ନୂଆଦିଲ୍ଲୀ ୨୫/୦୩: କାନପୁର ବାସିନ୍ଦା ଜଣେ ଯୁବକ ଜଣେ ସାଇବର ଠକକୁ ଠକିଛନ୍ତି । ଠକଠୁ ସେ ୧୦ ହଜାର ଟଙ୍କା ଠକି ନେଇଛନ୍ତି । ଗୋଟିଏ ଧମକପୂର୍ଣ୍ଣ ଠକେଇର ପ୍ରୟାସ ଠକକୁ ମହଙ୍ଗା ପଡ଼ିଲା । ଶେଷରେ ସେ ନିଜେ ଠକାମିର ଶିକାର ହେଲା ଏବଂ ନିଜର ଅର୍ଥ ଫେରି ପାଇବାକୁ ଯୁବକଙ୍କ ପାଖରେ ତାକୁ ନେହୁରା ହେବାକୁ ପଡ଼ିଲା ।
ନିକଟରେ ଭୂପେନ୍ଦ୍ର ସିଂହଙ୍କୁ ଏକ ଫୋନ୍ କଲ୍ ଆସିଲା । ଫୋନ୍ରେ ଜଣେ ଠକ ନିଜକୁ ସିବିଆଇ ଅଫିସର୍ର ପରିଚୟ ଦେଲା । ସିଂହଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ସେ ଧମକ ଦେଲା ଏବଂ ମାମଲା ରଫାଦଫା ପାଇଁ ୧୬ ହଜାର ଟଙ୍କା ମଧ୍ୟ ମାଗିଲା । ଦାବି ପୂରଣ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲା । ଏହି ଧମକକୁ ସତ ଦର୍ଶାଇବା ପାଇଁ ସେ ସିଂହଙ୍କ ବିରୋଧରେ ମିଛ ଅଭିଯୋଗର ଏକ ଫଟୋ ସିଂହଙ୍କ ପାଖକୁ ପଠାଇଲା ।
ସିଂହ କିନ୍ତୁ ସହଜରେ ବୋକା ବନିଲେ ନାହିଁ । ସେ ତୁରନ୍ତ ଉକ୍ତ ଫଟୋକୁ ଯାଞ୍ଚ୍ କରିବା ଲାଗି ଗୁଗଲ୍ ଲେନ୍ସ ବ୍ୟବହାର କଲେ ଏବଂ ତାହା ମିଛ ବୋଲି ଜାଣିପାରିଲେ । ଭୟଭୀତ ହେବା ବଦଳରେ ସିଂହ ସ୍ଥିତିକୁ ବଦଳାଇବାକୁ ଚିନ୍ତା କଲେ ଏବଂ ଠକକୁ ତା’ରି ଗେମ୍ରେ ମାତ୍ ଦେବାକୁ ନିଷ୍ପତ୍ତି ନେଲେ । ସିଂହ ତୁରନ୍ତ ଏକ ମିଛ କାହାଣୀ ଗଢ଼ିଲେ ଏବଂ ଠକକୁ କହିଲେ ଯେ ସେ ଏକ ସୁନା ଚେନ୍ ବନ୍ଧା ରଖିଛନ୍ତି । ତାକୁ ମୁକୁଳାଇବାକୁ ୩ ହଜାର ଟଙ୍କା ଦରକାର । ସିଂହଙ୍କ ମିଛକୁ ବିଶ୍ୱାସ କରି ଠକ ତାଙ୍କୁ ଟଙ୍କା ପଠାଇଲା । ତା’ପରେ କିଛି ଦିନ ସିଂହ ତାକୁ ନୂଆ ନୂଆ କାହାଣୀ ଶୁଣାଇଲେ ଏବଂ ଧୀରେ ଧୀରେ ଠକଠାରୁ ମୋଟ୍ ୧୦ ହଜାର ଟଙ୍କା ଠକିନେଲେ । ନିଜର ମିଛକୁ ସତ ବୋଲି ବିଶ୍ୱାସ ଜନ୍ମାଇବା ପାଇଁ ସିଂହ ନିଜର ଜଣେ ସାଙ୍ଗକୁ ଗହଣା ଦୋକାନୀ କରି ଏଥିରେ ସାମିଲ କଲେ ।
ବ୍ରୁଟ୍ ଇଣ୍ଡିଆ ଦ୍ୱାରା ଶେୟାର ହୋଇଥିବା ଏକ ଭିଡିଓରେ ସିଂହ କିଭଳି ଠକକୁ ଠକିଛନ୍ତି ତାହା ବର୍ଣ୍ଣନା କରିଛନ୍ତି । ସେ ଠକକୁ କହିଲେ ‘ସାର୍, ମୁଁ ଟଙ୍କାର ବ୍ୟବସ୍ଥା କରିପାରିବି ନାହିଁ । କିନ୍ତୁ ମୁଁ ମୋ ଘରୁ ଏକ ଚେନ୍ ଚୋରି କରିଥିଲି, ଯାହାକୁ ମୋର ଜଣେ ସାଙ୍ଗର ବାପାଙ୍କ ପାଖରେ ବନ୍ଧା ରଖିଛି । ଯଦି ଆପଣ ୩ ହଜାର ଟଙ୍କା ମୋତେ ଦେବେ, ତେବେ ଆପଣଙ୍କର ବହୁତ ବହୁତ ଦୟା ହେବ । ମୁଁ ଚେନ୍ ମୁକୁଳାଇ ତାକୁ ବିକି ଆପଣଙ୍କୁ ୨୦ ହଜାର ଟଙ୍କା ପଠାଇଦେବି ।’ ସିଂହଙ୍କ ଉପସ୍ଥିତ ବୁଦ୍ଧିକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି ।