ନୂଆଦିଲ୍ଲୀ,୧୧/୦୨: କେଇଟା ଟଙ୍କା ପାଇଁ ସମ୍ପର୍କରେ ଫାଟ ପଡିଥାଏ । ପ୍ରାୟ ପ୍ରତିଦିନ କିଛି ଟଙ୍କା ପାଇଁ ରକ୍ତ ସମ୍ପର୍କକୁ ହତ୍ୟା ହେବା ପରି ଅନେକ ଘଟଣା ଦେଖିବାକୁ ମିଳିଥାଏ । କେଉଁଠି ଟଙ୍କା ପାଇଁ ସାଙ୍ଗ ସାଙ୍ଗକୁ ହତ୍ୟା କଲାଣି ତ କେଉଁଠି ଭାଇ ଭାଇକୁ । ଆମେ ଆଜି ଆପଣଙ୍କୁ ଏମିତି ଏକ ସମ୍ପର୍କ କଥା କହିବୁ ଯାହା ଉଦାହରଣ ସାଜିଛି । ଆମେରିକାର ୱିସକନସିନ୍ ରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ୨୮ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଭରସା ବିଶ୍ବାସର ତାଙ୍କର ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଉଛି ।
ପ୍ରତିଶ୍ରୁତି ଦିବସ ପାଳୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ ସମ୍ପର୍କରେ ପ୍ରତିଶ୍ରୁତି ବେଶ୍ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ପ୍ରତିଶ୍ରୁତି ଯେ ଖାଲି ପ୍ରେମ ସମ୍ପର୍କରେ ରହିବା ଦରକାର ତାହା ନୁହେଁ ସବୁ ସମ୍ପର୍କରେ ପ୍ରତିଶ୍ରୁତି ପୂରଣ ହେଲେ ତାହା ଆହୁରି ସୁନ୍ଦର ମଜବୁତ ହୁଏ । ଆମେରିକା ୱିସକନସିନର ଜଣେ ବ୍ୟକ୍ତି ଟାମ୍ କ୍ରୁକ ତାଙ୍କ ବନ୍ଧୁଙ୍କୁ ୨୮ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଲଟେରୀ ଜିତିଲେ ଉକ୍ତ ଟାଙ୍କାକୁ ସେ ସାଙ୍ଗଙ୍କ ସହ ବାଣ୍ଟିବେ ବୋଲି କହିଥିଲେ । ଆଉ ଆଜି ସେ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଲଟେରୀରେ ଜିତିଥିବା ୧୬୪ କୋଟି (୨୨ ମିଲିୟନ ଡଲାର) ଟଙ୍କାକୁ ତାଙ୍କ ବନ୍ଧୁ ଜୋସେଫ ଫେନୀଙ୍କ ସହ ବାଣ୍ଟିଛନ୍ତି । ୧୬୪ କୋଟି ଟଙ୍କା ଚେକରେ କ୍ରୁକ ତାଙ୍କ ନାମ ସହ ବନ୍ଧୁ ଜୋସେଫଙ୍କ ନାମ ଲେଖିଛନ୍ତି । ୧୯୯୨ ମସିହାରେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ କି ଭବିଷ୍ୟତରେ ଲଟେରୀ ଜିତିଲେ ଦୁହେଁ ଦୁହିଁଙ୍କ ସହ ସେୟାର କରିବୁ । ତେଣୁ କ୍ରୁକ ତାଙ୍କ ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି ।
ସେ କହିଛନ୍ତି, ଏହାକୁ ନେଇ ମୁଁ ବହୁତ ଖୁସି । ଗର୍ବ ଅନୁଭବ କରୁଛି କି ମୁଁ ମୋର ପ୍ରତିଶ୍ରୁତି ପୂରଣ କରି ପାରିଛି । ଲଟେରୀ ଜିତିବାଠୁ ଅଧିକ ପ୍ରତିଶ୍ରୁତି ପୂରଣ କରିବାକୁ ନେଇ ଅଧିକ ଖୁସି ଲାଗୁଛି । ଏହି ଟାଙ୍କାରେ ଆମେ ବୁଲିବାକୁ ଯିବୁ ଏବଂ କିଛି ଜିନିଷ କିଣିବୁ ।