ନୂଆଦିଲ୍ଲୀ ୨୫/୦୪: ପହଲଗାମ୍ ଆକ୍ରମଣ ପରେ ପାକ୍ କଳାକାର ଫୱାଦ ଖାନ୍ଙ୍କ ବଲିଉଡ୍ କମ୍ବ୍ୟାକ୍ ଫିଲ୍ମ ‘ଅବୀର ଗୁଲାଲ’ ଆସନ୍ତା ୯ ତାରିଖରେ ରିଲିଜ୍ ହେବନାହିଁ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଫିଲ୍ମରେ ଫୱାଦଙ୍କ ସହ ବାନି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ଜଣେ ପାକ୍ କଳାକାରଙ୍କ ଫିଲ୍ମ ଭାରତରେ ମୁକ୍ତିଲାଭ କରିଥାନ୍ତା । ଉରୀ ଓ ପୁଲୱାମା ଆକ୍ରମଣ ପରେ ଭାରତରେ ପାକ୍ କଳାକାରଙ୍କ ଉପରେ ବ୍ୟାନ୍ ଲାଗୁ ହୋଇଥିଲା । ପହଲଗାମ୍ ନରସଂହାର ପରେ ଥିଏଟର ମାଲିକମାନେ ‘ଅବୀର ଗୁଲାଲ୍’ର ସ୍କ୍ରିନିଂ ପାଇଁ ରାଜି ହେଉନାହାନ୍ତି ।
ଏ ବିଷୟରେ ସେମାନେ ଫିଲ୍ମ ନିର୍ମାତାଙ୍କୁ ସ୍ପଷ୍ଟ କରିଛନ୍ତି । ପହଲଗାମ୍ ଆକ୍ରମଣ ପରେ ଫିଲ୍ମ ଫେଡେରେସନ୍ ଏଫ୍ଡବ୍ଲ୍ୟୁଆଇସିଇର ମୁଖ୍ୟ ଉପଦେଷ୍ଟା ଅଶୋକ ପଣ୍ଡିତ ଔପଚାରିକ ରୂପେ ପାକ୍ କଳାକାରଙ୍କୁ ଭାରତରୁ ବ୍ୟାନ୍ ଘୋଷଣା କରିଛନ୍ତି । ଭାରତର କଳାକାର ଏଣିକି କୌଣସି ପାକ୍ କଳାକାର, ଗାୟକ ବା ଟେକ୍ନିସିଆନ୍ଙ୍କ ସହ କାମ କରିବେ ନାହିଁ । ଫୱାଦ ଖାନ୍ଙ୍କ ଫିଲ୍ମ ‘ଅବୀର ଗୁଲାଲ୍’ ଉପରେ ମଧ୍ୟ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଫୱାଦ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି ‘ପହଲଗାମ୍ର ଘୃଣ୍ୟ ଆକ୍ରମଣ ଖବର ଶୁଣି ମୁଁ ଦୁଃଖିତ । ପୀଡ଼ିତଙ୍କ ସହ ମୋର ସମ୍ବେଦନା ରହିଛି । ଏହି ଜଟିଳ ସମୟରେ ସେମାନଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି ।’ ଇତିମଧ୍ୟରେ ପାକ୍ ଅଭିନେତ୍ରୀ ହାନିୟା ଆମିର ଇନ୍ଷ୍ଟାରେ ଏକ ପୋଷ୍ଟ୍ ଶେୟାର କରି ଲେଖିଛନ୍ତି, ଦୁର୍ଘଟଣା ଯେଉଁଠି ବି ହେଉ, ତାହା ସମସ୍ତଙ୍କ ପାଇଁ ଦୁର୍ଘଟଣା । ସଦ୍ୟ ଘଟଣାର ପୀଡ଼ିତଙ୍କ ସହ ମୋର ସମବେଦନା ଅଛି । ଯନ୍ତ୍ରଣା, ଶୋକ ଓ ଏହି ଆଶାରେ ଅଛି ଯେ ଆମେ ସମସ୍ତେ ଏକ । ଆଶା କରୁଛି ଆମେ ସମସ୍ତେ ମାନବିକତାକୁ ଚୟନ କରିବା ।