ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଅଧ କୋଟି ଅନୁଦାନ ସତ୍ତ୍ୱେ ସରକାରୀ ଜମି ଅସୁରକ୍ଷିତ, ଉଚ୍ଛେଦ ସତ୍ତ୍ୱେ ମାଡ଼ି ବସୁଛନ୍ତି ଜବରଦଖଲକାରୀ

Published By : Harapriya Sethi | March 31, 2025 7:46 AM

ଜଗତସିଂହପୁର,୩୦ା୩(ଆପ୍ର): ସରକାରୀ ଜମି ଜବରଦଖଲ ହୋଇଚାଲୁଛି । ଉଚ୍ଛେଦ ସତ୍ତ୍ୱେ ପୁଣି ଉକ୍ତ ଜମିକୁ ମାଡ଼ି ବସୁଛନ୍ତି ଜବରଦଖଲକାରୀ । ଶେଷରେ ପ୍ରଶାସନିକ ଅଧିକାରୀମାନେ ଅନ୍ୟ ଉପାୟ ନପାଇ ଉପରକୁ ହାତ ଟେକି ଦେଇ ପୁଲିସର ସହାୟତା ଲୋଡ଼ିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । କାରଣ ସରକାରୀ ଜମିର ସୁରକ୍ଷା ନେଇ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରୁଛନ୍ତି । ଜିଲ୍ଲା କ୍ଷେତ୍ରରେ ଅର୍ଥ ରାଶି ପଡ଼ୁରହୁଥିବା ବେଳେ ସରକାରୀ ଜମିକୁ ଆବଦ୍ଧ ରଖିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଦୂରର କଥା ସାମାନ୍ୟତମ ସମୀକ୍ଷା କରାଯାଉଥିବା ମନେ ହେଉନାହିଁ । ଫଳରେ ଜବରଦଖଲ ଉଚ୍ଛେଦ ଲୋକଦେଖାଣିଆ ହୋଇପଡ଼ିଛି । 

ଗତ ୨୪ ତାରିଖରେ କୁଜଙ୍ଗ ତହସିଲ ପକ୍ଷରୁ ଜବରଦଖଲକୁ ନେଇ ପାରାଦୀପ ଲକ୍‌ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ମୁତାବକ, ଉଦୟବଟ ଗ୍ରାମର ପ୍ଲଟ ନଂ ୧୪୭୦ ଓ ଖାତା ନମ୍ବର ୮୮୮ରେ ୧ ଏକର ୩୦ ଡିସିମିଲ ଝାଟି ଜଙ୍ଗଲ କିସମ ସରକାରୀ ଜାଗା ରହିଛି । ତେବେ ପିପଳ ଗ୍ରାମର ଜଣେ ବ୍ୟକ୍ତି ଝାଟି ଜଙ୍ଗଲ କିସମ ଜମିକୁ ଜବରଦଖଲ କରିଛନ୍ତି । ଜବରଦଖଲକୁ ନେଇ ଗ୍ରାମବାସୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୩ ମସିହା ମେ’ ମାସ ୧୭ରେ ପୁଲିସ ସହାୟତାରେ ତହସିଲ ପକ୍ଷରୁ ଉକ୍ତ ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା । ଏବେ କିନ୍ତୁ ଉକ୍ତ ଝାଟି ଜଙ୍ଗଲ କିସମ ଜମିକୁ ସେଇ ବ୍ୟକ୍ତି ପୁଣି କବ୍‌ଜା କରି ନେଇଛନ୍ତି । ଏପରିକି ସେଠାରେ ଏକ ଘର ନିର୍ମାଣ କରିଛନ୍ତି । ପାରାଦୀପଗଡ଼ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ପାଇବା ପରେ ତହସିଲ ତରଫରୁ ଜବରଦଖଲ ସଂକ୍ରାନ୍ତରେ ପାରାଦୀପ ଲକ୍‌ ଥାନାର ଦୃଷ୍ଟି ଆକର୍ଷଣ କରାଯାଇଛି । 

