ନୂଆଦିଲ୍ଲୀ ୦୫/୧୦: ଉଦ୍ଭିଦବିଜ୍ଞାନୀମାନେ ୧୦୦୦ ବର୍ଷ ପୁରୁଣା ଏକ ମଞ୍ଜିରୁ ପ୍ରାଚୀନ କାଳରୁ ବିଲୁପ୍ତ ଏକ ବୃକ୍ଷ ପ୍ରଜାତିର ଚାରା ବଢ଼ାଇଛନ୍ତି । ମଞ୍ଜିଟି ୧୯୮୦ ଦଶକରେ ଜୁଡିନ୍ ମରୁଭୂମି ସ୍ଥିତ ଏକ ଗୁମ୍ଫାରେ ମିଳିଥିଲା । ଏହି ପ୍ରୋଜେକ୍ଟରେ ସାମିଲ ଗବେଷକମାନେ କହିଛନ୍ତି, ବିଲୁପ୍ତ ବୋଲି ବିଶ୍ୱାସ କରାଯାଉଥିବା ଏହି ବୃକ୍ଷ ପ୍ରଜାତି ବାଇବେଲ ଓ ଅନ୍ୟ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ହୋଇଥିବା ଚିକିତ୍ସା ଉପଚାରର ସ୍ରୋତ ହୋଇପାରେ । ଅଧ୍ୟୟନର ତଥ୍ୟ କମ୍ୟୁନିକେସନ୍ସ ବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି ।
ଜେରୁସେଲମ୍ର ଉତ୍ତରରେ ତଳିଆ ଏଲ-ମକ୍କୁକ କ୍ଷେତ୍ରରେ ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଖନନ ସମୟରେ ଏହି ମଞ୍ଜି ମିଳିଥିଲା । ଏହି ପ୍ରାଚୀନ ମଞ୍ଜିକୁ ସେହି ସ୍ଥିତିରେ ରଖିବାକୁ ପ୍ରଥମେ ସ୍ଥିର କରାଯାଇଥିଲା । କିନ୍ତୁ ସଦ୍ୟ ଅଧ୍ୟୟନକର୍ତ୍ତା ମଞ୍ଜିରୁ ବୃକ୍ଷର ପ୍ରକାରକୁ ଚିହ୍ନିପାରିଲେ ନାହିଁ । ତେଣୁ ଅଧ୍ୟୟନର ମୁଖ୍ୟ ଜେରୁସେଲମ୍ର ହାଡାସା ୟୁନିଭର୍ସିଟି ମେଡିକାଲ ସେଣ୍ଟର୍ ସ୍ଥିତ ଲୁଇସ୍ ଏଲ୍. ବୋରିକ୍ ନ୍ୟାଚୁରାଲ ମେଡିସିନ୍ ରିସର୍ଚ୍ଚ ସେଣ୍ଟର୍ ପ୍ରତିଷ୍ଠାତା ଡା. ସାରା ସାଲୋନ୍ ୧୨ରୁ ଅଧିକ ବର୍ଷ ତଳେ ପରବର୍ତ୍ତୀ ଯାଞ୍ଚ୍ ଲାଗି ମଞ୍ଜିଟିକୁ ମାଟିରେ ପୋତିଥିଲେ । ସାଲୋନ୍ଙ୍କ ଅନୁସାରେ, ଏହି ବୃକ୍ଷ ବାଇବେଲ ‘ସୋରି’ର ସ୍ରୋତ ହୋଇପାରେ । ଏହା ଏକ ଔଷଧୀୟ ଉଦ୍ଭିଦର ଅଂଶ, ଯାହା ବର୍ତ୍ତମାନ ଜୋର୍ଡାନର ଅଂଶବିଶେଷ ଏକ ପାର୍ବତ୍ୟ ଓ ଜଙ୍ଗଲିଆ ଅଞ୍ଚଳ ଜୋର୍ଡାନ ରିଫ୍ଟ ଭ୍ୟାଲିରେ ଥିବା ମୃତ ସମୁଦ୍ରର ଉତ୍ତରରେ ଐତିହାସିକ ଗିଲିଡ୍ରେ ଥିଲା । ସାଲୋନ୍ ଏହାର ନାମ ଦେଇଥିଲେ ‘ଶେବା’ । ଏହି ବୌଦ୍ଧିକ ନମୁନା ସମ୍ପର୍କିତ କିଛି ରହସ୍ୟର ଉନ୍ମୋଚନ କରିଥିବା ଅଧ୍ୟୟନର ତଥ୍ୟ ବର୍ଣ୍ଣନା କରିଛି ।
