ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ଭାରତ ଘେରିବା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏହି ସମୟରେ ଭାରତୀୟ ବାୟୁସେନା (ଆଇଏଏଫ) ଗୁରୁବାର ଏକ ବଡ ଧରଣର ଯୁଦ୍ଧ ପ୍ରସ୍ତୁତି ଅଭ୍ୟାସ ଆରମ୍ଭ କରିଛି। ଯାହାର ନାମ ‘ଆକ୍ରମଣ’ ରଖାଯାଇଛି। ଏହି ଅଭ୍ୟାସରେ ରାଫାଲ ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ମୁଖ୍ୟ ଯୁଦ୍ଧବିମାନ ସାମିଲ ହୋଇ ପାର୍ବତ୍ୟାଞ୍ଚଳ ଏବଂ ଭୂପୃଷ୍ଟରେ ଲକ୍ଷ୍ୟଭେଦ ଅଭ୍ୟାସ କରୁଛନ୍ତି।
ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରାରେ ଅବସ୍ଥାପିତ ରାଫାଲ ଯୁଦ୍ଧବିମାନର ଦୁଇଟି ସ୍କ୍ୱାଡ୍ରନ ଏହି ଅଭ୍ୟାସରେ ନେତୃତ୍ୱ ନେଉଛନ୍ତି। ସୁଖୋଇ-୩୦ ଏମକେଆଇ ସମେତ ଅନ୍ୟ ଯୁଦ୍ଧ ବିମାନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭ୍ୟାସରେ ଆକାଶପଥରୁ ଭୂପୃଷ୍ଟକୁ ଆକ୍ରମଣ ଏବଂ ଇଲେକ୍ଟ୍ରୋନିକ ୱାରଫେୟାରର ଅଭ୍ୟାସ କରାଯାଉଛି। ବିମାନଗୁଡ଼ିକ ପୂର୍ବାଞ୍ଚଳ ସମେତ ବିଭିନ୍ନ ବେସରୁ ସ୍ଥାନାନ୍ତରିତ ହୋଇ ଏହି ପ୍ରସ୍ତୁତି ଅଭ୍ୟସରେ ଯୋଗ ଦେଇଥିବା ଜଣାପଡିଛି।
ଏହି ଅଭ୍ୟାସରେ ମେଟିଅର ଏୟାର-ଟୁ-ଏୟାର ମିସାଇଲ ଏବଂ ରାମ୍ପେଜ ଓ ରକ୍ସ ପରି ଦୀର୍ଘ-ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାର କରାଯାଉଛି। ଯାହା ଦକ୍ଷିଣ ଏସିଆ ଅଞ୍ଚଳରେ ଭାରତୀୟ ବାୟୁସେନାର ରଣନୈତିକ ଶ୍ରେଷ୍ଠତାକୁ ବୃଦ୍ଧି କରିଛି। ଏହି ଅଭ୍ୟାସରେ ଭୂପୃଷ୍ଟ ଏବଂ ପାର୍ବତ୍ୟ ଭୂମିରେ ଉଚ୍ଚ-ତୀବ୍ରତାରେ ଆକ୍ରମଣ ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ସୂଚନା ମିଳିଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର-ଏ-ତୋଇବାର ସହଯୋଗୀ ଦ ରେସିସ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜକୁ ଦାୟି କରିଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ପରିସ୍ଥିତିରେ ଭାରତୀୟ ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସ ଜାତୀୟ ସୁରକ୍ଷା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହି ଅଭ୍ୟାସ ଭାରତୀୟ ବାୟୁସେନାର ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରଣନୈତିକ ଦକ୍ଷତାର ପ୍ରଦର୍ଶନ କରୁଛି। ଯାହା ଭାରତରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।