ଜଗତସିଂହପୁର,୨୯ା୩(ଆପ୍ର): ତାମିଲନାଡ଼ୁର ଉଟିରେ ତିର୍ତ୍ତୋଲ କୋଷ୍ଠିମଲ୍ଲିକାପୁର ପଞ୍ଚାୟତର ଆଶୁତୋଷ ନାୟକ(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଟରା ପଞ୍ଚାୟତ ବେଗୁନିଆ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହ ଆଶୁତୋଷ ତାମିଲନାଡ଼ୁକୁ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ହଠାତ୍ ତାଙ୍କର ଦେହାନ୍ତରେ ପୂରା ପରିବାର ଭାଙ୍ଗିପଡ଼ିଛନ୍ତି । ଏଣେ ଛଅ ମାସ ତଳେ ଆଶୁତୋଷ ନିଖୋଜ ସଂପର୍କରେ ପରିବାର ଲୋକ ତିର୍ତ୍ତୋଲ ଥାନାକୁ ଅବଗତ କରିଥିଲେ । ଏବେ ଆଶୁତୋଷଙ୍କ ଗଳିତ ମୃତଦେହ ଗତ ଛଅ ଦିନ ତଳେ ଉଟିର ବିଆଇ ପୁଲିସ ଥାନା ପକ୍ଷରୁ ଉଦ୍ଧାର କରାଯାଇଛି । ସେଠାକାର ପୁଲିସ ସିସିଟିଭି ଫୁଟେଜର ଯାଞ୍ଚ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା କୁହାଯାଉଛି ।
ସୂଚନା ମୁତାବକ, କୋଷ୍ଠିମଲ୍ଲିକାପୁର ହମିରପୁର ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ପୁତ୍ର ଆଶୁତୋଷ ନାୟକ(ସିକୁନ୍) କଟରାର ଜଣେ ଯୁବକଙ୍କ ସହ ଗାଡ଼ିରେ ହେଲପର କାମ କରିବାକୁ ବେଙ୍ଗାଲୁରୁ ଚାଲି ଯାଇଥିଲେ । ଫିଲ୍ମ ସୁଟିଂ ସେଟ ନେଇ ଉଭୟ ବେଙ୍ଗାଲୁରୁରୁ ତାମିଲନାଡ଼ୁର ଉଟିକୁ ଆସିଥିଲେ । ସେଠାରେ ଏକ ହୋଟେଲରେ ଉଭୟ ୪ ଦିନ ରହିଥିଲେ । ଉକ୍ତ ରହଣୀ ଭିତରେ ସିକୁନ୍ ନିଜ ଘର ଲୋକଙ୍କ ସହ ଫୋନ୍ରେ କଥା ହୋଇଥିଲେ । ତେବେ ସେଦିନ ରାତି ୧୧ଟା ପରେ ସିକୁନ୍ ଆଉ ଫୋନ୍ ଉଠାଇ ନଥିଲେ । ଏଣେ କଟରାର ସଂପୃକ୍ତ ଯୁବକ ତଥା ଗାଡ଼ି ଚାଳକ ସିକୁନ୍ର ଫୋନ୍ ଉଠାଇ ସେ ଶୋଇପଡ଼ିଥିବା ଜଣାଇଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ଗାଡ଼ି ଚାଳକ କଥା ବଦଳାଇ ସିକୁନ୍ ହୋଟେଲ ରୁମ୍କୁ ଫେରିନଥିବା କହିଥିଲେ । କଥାରେ ତାଳମେଳ ନରହିବାରୁ ସିକୁନ୍ଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଥିଲା । ଏପଟେ ଉକ୍ତ ହୋଟେଲ ଠାରୁ କିଛି ଦୂରରେ ଥିବା ଏକ ଖାଲରୁ ସିକୁନ୍ର ମୃତଦେହ ଠାବ ହୋଇଥିଲା । ସିକୁନକୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା ପରିବାରବର୍ଗ ସନ୍ଦେହ କରି ତିର୍ତ୍ତୋଲ ଥାନାକୁ ଜଣାଇଛନ୍ତି ।