ନୂଆଦିଲ୍ଲୀ,୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ମନମୋହନଙ୍କୁ ଅପମାନ । ସେପଟେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ବିରୋଧୀ ଦଳକୁ ଜବାବ ଦେଇଛି ବିଜେପି ।
ନିଗମବୋଧ ଘାଟରେ ମନମୋହନ ସିଂହଙ୍କ ଶେଷକୃତ୍ୟକୁ ନେଇ ବିଜେପିକୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଶିଖ୍ ସମ୍ପ୍ରଦାୟର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଭାରତର ମହାନ ସନ୍ତାନ ଡକ୍ଟର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରାଯିବା ଉଚିତ ନଥିଲା । ଆଜି ଯାଏଁ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ସେମାନଙ୍କ ଅନ୍ତିମ ସଂସ୍କାର ଅନୁମୋଦିତ ସ୍ଥଳରେ କରାଯାଇଛି । ଯାହା ଦ୍ବାରା ପ୍ରତ୍ୟେକ ବ୍ୟକ୍ତି ବିନା ସମସ୍ୟାରେ ଶେଷ ଦର୍ଶନ କରିପାରିବେ । ମନମୋହନଙ୍କ ସିଂହ ଆମର ସର୍ବୋଚ୍ଚ ସମ୍ମାନ ଓ ସମାଧି ସ୍ଥାନ ପାଇବାକୁ ଯୋଗ୍ୟ । ଦେଶର ଏହି ମହାନ ସନ୍ତାନ ଏବଂ ତାଙ୍କ ଗର୍ବିତ ଦେଶ ପ୍ରତି ସରକାର ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ ଥିଲା ।
ସେହିପରି ଏହି ଘଟଣାରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ନିଗମବୋଧ ଘାଟରେ ମନମୋହନଙ୍କ ଶେଷକୃତ୍ୟ ଅପମାନ । ମହାନ ବ୍ୟକ୍ତିତ୍ବ ମନମୋହନଙ୍କ ସ୍ମାରକୀ ପାଇଁ ବିଜେପି ୧୦୦୦ ଗଜ ଜମି ନଦେଇ ପାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ଏହାର ଜବାବରେ ବିଜେପି କହିଛି କେବଳ କିଛି ରାଜନୈତିକ ସ୍ବାର୍ଥ ପାଇଁ କଂଗ୍ରେସ ଓ ଅନ୍ୟ କିଛି ରାଜନୈତିକ ଦଳ ଏପରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି । ଗତ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଗତକାଲି (ଶନିବାର) ଦିଲ୍ଲୀ ସ୍ଥିତ ନିଗମମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ।