ମୁମ୍ବାଇ ୨୩/୦୪: ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନ୍ଙ୍କ ପରେ ବଲିଉଡ୍ର ନୂଆ ଡନ୍ ରଣବୀର ସିଂହ ହେବେ ବୋଲି ୨୦୨୪ରେ ଘୋଷଣା ହୋଇଥିଲା । ‘ଡନ୍-୩’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ଫରହାନ ହଖ୍ତର ନିର୍ଦ୍ଦେଶନା ଦୁନିଆକୁ ଫେରୁଛନ୍ତି ବୋଲି ମଧ୍ୟ ଘୋଷଣା ହୋଇଥିଲା । ଫିଲ୍ମର ଫିମେଲ୍ ଲିଡ୍ ଭାବେ ପ୍ରଥମେ କିଆରା ଆଡ଼ଭାନିଙ୍କୁ କାଷ୍ଟ୍ କରାଯାଇଥିଲା । କିନ୍ତୁ ଗର୍ଭବତୀ ଥିବାରୁ ଏହି ହାଇ-ପ୍ରୋଫାଇଲ ପ୍ରୋଜେକ୍ଟରୁ ସେ ଓହରିଗଲେ । ତାଜା ଖବର ଅନୁସାରେ, ‘ଡନ୍-୩’ରେ ରଣବୀରଙ୍କ ଅପୋଜିଟ୍ରେ ଲିଡ୍ ଲେଡି ଭାବେ କ୍ରିତି ସାନନ୍ଙ୍କ ନାଁ ଚର୍ଚ୍ଚାକୁ ଆସିଛି ।
ପିଙ୍କ୍ଭିଲ୍ଲାର ରିପୋର୍ଟ ଅନୁସାରେ, କ୍ରିତି ଫିଲ୍ମରେ ମୁଖ୍ୟ ନାୟିକା ହେବାକୁ ରାଜି ହୋଇଛନ୍ତି । କିଛି ଦିନ ମଧ୍ୟରେ ପ୍ରୋଜେକ୍ଟରେ ସେ ଔପଚାରିକ ଭାବେ ଚୁକ୍ତି କରିବେ । ଫିଲ୍ମରେ ରୋମା ଭୂମିକା ପାଇଁ ଫରହାନ ଓ ପ୍ରଡକ୍ସନ୍ ହାଉସ୍ ଜଣେ ଜଣାଶୁଣା ଓ ସଶକ୍ତ ଚରିତ୍ର ଖୋଜୁଥିଲେ । ସେମାନଙ୍କ ନଜରରେ କ୍ରିତି ପର୍ଫେକ୍ଟ ମ୍ୟାଚ୍ ହେଲେ । ପ୍ରୋଜେକ୍ଟରେ ଖୁବ୍ଶୀଘ୍ର ଯୋଗ ଦେବାକୁ କ୍ରିତି ଉତ୍ସାହିତ ଅଛନ୍ତି । ଫିଲ୍ମଟି ମୁଖ୍ୟତଃ ୟୁରୋପରେ ସୁଟିଂ ହେବ । ସୁଟିଂ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାକ୍-ପ୍ରଯୋଜନା କାମ ଆଉ କିଛି ମାସ ଧରି ଚାଲିବ । ଏହା ପରେ ଅକ୍ଟୋବର କିମ୍ବା ନଭେମ୍ବରରେ ଫିଲ୍ମଟି ସୁଟିଂ ଫ୍ଲୋର୍କୁ ଆସିବ । ‘ଡନ୍-୩’ର ସୁଟିଂ ଆରମ୍ଭ ପୂର୍ବରୁ କ୍ରିତି ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ‘ତେରେ ଇଶ୍କ ମେଁ’ ଓ ଦିନେଶ ଭିଜନଙ୍କ ପ୍ରଯୋଜିତ ‘କକ୍ଟେଲ୍-୨’ର ସୁଟିଂ ଶେଷ କରିବେ । ଆନନ୍ଦ ଏଲ୍ ରାୟଙ୍କ ହରର୍ ଫିଲ୍ମ ‘ନୟି ନବେଲି’ରେ ଅଭିନୟ ପାଇଁ ମଧ୍ୟ ତାଙ୍କର ଯୋଜନା ରହିଛି ।