ପାରାଦୀପ,୨୯ା୩(ଆପ୍ର): ପାରାଦୀପରେ ମୁଖ୍ୟ ବ୍ୟବସାୟ ହେଉଛି ଟ୍ରକ୍ରେ ପଣ୍ୟ କାରବାର । ଏହି ବ୍ୟବସାୟ ଉପରେ ସ୍ଥାନୀୟ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଟ୍ରକ ମାଲିକ ଓ ସେମାନଙ୍କ ପରିବାର ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ଏଥିରେ ସମସ୍ତ ମାଲିକଙ୍କୁ ସମାନ ଭାବରେ ଲୋଡିଂ ଦିଆଯାଉ ନଥିବାରୁ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ପାରାଦୀପରୁ ଆମାନିଆ ଲୋଡିଂ ହୋଇ ଭାରତର ବିଭିନ୍ନ ସ୍ଥାନ ବମ୍ବେ, ଗୁଜୁରାଟ, ଗୋଆ, ବିଶାଖାପାଟଣା, କୋଲ୍କାତା ଆଦି ସ୍ଥାନକୁ ଯାଇଥାଏ । ଟ୍ରାନ୍ସପୋର୍ଟ ଓ ଟ୍ରକ୍ ମାଲିକ ସଂଘ ମିଳିତ ସହଯୋଗରେ ପଣ୍ୟ ପରିବହନ ହୋଇଥାଏ । କିନ୍ତୁ ଏବେ ଏହି ପଣ୍ୟ ପରିବହନ କାରବାରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବାଲି କିଛି ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଯେଉଁଠାରେ ଶହଶହ ଟ୍ରକ ମାଲିକ ମାନେ ଭୋକ ଉପାସରେ ଜୀବନ ବିତାଉଥିବା ବେଳେ ଏଭଳି କିଛି ଅସାଧୁ ଟ୍ରକ ମାଲିକ ମାନେ ଚଞ୍ଚକତା କରି ଅନିୟମିତତା ଉପାୟରେ ଅର୍ଥ ଉପାର୍ଜନ କରୁଛନ୍ତି । ଗତ ୨୩ରେ ଗାଡ଼ି ନମ୍ବର (ଓଡି ୦୫ ଏଏ ୩୧୩୬) ଏବଂ (ଓଡି ୦୪ ଆର ୪୨୨୮) ଲୋଡିଂ ପାଇଁ ଚାଲାଣ କଟାଯାଇଛି । କିନ୍ତୁ ଏହି ଦୁଇଟି ଗାଡ଼ି ଆସୋସିଏସନ୍ର ରିକ୍ୱେସନ ତାଲିକାରେ ନାମ ନ ଥିବା ବେଳେ ଆସୋସିଏସନ୍ର ଲୋଡିଂ ସ୍ଲିପ୍ କେମିତି ପାଇଲେ ବା କିଏ ଦେଲା ତାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।
ଗତ ୨୭ ତାରିଖ ଦିନ କିଛି ମାଲିକ ଏହି ଦୁଇଟି ଗାଡ଼ିକୁ ସନ୍ଦେହ କରି ପାରାଦୀପର ଉଦୟବିହାରଠାରେ ଅଟକାଇ ଲୋଡିଂ ଗାଡ଼ିର ଚାଲାଣ ସ୍ଲିପ୍ ଯାଞ୍ଚ କରିଥିଲେ । ଏ ନେଇ କିଛି ସମୟ ଗାଡି ମାଲିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଅସନ୍ତୋଷ ଟ୍ରକ ମାଲିକ ମାନେ ଏ ନେଇ ଜଗନ୍ନାଥ ଟ୍ରକ ମାଲିକ ସଂଘକୁ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଗାଡ଼ି ମାଲିକ ପ୍ରହଲ୍ଲାଦ ଜେନା କହିଛନ୍ତି ଏଭଳି ଅନିୟମିତତାକୁ ଘୋର ନିନ୍ଦା କରିବା ସହ ଏହା ପ୍ରତି ତୁରନ୍ତ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ନେବାକୁ ଶ୍ରୀ ଜେନା କହିଛନ୍ତି । ଏସମ୍ପର୍କରେ ଜଗନ୍ନାଥ ଟ୍ରକ ମାଲିକ ସଂଘ ପୂର୍ବତନ କାର୍ଯ୍ୟକାରୀ ସଭାପତି ଗୌତମ ନାୟକ କହିଛନ୍ତି ସମସ୍ତ ଗାଡ଼ି ମାଲିକଙ୍କୁ ସମାନ ଭାବରେ ପଣ୍ୟ କାରବାର କରିବାର ସୁଯୋଗ ଦିଆଯାଉ । ଏଭଳି ଦୁର୍ନୀତି କରି ଟ୍ରିପ ପରେ ଟ୍ରିପ୍ ନେଉଥିବା ମାଲିକଙ୍କ ପ୍ରତି କଠୋର ଦଣ୍ଡ ବିଧାନ କହିବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ସଭାପତି ରାକେଶ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶନିବାର ୪ଟାରେ ଗାଡ଼ି ମାଲିକଙ୍କୁ ନିଲମ୍ବନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।