ନୂଆଦିଲ୍ଲୀ,୨୫/୦୪: ଦେଶକୁ ସ୍ତବ୍ଦ କରି ଦେଇଛି ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣ । ସବୁଠି କୋହ ଆଉ କ୍ରୋଧ । ପହଲଗାମରେ ବୋହିଥିବା ଲହୁ ଓ ଲୁହର ପ୍ରତିଶୋଧ ନେବାକୁ ଦେଶବାସୀ ଦାବି କରିଛନ୍ତି । ଏତେ ବଡ଼ ବିପତ୍ତି ଭିତରେ ବି କିଛି ଭଲ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମଣିଷପଣିଆ ମାନବିକତା ଏବେ ବି ବଞ୍ଚିଥିବାର ପ୍ରମାଣ ଦେଇଛି । ପହଲଗାମ ଆତଙ୍କୀ ଆକ୍ରମଣର ଜଣେ ଆହତଙ୍କୁ କାନ୍ଧରେ ବୁହାଇ ହସ୍ପିଟାଲରେ ପହଞ୍ଚାଇଛନ୍ତି ଜଣେ କାଶ୍ମୀରୀ । ସୋସିଆଲ ମିଡ଼ିଆରେ ଉକ୍ତ ସମୟରେ ଭିଡ଼ିଓ ଭାଇରାଲ ହୋଇଛି ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ମୁସଲମାନଙ୍କୁ ଟାର୍ଗେଟ କରାଯାଇଛି । ହେଲେ ସାମାଜିକ ଗଣମାଧ୍ୟମରେ କିଛି ସକରାତ୍ମକ ଭିଡିଓ ସାମ୍ନକୁ ଆସିଛି । କାଶ୍ମୀରର ସଜାଦ ଅହମ୍ମଦ ଭଟ୍ଟ ଆକ୍ରମଣ ସ୍ଥଳରୁ ଆହତଙ୍କୁ ପିଠିରେ ବୋହି ହସ୍ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେଇ ସଜାଦ ଅହମ୍ମଦ ଭଟ୍ଟ କହିଛନ୍ତି, ''ମୁଁ ଘରେ ବସିଥିଲି । ଏହି ଦୁର୍ଘଟଣାର ଖବର ଜାଣିବାକୁ ପାଇଥିଲି । ସେଠାରେ ଲୋକଙ୍କୁ ସାହାଯ୍ୟ ଦରକାର ଥିଲା । ଏହା ଶୁଣିବା ମାତ୍ରେ ମୁଁ ଯାଇଥିଲି । କିଛି ଲୋକ ସେଠାରେ କାନ୍ଦୁଥିଲେ ଭାଇ ଆମକୁ ବଞ୍ଚାଅ ବଞ୍ଚାଅ ବୋଲି କହୁଥିଲେ । ଆମେ ସ୍ଥାନୀୟ ଲୋକ ବୋଲି କହିଥିଲୁ ତାଙ୍କୁ ପାଣି ଦେଇଥିଲୁ । ଡରନ୍ତୁ ନାହିଁ ବୋଲି କହିବା ସହିତ କାନ୍ଧରେ ଉଠାଇ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲୁ । ମୋ ଛଡା ବି ଅନେକ ଲୋକ ଥିଲେ ପର୍ଯ୍ୟଟକଙ୍କୁ କାନ୍ଧରେ ଉଠାଇ ଡାକ୍ତରଖାନା ନେଇଥିଲେ । ମୋର ଭିଡ଼ିଓ ଭାଇରାଲ ହୋଇଛି । ''
ଖାଲି ସଜାଦ ଅହମ୍ମଦ ନୁହନ୍ତି, ସେ ଦିନ ସ୍ଥାନୀୟ ତଟୁ ଘୋଡା ଚାଳକ ସୟଦ ଅଦିଲ ହୁସେନ ଶାହଙ୍କ ଅସାଧାରଣ ସାହସିକତା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସୟଦ ଅଦିଲ ଆତଙ୍କବାଦୀଙ୍କ ରାଇଫଲ ଛଡ଼ାଇ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ।