ନୂଆଦିଲ୍ଲୀ: ଗୁରୁବାର ତାଇୱାନର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଏକ ବଡ ବିସ୍ପୋରଣ ଘଟିଛି। ଏହି ବିସ୍ପୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ତାଇଚୁଙ୍ଗ ସହରରେ ଥିବା ଏହି ଡିପାର୍ଟମେଣ୍ଟାଲ ଷ୍ଟୋରର ଦ୍ୱାଦଶ ତମ ମହଲାରେ ଥିବା ଫୁଡ କୋର୍ଟରେ ବିସ୍ପୋରଣ ହୋଇଥିଲା ବୋଲି ଅଗ୍ନିଶମ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅନେକ ଜଣଙ୍କର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି ବୋଲି ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି।
ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକମାନଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଦୁଇ ମୃତକ ବିଦେଶୀ ନାଗରିକ ମକାଉ ସହରର ହୋଇଥିବା ଜଣାପଡିଛି। ଏନେଇ ମକାଉ ପର୍ଯ୍ୟଟନ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି। ଅନ୍ୟ ଦୁଇ ମୃତକ ଏକ ସାତ ଜଣିଆ ପରିବାରର ସଦସ୍ୟ ବୋଲି ଜଣାପଡିଛି। ତେବେ ପରିବାରର ଅନ୍ୟ ପାଞ୍ଚ ଜଣ ସଦସ୍ୟଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ତାଇଚୁଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଅନେକ ଅଗ୍ନିଶମ କର୍ମି ନିୟୋଜିତ ହୋଇଛନ୍ତି। ବିସ୍ପୋରଣରେ ଏହି ବିଲ୍ଡିର ବାହାର ଅଂଶ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ବିସ୍ପୋରଣପରେ ବିଲ୍ଡିର ଧ୍ୱସାଂବଶେଷ ଗୁଡିକ ରାସ୍ତାରେ ବିଛାଡି ହୋଇ ପଡିଥିଲା। ତେବେ ଗ୍ୟସ ସିଲିଣ୍ଡର ଫାଟିବା ଯୋଗୁଁ ଏହି ବିସ୍ପୋରଣ ଘଟିଛି ବୋଲି ତାଇଚୁଙ୍ଗର ଡେପୁଟି ମେୟର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଏଯାଏ ଏନେଇ କୈଣସି ପ୍ରମାଣ ମିଳିପାରି ନାହିଁ।
ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଝଟ୍କା ବହୁ ଦୁର ପର୍ଯ୍ୟନ୍ତ ଅନୁଭବ ହୋଇଥିଲା। ଅଗ୍ନିଶମ ବାହିନି ଗୁରୁବାର ରାତିଯାଏ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଏ ପର୍ଯ୍ୟନ୍ତ ଯାଏ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହାର ଯାଞ୍ଚ ଜାରି ରହିଛି ବୋଲି ମେୟର ସୂଚନା ପ୍ରଦାନ କରିଛନ୍ତି।