ନବରଙ୍ଗପୁର,୩୦/୫ : ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡାହାଣ୍ଡୀ ସହୀଦ ପୀଠର ଭିତ୍ତିଭୂମୀର ବିକାଶ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନୂତନ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ତହସିଲଦାର ତପନ କୁମାର ନାୟକ, ରାଜସ୍ବ ବିଭାଗର ସୁପରଭାଇଜର ଦେବେନ୍ଦ୍ର ମାଝୀ, ସହୀଦ ସ୍ମୃତି ସଂସଦର ଅଧ୍ୟକ୍ଷ ମୁନ୍ନା ତ୍ରିପାଠୀ, ବ୍ଲକଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ପାପଡାହାଣ୍ଡି ତହସିଲର ବିଭିନ୍ନ ସରକାରୀ ଜମି ପରିଦର୍ଶନ କରିଛନ୍ତି।
ସେଥୁରୁ ପାପାଡାହାଣ୍ଡିର କେନ୍ଦୁଗୁଡା ନିକଟ ଉମରକୋଟ ରାସ୍ତା ପାର୍ଶ୍ଵରେ ଥିବା ପ୍ରାୟ ୨୫ଏକର ସରକାରୀ ଜମିକୁ ପରିଦର୍ଶନ କରିଛନ୍ତି । ସେଭଳି କୋଷାଗୁମଡ଼ା ବ୍ଲକ ରାସ୍ତାର ତଣ୍ଡାଗୁଡା ଗାଁ ନିକଟ ୯ଏକର ସରକାରୀ ଜମି ଓ ନବରଙ୍ଗପୁର ରାସ୍ତାରେ ଆଦିବାସୀ ସଂଗ୍ରହଳାୟ ପାଇଁ ସଂରକ୍ଷିତ ଥିବା ୫ଏକର ସରକାରୀ ଜମିକୁ ପରିଦର୍ଶନ କରିଛନ୍ତି । ଏହି ୩ଟି ସରକାରୀ ଜମିରୁ ସହୀଦ ପାଠ ପାଇଁ ଆନଷଙ୍ଗିକ ବ୍ୟବସ୍ଥା ସହ ଗମନାଗନର ସୁବିଧା ଇତ୍ୟାଦିକୁ ଗୁରୁତ୍ବ ଦେଇ ୩ଟି ଜାଗା ମଧ୍ଯରୁ କୌଣସି ଗୋଟିଏ ସରକାରୀ ଜମିକୁ ଚିହ୍ନଟ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୧୯୪୨ରେ ଅଗଷ୍ଟ ୨୪ରେ ସ୍ବାଧୀନତା ଆନ୍ଦୋଳନରେ ପାପଡ଼ାହାଣ୍ଡି ଟୁରୀନଦୀ କୂଳରେ ୧୯ଜଣ ସଂଗ୍ରାମୀ ଇଂରେଜ ଗୁଳିରେ ସହୀଦ ହୋଇଯାଇଥିଲେ । ଏହି ସ୍ମୃତିରେ ଟୁରୀ ନଦୀ କୂଳରେ ସହୀଦ ସ୍ତମ୍ଭନିର୍ମାଣ କରି ପ୍ରତି ବର୍ଷ ସହୀଦ ଦିବସ ପାଳନ କରାଯାଉଛି । କିନ୍ତୁ ୩୯ନଂ ରାଜ୍ୟରାଜପଥ ପାର୍ଶ୍ଵରେ ସହୀଦସ୍ତମ୍ଭ ରହିଥିବା ବେଳେ ଏହାର ଭୂତ୍ତିଭୂମୀର ବିକାଶ ପାଇଁ ରାଜ୍ୟସରକାର ୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ୫ଏକର ବିସ୍ତୀର୍ଣ୍ଣ ଜମିରେ ନୂଆ ରୂପରେ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନୂତନ ଜାଗା ଚିହ୍ନଟ କରାଯାଉଛି ।