ଏହି ମଞ୍ଜିକୁ ଅଙ୍କୁରିତ କରିବା ଲାଗି ଅନ୍ୟତମ ଅଧ୍ୟୟନକର୍ତ୍ତା ଇଲେନ୍ ସୋଲୋୱି ଏକ ପ୍ରକ୍ରିୟା ପ୍ରୟୋଗ କରିଥିଲେ, ଯାହାକୁ ପୂର୍ବ ଅଧ୍ୟୟନ ସମୟରେ ସାଲୋନ୍ ୨ ହଜାର ବର୍ଷ ପୁରୁଣା ଏକ ତାଳଗଛ ମଞ୍ଜିକୁ ଅଙ୍କୁରିତ କରିବା ଲାଗି କରିଥିଲେ । ମଞ୍ଜିକୁ ମାଟିପୂର୍ଣ୍ଣ କୁଣ୍ଡରେ ପୋତିବା ପୂର୍ବରୁ ସେଥିରେ ହରମୋନ୍ ଓ ଉର୍ବରକ ମିଶାଇଥିଲେ । ପ୍ରାୟ ୫ ସପ୍ତାହରୁ ଅଧିକ ଦିନ ପରେ ମଞ୍ଜି ଅଙ୍କୁରିତ ହୋଇଥିଲା ବୋଲି ସାଲୋନ କହିଲେ । ଏହାର ବୟସ ଆକଳନ ଲାଗି ରେଡିଓକାର୍ବନ ଡେଟିଂ କୌଶଳ ପ୍ରୟୋଗ କରାଗଲା । ଏଥିରୁ ମଞ୍ଜିଟି ୯୯୩ରୁ ୧୨୦୨ ମସିହା ମଧ୍ୟର ବୋଲି ଜଣାପଡ଼ିଲା ।
କିଛି ଦିନ ପରେ ଅଙ୍କୁରିତ ମଞ୍ଜିର ପତ୍ର ବାହାରିଲା । ଏହା ପରେ ସାଲୋନ ଏହି ଚାରାର ଫଟୋକୁ ବିଶ୍ୱର ସମସ୍ତ ଉଦ୍ଭିଦବିଜ୍ଞାନୀଙ୍କ ସହ ଶେୟାର କଲେ । ଜଣେ ବିଶେଷଜ୍ଞ ଏହାକୁ ଜିନିଅନ୍ କମିଫୋରା ପ୍ରଜାତି ବୋଲି କହିଲେ । ସାଲୋନ ଏହି ଚାରାର ପତ୍ରରୁ ଏକ ନମୁନାକୁ ଅଧ୍ୟୟନର ସହ-ଲେଖକ ଆଣ୍ଡ୍ରିଆ ୱିକ୍ସଙ୍କୁ ଦେଲେ । ସେ ଭର୍ଜିନିଆ ସ୍ଥିତ ଫେୟାରଫାକ୍ସରେ ଜର୍ଜ ମାସନ୍ ୟୁନିଭର୍ସିଟିରେ ବାୟୋଲୋଜି ବିଭାଗରେ ପ୍ରଫେସର ଅଛନ୍ତି । ୱିକ୍ସ ପ୍ରାରମ୍ଭିକ ଚିହ୍ନଟ ଲାଗି ଗଛର ଡିଏନ୍ଏର ଅନୁକ୍ରମଣ କଲେ । କିନ୍ତୁ ତାଙ୍କ ଡାଟାବେସ୍ରେ ଥିବା ପରିଚିତ କୌଣସି କମିଫୋରା ପ୍ରଜାତିର ସହ ତାହା ମ୍ୟାଚ୍ କଲା ନାହିଁ । ଅନନ୍ୟ ଜିନ୍ଗତ ନମୁନାରୁ ଅଧ୍ୟୟନକର୍ତ୍ତା ଅନୁମାନ କଲେ ଯେ ଏହା ଜୁଡିନ୍ ମରୁଭୂମି ଆଖପାଖ ଅଞ୍ଚଳର ଏକ ବିଲୁପ୍ତ ପ୍ରଜାତି ହୋଇପାରେ । ତେବେ, ଗଛର ବୟସ ଏବେ ୧୪ ବର୍ଷରୁ ଅଧିକ ହେଲାଣି। ୧୦ ଫୁଟ ଉଚ୍ଚର ହୋଇଥିଲେ ବି ଏଥିରେ ଫୁଲ କିମ୍ବା ଫଳ ଧରିନାହିଁ । ଏ ସମସ୍ତ ସହଜ ଚିହ୍ନିବାଯୋଗ୍ୟ ବୈଶିଷ୍ଟ୍ୟ ବିନା ଏହି ରହସ୍ୟମୟ ପ୍ରଜାତିକୁ ଚିହ୍ନିବା ସମ୍ଭବ ନୁହେଁ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି।