ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାନ୍ଦୀପୋରା ଜିଲ୍ଲାରେ ପୁଲିସ ଏକ ଯାଞ୍ଚ ଅଭିଯାନ ସମୟରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ସହ ଜଡ଼ିତ ତିନି ସନ୍ଧିଗ୍ଧଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ମଙ୍ଗଳବାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବାର ମାତ୍ର ଦୁଇ ଦିନ ମଧ୍ୟରେ ସମ୍ପନ୍ନ ହୋଇଛି।
ଗାରୁରା ହାଜିନ ଅଞ୍ଚଳରେ ଏକ ପୋଲିସ ଚେକିଂ ଅଭିଯାନ ଚାଲିଥିବା ବେଳେ ୩ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଥିଲା। ସୋମାନଙ୍କ ନିକଟରୁ ଏକ ଚୀନ ନିର୍ମିତ ପିସ୍ତଲ, ଦୁଇଟି ମ୍ୟାଗଜିନ, ୧୪ ରାଉଣ୍ଡ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ଲସ୍କର-ଏ-ତୋଇବାର ଓଭରଗ୍ରାଉଣ୍ଡ କର୍ମୀ (OGW) ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଏହି ସହଯୋଗୀମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସହାୟତା କରୁଥିଲେ। ଏଣୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପହଲଗାମ ଆକ୍ରମଣରେ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି।
ବାନ୍ଦୀପୋରାରେ ସୁରକ୍ଷା ବାହିନୀଙ୍କ ହାତରେ ଲାଗିଥିବା ଏହି ୩ ସନ୍ଧିଗ୍ଧ ପହଲଗାମ ମାମଲାରେ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। କାରଣ ପୁଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିମାନେ ସମ୍ପୃକ୍ତ ସହଯୋଗୀମାନଙ୍କୁ ଜେରା କରି ପହଲଗାମ ଆକ୍ରମଣରେ ସ୍ଥାନୀୟ ସମର୍ଥନ ଏବଂ ଅନ୍ୟ ଆତଙ୍କବାଦୀ ନେଟୱାର୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପୂର୍ବରୁ ବାନ୍ଦୀପୋରାରେ ଚାରି ଜଣ ଓଭରଗ୍ରାଉଣ୍ଡ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଯାହା ଦର୍ଶାଉଛି ଯେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ସୁରକ୍ଷା ବାହିନୀ ନିରନ୍ତର ପ୍ରୟାସ ଜାରି ରଖିଛି।
ଏହି ଗିରଫଦାରୀ ସମୟରେ ଜମ୍ମୁ ଓ କାଶ୍ମୀରରେ ରାଜନୈତିକ ଓ ସାମାଜିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଓମର ଆବଦୁଲ୍ଲାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଏହି ଆକ୍ରମଣ ଓ ତାହାର ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହେବ। ସେହିପରି ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂଗଠନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।
ଜାତୀୟ ତଦନ୍ତ ଏଜେନ୍ସି (NIA) ପହଲଗାମ ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ସେହିଭଳି ବିଭିନ୍ନ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟରେ ରହିଛନ୍ତି। ବାନ୍ଦୀପୋରାରେ ଗିରଫ ହୋଇଥିବା ସନ୍ଧିଗ୍ଧମାନଙ୍କୁ ଜେରା କରାଯାଉଛି। ଆଗାମୀ ସମୟରେ ସେମାନଙ୍କ ନିକଟରୁ ଆତଙ୍କୀ ଆକ୍ରମଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।