ୍ୟ ବେବୀ ଓ ତାର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।