ଜଗତସିଂହପୁର,୨୭/୩(ଆପ୍ର): କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ପୋଦନା ଗ୍ରାମର ନିରଞ୍ଜନ ଓଝାଙ୍କ ପରିବାରକୁ ଏକଘରିକିଆ(ବାସନ୍ଦ) କରାଯାଇଥିବା ଅଭିଯୋଗ ହୋଇଛି । ନିଆଁ, ପାଣି ବାସନ୍ଦ କରାଯିବା ପରେ କିଛି ଗ୍ରାମବାସୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଗତ ୨୫ ତାରିଖରେ ନିରଞ୍ଜନଙ୍କ ପତ୍ନୀ ଖୁଲଣା ଓଝା(୬୨) ଏରସମା ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ମୁତାବକ, ୨୦୨୫ ଜାନୁଆରୀ ମାସ ୨୮ ତାରିଖରେ ଖୁଲଣାଙ୍କ ନାତି ଟିଉସନ୍ ହେବାକୁ ଉକ୍ତ ଗ୍ରାମର ଜଣଙ୍କ ପାଖକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ପାଠ ପଢିବାକୁ ଅନୁମତି ଦିଆଯାଇ ନଥିଲା । ଏକଥା ଜାଣିବା ପରେ ଖୁଲଣା କାରଣ ଜାଣିବାକୁ ସେଠାକୁ ଯାଇଥିଲେ । ସେ ଉତ୍ତର ପାଇଥିଲେ କି, ଗ୍ରାମର କିଛି ଲୋକ ରାତିରେ ବୈଠକ କରି ନିରଞ୍ଜନଙ୍କ ପରିବାରକୁ ଏକଘରିକିଆ କରିଛନ୍ତି । ବିଶେଷକରି କଥା ନମାନିବା ଏବଂ ଏକ କେସ୍ ପ୍ରତ୍ୟାହାର ନକରିବାରୁ ସବୁଦିନ ପାଇଁ ଉକ୍ତ ପରିବାରକୁ ଏକଘରିକିଆ ରଖିବାର ନିଷ୍ପତ୍ତି ହୋଇଥିଲା । ଏଣେ ନାତିକୁ ଆଣି ଫେରୁଥିବା ସମୟରେ ଖୁଲଣାଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ପରବର୍ତ୍ତୀ ସମୟରେ ନିଆଁ, ପାଣି ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ଖୁଲଣା ।