ବାରିପଦା,୩୦/୩ : ଭାରତୀୟ ପାଣି ପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଖାଉଟି ଓ ବ୍ୟବସାୟୀ ମାନଙ୍କ ମଧ୍ୟରେ କିଣା ବିକା କରିବା ପାଇଁ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ ଗୁଡିକର ସମୟ ନିର୍ଧାରଣ କରାଯାଇଛି। ତଦନୁସାରେ ଜିଲ୍ଲାରେ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ ଗୁଡିକ ଜନସାଧାରଣଙ୍କ ପାଇଁ ଦିବା ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଦିବା ୧୧ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିକ ଆୱାରରେ ବନ୍ଦ ରହିବ। ଏହି ସମୟ ନିର୍ଘଣ୍ଟ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରି ହେବ। ଏତଦ୍ ବ୍ୟତୀତ ଟାଣ ଖରା ଓ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଯଥା ଆବଶ୍ୟକ ନଥିଲେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ ବାହାରକୁ ଯିବାର ଆବଶ୍ୟକ ଥିଲେ ପ୍ରଚୁର ପାଣି ପିଇବା ସହିତ ଜୋତା, ଛତା ଚଷମା ଓ ମୁଣ୍ଡରେ ଓଦା ଗାମୁଛା ବ୍ୟବହାର କରିବା, ସଙ୍ଗରେ ଥଣ୍ଡା ପାଣି ବୋତଲ ଏବଂ ଓଆରଏସ ପ୍ୟାକେଟ ଇତ୍ୟାଦି ରଖିବା, ହାଲିଆ ଲାଗିଲେ ଛାଇ ବା ଚାଳିଆ ଜାଗାରେ ବିଶ୍ରାମ ନେବା ଇତ୍ୟାଦି ଅବଲମ୍ବନ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।