ନୂଆଦିଲ୍ଲୀ: ପାକିସ୍ତାନର କରାଚି ବିମାନବନ୍ଦର ବାହାରେ ରବିବାର ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅତି କମରେ ଆଠ ଜଣ ଆହତ ହୋଇଥିବା ସୂଚନା ରହିଛି । ପୋଲିସ ଏବଂ ରାଜ୍ୟ ସରକାରଙ୍କ ଅନୁଯାୟୀ, ପାକିସ୍ତାନର ସବୁଠୁ ବଡ ବିମାନବନ୍ଦର ବାହାରେ ଏକ ଟ୍ୟାଙ୍କର ବିସ୍ଫୋରଣ ହୋଇଛି । ଏହି ସମୟରେ ରାଜ୍ୟ ଗୃହମନ୍ତ୍ରୀ ଜିଆ ଉଲ ହାସନ ସ୍ଥାନୀୟ ଟିଭି ଚ୍ୟାନେଲ ଜିଓକୁ କହିଛନ୍ତି ଯେ, ବିଦେଶୀ ମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣ ଚୀନ୍ ନାଗରିକଙ୍କ ଉପରେ କରାଯାଇଛି, ଯେଉଁଥିରେ ଜଣେ ଆହତ ହୋଇଛନ୍ତି । ପାକିସ୍ତାନରେ ହଜାର ହଜାର ଚୀନ୍ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଏବଂ ମଧ୍ୟ ଏସିଆକୁ ଚାଇନାର ରାଜଧାନୀ ବେଜିଂ ସହିତ ସଂଯୋଗ କରୁଥିବା ବେଜିଂର ବିଲିୟନ ଡଲାରର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭରେ କାର୍ଯ୍ୟ କରୁଛନ୍ତି।
ବିସ୍ଫୋରଣ ପରେ ଜାରି ହୋଇଥିବା ଭିଡିଓରେ କାରରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି ଏବଂ ବିମାନବନ୍ଦର ବାହାରେ ଘନ ଧୂଆଁ ବାହାରୁଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଏକ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ପରି ଦେଖାଯାଉଛି । ସେ କହିଛନ୍ତି "ବିସ୍ଫୋରଣର ପ୍ରକୃତ କାରଣ ଆମେ ଖୋଜୁଛୁ । ଏଥିପାଇଁ ସମୟ ଲାଗିବ । ଆହତଙ୍କ ମଧ୍ୟରେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି ।
ଯାହା ସୂଚନା ରହିଛି, ବିଦେଶୀ ନାଗରିକଙ୍କୁ ନେଇ ଏକ କାର ବିମାନବନ୍ଦର ଆଡକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ପୋଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।