କୁଜଙ୍ଗ ତହସିଲ ଅଞ୍ଚଳରେ ଜମି ଜବରଦଖଲ ନୂଆ କଥା ନୁହେଁ । ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବଳପୂର୍ବକ ସରକାରୀ ଜମି ଜବରଦଖଲ ଏବଂ କିଣାବିକା ଉପରେ ସୁରାକ ପାଇବା ପରେ ତନାଘନା କରିଥିବାର ନଜିର ରହିଛି । ବସୁନ୍ଧରା ଯୋଜନାରେ ଚଞ୍ଚକତା କରାଯାଇ ଭୂମିହୀନ ଆଳରେ କିଛି ଲୋକଙ୍କୁ ୪ ଡିସିମିଲ କରି ଜମି ଯୋଗାଇ ଦିଆଯାଇଥିବା ମଧ୍ୟ ସେତେବେଳେ ବିବାଦ ଘେରକୁ ଆସିଥିଲା । କେବଳ ସେତିକି ନୁହେଁ ପାଣିଯୋର ଜମିର କିସମକୁ ମଧ୍ୟ ବଦଳାଇ କିଣାବିକା ହୋଇଥିବାର ଗନ୍ଧ ବାହାରିଥିଲା । ୧୦/୧୨ ବର୍ଷ ତଳୁ ଉଦୟବଟ ଅଞ୍ଚଳର ମୂଳଖାତା ୮୮୮ ଓ ୧୩୦୯ରେ ରହିଥିବା ଜମିର ପରିମାଣ ଓ କିସମକୁ ବେଶ ଚତୁରାତର ସହ ବଦଳାଇ ଦିଆଯାଇଥିଲା । ୨୦୦ ବର୍ଷ ତଳର ଉକ୍ତ ପାଣି ଯୋର ସମୟକ୍ରମେ ନକ୍ସାରୁ ଉଭେଇ ଯାଇଛି । ଉକ୍ତ ଦୁଇ ଖାତାରେ ୨ ଏକର ୯୫ ଡିସିମିଲ ପାଣି ଯୋର କିସମ ଜମି ରହିଥିଲା । ହେଲେ ପିପଳ ଅଞ୍ଚଳର ଜଣେ ବ୍ୟକ୍ତି ପ୍ରଥମେ ଏହି ଗୋଲକଧନ୍ଦାର ର‌୍ୟାକେଟ ଆରମ୍ଭ କରିଥିବା ନେଇ ୨୦୨୦ ମସିହା ଆଲୋଚନା ପରିଧିକୁ ଆସିଥିଲା । ପାରାଦୀପ ଉପକଣ୍ଠରେ ଜମିର ମୂଲ୍ୟ ଉପରମୁହାଁ ଧରିଛି ।

ଏଣେ ଜବରଦଖଲକାରୀଙ୍କ ଭୂସ୍ୱର୍ଗ ପାଲଟିଛି ପୂରା ଜିଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ବାଲିକୁଦା, ନାଉଗାଁ, ଏରସମା ଓ କୁଜଙ୍ଗ ଅଞ୍ଚଳରେ ୯୨୫୬.୮୧ ହେକ୍ଟର ଜଙ୍ଗଲ ଜମି ରହିଛି । ରାଜନଗର ସ୍ଥିତ ହେନ୍ତାଳ ବନ ବିଭାଗ(ବନ୍ୟଜନ୍ତୁ ସମ୍ପଦ) ଅଧୀନରେ ଏହି ବିସ୍ତୀର୍ଣ୍ଣ ଅଞ୍ଚଳ ରହିଥିଲେ ସୁଦ୍ଧା ଜବରଦଖଲ କାରଣରୁ ବନୀକରଣ ହୋଇପାରୁ ନାହିଁ । ଅତୀତରେ ଯୁଗ୍ମ ସର୍ଭେ ବଳରେ ଉଭୟ ଜିଲ୍ଲାର ରାଜସ୍ୱ ଓ ବନ ବିଭାଗ ପ୍ରାୟ ୨୫୦୦ ହେକ୍ଟର ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ହୋଇଥିବା ଜାଣିବାକୁ ପାଇଥିଲେ । ଅଧିସୂଚିତ ଜଙ୍ଗଲ ଜମିକୁ କବ୍‌ଜା କରାଯିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ଏବଂ ପରିବେଶ ଉପରେ ଅତିରିକ୍ତ ପ୍ରତିକୂଳ ପ୍ରଭାବ ବିସ୍ତାର କରିଆସୁଛି । ଏରସମା ସିଆଳି ବେଳାଭୂମିର ଭିୟ୍ୟୁ ଟାୱାରଟି ମାଟିରେ ମିଶିବା ଏହାର ଚାକ୍ଷୁସ ପ୍ରମାଣ ମଧ୍ୟ । ସେସମୟରେ ବି ୨୨୮ଟି ଅନଧିକାର ଦଖଲ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିରୋଧ ହେବାରୁ ଉଚ୍ଛେଦ ଅଭିଯାନ ଆଗେଇ ପାରି ନଥିଲା । ଅନୁରୂପ ଭାବେ ସମୁଦ୍ର ତଟବର୍ତ୍ତୀ ସରକାରୀ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଦେଇଛନ୍ତି କେତେକ ପ୍ରଭାବଶାଳୀ ବ୍ୟକ୍ତି ି ବିଶେଷ । ବାଲିକୁଦା ଓ ଏରସମାର ଉପକୂଳବର୍ତ୍ତୀ ମୌଜାରେ ଶହଶହ ଏକର ସରକାରୀ ଜଙ୍ଗଲ ଜମିକୁ ହାତେଇ ନିଆଯାଇଛି । ଏରସମା ତହସିଲର ପଦ୍ମପୁର ଆରଆଇ ସର୍କଲ, ଗଡ଼ହରିଶପୁର ମୌଜାରେ ଏପ୍ରକାର କେଳେଙ୍କାରୀ କରାଯାଇଛି । 

