ଭୁବନେଶ୍ୱର, ୨୦/୦୧: ରେଳ ଦୁର୍ଘଟଣା ରୋକିବାକୁ ଲାଗିବ କବଚ । ଏଥିପାଇଁ ରେଳ ଲାଇନ୍ ସମେତ ଷ୍ଟେସନ ପାଖରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ହେବ । ଏହା ଦ୍ୱାରା ସିଗ୍ନାଲ ସାହାଯ୍ୟରେ ଦୁର୍ଘଟଣା ରୋକାଯିବ । ଟ୍ରେନ୍ର ବେଗ ସ୍ୱତଃ ନିୟନ୍ତ୍ରିତ ହେବ । ଏଥିରେ ବିଭିନ୍ନ ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ଥିବାରୁ ଭୁଲବଶତଃ ଏକାଧିକ ଟ୍ରେନ ପାଖାପାଖି ହେଲେ ପ୍ରଯୁକ୍ତି ବଳରେ ହେବାକୁ ଥିବା ଦୁର୍ଘଟଣା ପୂର୍ବରୁ କିଛି ଦୂରରୁ ଅଟକି ଯିବ । ବିଶେଷ କରି ଟ୍ରେନ ଚାଳକ ନାଲି ସଙ୍କେତ(ରେଡ୍ ସିଗ୍ନାଲ୍) ଅତିକ୍ରମ କରିଥିଲେ, କବଚ ଲାଗିଥିବା ରେଳ ଲାଇନଗୁଡ଼ିକରେ ଆପେ ଆପେ ବ୍ରେକ୍ ଲାଗିବ । ଏହି ନୂଆ ଅତ୍ୟାଧୁନିକ ପ୍ରଯୁକ୍ତି କବଚ ଆମ ଦେଶରେ ନିର୍ମିତ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ।
ଆଗାମୀ ଦିନରେ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବ । ତେବେ ସେହି କ୍ରମରେ ଭଦ୍ରକ ଜିଲ୍ଲାର ରାଣୀତାଲରୁ ବିଶାଖାପାଟଣାର ଦୁବାଡ଼ା ପର୍ଯ୍ୟନ୍ତ ରେଳ ଲାଇନରେ କବଚ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ସେଥିପାଇଁ ଟେଣ୍ଡର ଆହ୍ୱାନ କରିଛି ପୂର୍ବତଟ ରେଳପଥ । ଗତ ୧୬ ତାରିଖରେ ଟେଣ୍ଡର ଆହ୍ୱାନ କରିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୮ ତାରିଖ ଆବେଦନର ଶେଷ ଦିବସ ରହିଛି । ମୋଟ ୫୯୫ କିମି ରେଳ ଲାଇନରେ କବଚ ସୁରକ୍ଷା ବ୍ୟବସ୍ଥା କରିବାକୁ ପାଖାପାଖି ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। କାମ ଶେଷ କରିବା ପାଇଁ ୧୮ ମାସ ଅବଧି ଦିଆଯାଇଛି । ମାର୍ଚ୍ଚ ୪ ତାରିଖରୁ ବିଡିଂ ତାରିଖ ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଟେଣ୍ଡର ପ୍ରକ୍ରିୟାରେ କବଚ ପ୍ରତିଷ୍ଠା ବାବଦରେ ସର୍ଭେ, ଡିଜାଇନ୍, ବିଭିନ୍ନ ପ୍ରକାରର ସାମଗ୍ରୀ ଯୋଗାଣ, ମୂଳଦୁଆ, ଫେବ୍ରିକେସନ୍, ଟାୱାର ପ୍ରତିଷ୍ଠା ଅନ୍ତର୍ଭୁକ୍ତ । ଅତ୍ୟାଧୁନିକ ସିଗନାଲ୍, ଇଣ୍ଟରଲକିଂ ବ୍ୟବସ୍ଥା ପ୍ରମୁଖକୁ ଅଧିକ ଧ୍ୟାନ ଦିଆଯାଉଛି । ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓଡ଼ିଶାରୁ ଜିତି ରାଜ୍ୟସଭାକୁ ଯାଇଥିବାରୁ ରାଜ୍ୟରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ସେହିପରି ଆଗାମୀ ଦିନରେ ରେଳ ଅଟୋମେଟିକ୍ ଟ୍ରେନ୍ ସୁରକ୍ଷା (ଏଟିପି) ସିଷ୍ଟମ ମାଧ୍ୟମରେ ଟ୍ରେନର ଗତି ନିୟନ୍ତ୍ରଣ କରାଯିବ । ଟେଲିକମ୍ ନେଟୱାର୍କ ଭଳି ରେଳ ଟ୍ରାକରେ ଉପକରଣଗୁଡ଼ିକ ଲଗାଯିବ । ଏସବୁକୁ ସିଗ୍ନାଲ ସହିତ ଯୋଡ଼ାଯିବ । ଏ ନେଇ ପ୍ରତି ଷ୍ଟେସନରେ ଏକ ଡାଟା ସେଣ୍ଟର ଏବଂ ଏକ ମୁଖ୍ୟ ଡାଟା ସେଣ୍ଟର ରହିବ ।