ପ୍ରୟାଗରାଜ, ୧୦/୦୧ : ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଦେଢ ମାସ ଧରି ଏହି ମହାକୁମ୍ଭ ଚାଲିବ। ଗଙ୍ଗା ଯମୁନା ଏବଂ ସରସ୍ଵତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପଡ଼ିବ। ଏଥିପାଇଁ ପ୍ରୟାଗରାଜରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହେବ। ଏହି ପବିତ୍ର ବୁଡ଼ ପକାଇବାକୁ ପ୍ରୟାଗରାଜକୁ କୋଣ ଅନୁକୋଣରୁ ସାଧୁସନ୍ଥଙ୍କ ସୁଅ ଛୁଟିଲାଣି। ସନାତନ ଧର୍ମରେ ଏହି ସାଧୁସନ୍ଥଙ୍କ ବହୁ ମହତ୍ତ୍ଵ ରହିଛି। ତେବେ ମହାକୁମ୍ଭକୁ ଆସୁଥିବା ନାଗା ସାଧୁ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାନ୍ତି। ନାଗା ସାଧୁଙ୍କ ବିନା କୁମ୍ଭର ପରିକଳ୍ପନା ଅସମ୍ଭବ। ସେମାନଙ୍କ ବେଶଭୂଷା ଏବଂ ଖାଦ୍ୟପେୟ ସମ୍ପୂର୍ଣ୍ଣ ଅଲଗା। ତେବେ ପୁରୁଷଙ୍କ ଭଳି ମହିଳା ନାଗା ସାଧୁ ବି ଅଛନ୍ତି। ସେମାନେ ତାଙ୍କ ଜୀବନକୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ସମର୍ପିତ କରିଦିଅନ୍ତି।
ନାଗା ସାଧୁଙ୍କ ରହସ୍ୟମୟୀ ଦୁନିଆ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ ନିଶ୍ଚୟ। ହେଲେ ମହିଳା ନାଗା ସାଧୁଙ୍କ ଜୀବନ ସମ୍ପୂର୍ଣ୍ଣ ଭିନ୍ନ। ଗୃହସ୍ଥ ଜୀବନରୁ ବିମୁଖ ମହିଳା ନାଗା ସାଧୁଙ୍କ ଦିନ ପୂଜାପାଠରୁ ଆରମ୍ଭ ହୋଇ ଈଶ୍ଵରଙ୍କ ଆରାଧନାରେ ସରେ। ସେମାନଙ୍କ ଜୀବନ ଖୁବ୍ କଠିନ ହୋଇଥାଏ। ମହିଳା ନାଗା ହେବା ପାଇଁ ଏମାନେ କଡ଼ା ପରୀକ୍ଷା ଦିଅନ୍ତି। ୧୦ ରୁ ୧୫ ବର୍ଷ ଯାଏଁ କଠିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି। ସେମାନେ ଯୋଗ୍ୟ ବୋଲି ଗୁରୁଙ୍କୁ ବିଶ୍ଵାସ ହେଲେ ଯାଇ ନାଗା ସାଧୁ ହେବା ପାଇଁ ସ୍ଵିକୃତୀ ମିଳିଥାଏ।
ସେମାନଙ୍କୁ ସମସ୍ତେ ମାତା, ମାଈ, ନାଗିନ, ଅବଧୂତାନୀ କହି ଡାକନ୍ତି। ମାଈ ୱାଡ଼ାରେ ନାଗା ସାଧୁ ରୁହନ୍ତି। ଏବେ ଏହା ଦଶନାମ ସନ୍ୟାସିନୀ ଆଖଡ଼ା ରୂପେ ପରିଚିତ। ତେବେ ସାଧୁମାନଙ୍କ ଭିତରେ ୩ଟି ସମ୍ପ୍ରଦାୟ ଥାଏ। ବୈଷ୍ଣବ, ଶୈବ, ଏବଂ ଉଦାସୀନ ସମ୍ପ୍ରଦାୟ ରହିଛି। ପୁରୁଷ ନାଗା ସାଧୁ ନଗ୍ନ ରୁହନ୍ତି। ହେଲେ ମହିଳା ନାଗା ସାଧୁଙ୍କୁ ନଗ୍ନ ରହିବା ପାଇଁ ଅନୁମତି ନାହିଁ। ପୁରୁଷ ନାଗା ସାଧୁଙ୍କ ମଧ୍ୟରେ ବସ୍ତଧାରୀ ଏବଂ ଦିଗମ୍ଵର ଥାନ୍ତି। ହେଲେ ମହିଳାମାନେ ବସ୍ତ୍ରଧାରୀ ହୋଇଥାନ୍ତି। ସେମାନେ ମସ୍ତିଷ୍କରେ ତିଳକ କରିବା ଅନିବାର୍ଯ୍ୟ। ସେମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ହେଲେ ମହିଳାମାନେ କେବଳ ଗୋଟିଏ ବସ୍ତ୍ର ପରିଧାନ କରିପାରିବେ। ଯାହାକି ସିଲେଇ ହୋଇନଥିବ। ଏହି ବସ୍ତ୍ରକୁ ଗନ୍ତି କୁହାଯାଏ।
ସାଧ୍ଵୀ ହେବା ପୂର୍ବରୁ ସେମାନେ ଜୀବିତ ଅବସ୍ଥାରେ ଥାଇ ମଧ୍ୟ ନିଜର ପିଣ୍ଡ ଦାନ କରି ଲଣ୍ଡା ହୁଅନ୍ତି। ନଦୀରେ ସ୍ନାନ କରି ପୁରା ଦିନ ଈଶ୍ଵରଙ୍କ ଜପ କରନ୍ତି। ସକାଳେ ବ୍ରହ୍ମ ମୂହୁର୍ତ୍ତରେ ଶିବାଜୀଙ୍କୁ ଜପ କରନ୍ତି। ସନ୍ଧ୍ୟାରେ ଦତ୍ତାତ୍ରେୟ ଏବଂ ମଧ୍ୟାହ୍ନରେ ଶିବାଜୀଙ୍କୁ ଜପ କରନ୍ତି। କୁମ୍ଭମେଳାରେ ପୁରୁଷା ନାଗାଙ୍କ ସହ ମହିଳା ନାଗାମାନେ ବୁଡ଼ ପକାଇବେ। ତେବେ ପୁରୁଷ ନାଗା ବୁଡ଼ ପକାଇବା ପରେ ଯାଇ ମହିଳାଙ୍କୁ ଅନୁମତି ମିଳେ।