କିଛି ବର୍ଷ ତଳେ ମଧ୍ୟ ବାଲିକୁଦାରେ ୨୦୪ ହେକ୍ଟର ଓ ଏରସମା ବ୍ଲକ ଅଞ୍ଚଳରେ ୫୩୩ ହେକ୍ଟର ସରକାରୀ ଅନାବାଦି ଯୋଗ୍ୟ ଜମି ଓ ଜଙ୍ଗଲ ଜମି ମାଫିଆମାନଙ୍କ ଦଖଲରେ ଥିବା ଚର୍ଚ୍ଚାର ପରିଧିକୁ ଆସିଥିଲା । ଏଣେକିନ୍ତୁ ଦେଖିଲେ ନିଜ ଭୂଭାଗ ତଥା ସମ୍ପତ୍ତିର ସୁରକ୍ଷା ନିମନ୍ତେ ସରକାର ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଚାଲିଛନ୍ତି । ଜଗତସିଂହପୁର ଜିଲ୍ଲା ଉପରେ ଆଖି ବୁଲାଇଲେ ୧ କୋଟି ୬୬ ଲକ୍ଷ ୭୦ ହଜାର ୫୬୪ ଟଙ୍କା ସରକାରୀ ସମ୍ପତ୍ତିର ସୁରକ୍ଷା ଦିଗରେ ବିନିଯୋଗ ହେବା ବଦଳରେ ପକାଇ ରଖାଯାଇଥିବା ୨/୩ ମାସ ତଳେ ଜଣାପଡ଼ିଥିଲା ।  ୨୦୧୨ ୧୩ ମସିହା ପୂର୍ବରୁ ସରକାର ନିଜର ବହୁମୂଲ୍ୟ ସମ୍ପତ୍ତିର ସୁରକ୍ଷା ଦିଗକୁ ଅଗ୍ରାଧିକାର ଦେଇଥିଲେ । ସର୍ବମୋଟ ଏହି ବର୍ଷ ଗୁଡ଼ିକରେ ଜିଲ୍ଲାକୁ ୨ କୋଟି ୮୯ ଲକ୍ଷ ୭୬ ହଜାର ୧୦୦ ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ୨୦୧୫-୧୬ରେ ଅନ୍ୟ ତହସିଲକୁ ଛାଡ଼ି କେବଳ କୁଜଙ୍ଗକୁ ୮ ଲକ୍ଷ ଟଙ୍କା ଆସିଥିଲା । ୨୦୨୧ ୨୨, ୨୨-୨୩ରେ ମଧ୍ୟ କୁଜଙ୍ଗ ତହସିଲକୁ ମିଳିଥିଲା ମୋଟ ୪୫ ଲକ୍ଷ ୩୧ ହଜାର ୧୦୦ ଟଙ୍କା । ତଥାପି ସରକାରୀ ଜମି ଅସୁରକ୍ଷିତ ରହିବା ଆଶ୍ଚର୍ଯ୍ୟର ବିଷୟ । ଜିଲ୍ଲାର ରାଜସ୍ୱ ବିଭାଗ ଖାତାକୁ ପାଖାପାଖି ୩ କୋଟି ଟଙ୍କାର ଅନୁଦାନ ଆସିଥିଲେ ସୁଦ୍ଧା ଏଥିରୁ ୧ କୋଟି ୨୩ ଲକ୍ଷ ୫ ହଜାର ୫୩୬ ଟଙ୍କା ବ୍ୟୟରେ ସର୍ବମୋଟ ୭୬ ଏକର ୨୧ ଡିସିମିଲ ସରକାରୀ ଜାଗାକୁ ସୁରକ୍ଷିତ ରଖାଯାଇଥିବା ଦାବି ହେବା କୌତୂହଳର ବିଷୟ ହୋଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.