ନୂଆଦିଲ୍ଲୀ: କାନାଡାରେ ହେବାକୁ ଥିବା ଆଗାମି ନିର୍ବାଚନରେ ଜଷ୍ଟିନ ଟ୍ରୁଡୋ ଭାଗ ନେବେନାହିଁ। ଏହା ସହ ସେ ସକ୍ରିୟ ରାଜନୀତିରୁ ସେ ସନ୍ୟାସ ନେଇଯିବେ ବୋଲି ଗୁରୁବାର ଆଧିକାରୀକ ସ୍ତରରେ ଘୋଷଣା କରିଛନ୍ତି। ସେ କାନାଡାର ସବୁଠୁ ଅଧିକ ଲୋକପ୍ରିୟ ଯୁବନେତା ଭାବେ ପ୍ରଶଂସା ସାଉଁଟିଥିବା ବେଳେ ବର୍ତ୍ତମାନ ନାଟକୀୟ ଢଙ୍ଗରେ ଟ୍ରୁଡୋଙ୍କ ରାଜନୀତି ଜୀବନର ପୂର୍ଣ୍ଣଛେଦ ପଡିଛି।
ଟ୍ରୁଡୋ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ‘ମୁଁ ଆସନ୍ତା କୌଣସି ବି ନିର୍ବାଚନରେ ଭାଗ ନେବି ନାହିଁ ବୋଲି ନିଷ୍ପତି ନେଇଛି। ରାଜନୀତି ଛାଡିବା ପରେ ମୁଁ କ’ଣ କରିବି ସେନେଇ ଏଯାଏ କୌଣସି ନିଷ୍ପତ୍ତି ନେଇନାହିଁ’ ବୋଲି ଟ୍ରୁଡୋ ଘୋଷଣା କରିଥିଲେ।
ନିଜର ଶାସନ କାଳ ମଧ୍ୟରେ ଟ୍ରୁଡୋ ଓ ଲିବେରାଲ ଦଳ ନିଜର ଅନେକ ଭୁଲ ନିଷ୍ପତ୍ତି ପାଇଁ କାନାଡାରେ ନିଜ ଲୋକପ୍ରିୟତା ହରାଇଥିଲେ। ଏହା ସହ ଆମେରିକା ଓ ଭାରତ ଭଳି କାନାଡାର ଅନେକ ବନ୍ଧୁ ରାଷ୍ଟ୍ରଙ୍କ ସହ ମଧ୍ୟ କୁଟନୈତିକ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିକୁ ଚାଲିଯାଇଥିଲା।
ତେବେ କାନାଡାର ଲିବରାଲ ଦଳ ନିଜର ନେତା ବାଛିବା ପରେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି ବୋଲି ଟ୍ରୁଡୋ ନିକଟରେ ଘୋଷଣା କରିଥିଲେ। ଲିବରାଲ ଦଳ ବାଛିଥିବା ନେତା ଆଗାମୀ ନିର୍ବାଚନ ଯାଏ କାନାଡାର ପ୍ରଧାନମନ୍ତ୍ରୀ ରୁପେ କାର୍ଯ୍ୟକରିବେ। ତେବେ ଆପଣଙ୍କୁ ଜଣାଇ ରଖୁ ଯେ ଆସନ୍ତା ଅଗଷ୍ଟ ମାସରେ କାନାଡାରେ ନିର୍ବାଚନ ହେବାକୁ ଯାଉଛି।
ବ୍ୟାଙ୍କ ଅଫ କାନାଡାର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନେ ଟ୍ରୁଡୋଙ୍କ ଜାଗା ବହୁ ଜଲଦି ନେବାକୁ ଯାଉଛନ୍ତି ବୋଲି କାନାଡାର ଗଣମାଧ୍ୟମ ସଂସ୍ଥା ସିଟି ନ୍ୟୁଜ ଏକ ରିପୋର୍ଟ ପ୍ରକାଶ କରିଛି। ତେବେ କାନାଡାରେ ନିକଟରେ ହୋଇଥିବା ପୋଲ୍ ରେ ଆଗାମୀ ନିର୍ବାଚନରେ ପୀରେ ପୋଇଲିଭ୍ରେ ଓ ତାଙ୍କ କନଜରଭେଟିବ ଦଳ ସଂଖ୍ୟ ଗରିଷ୍ଠତା ହାସଲ କରିବାକୁ ଯାଉଛି ବୋଲି ସୂଚନା ମିଳିଛି।