ନୂଆଦିଲ୍ଲୀ, ୧୩।୨: ଅଧିକାଂଶ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ଅଫର୍ ଦେଇଥାନ୍ତି । ଯେପରିକି ପ୍ରୋତ୍ସାହନ ରାଶି, ପଦୋନ୍ନତି, ହଲିଡେ ଟୁର୍ ଅଫର୍ । ନିକଟରେ ଜାପାନ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏକ ଅଜବ ଅଫର୍ ରଖିଛି, ଯାହାକୁ ଶୁଣିଲେ ଆପଣ ଅବାକ୍ ହୋଇଯିବେ । କୌଣସି କମ୍ପାନୀ ନିଜ କର୍ମଚାରୀଙ୍କୁ ମଦ ବାଣ୍ଟୁଥିବାର ଶୁଣିଛନ୍ତି କି ? ଓସାକାସ୍ଥିତ ଟ୍ରଷ୍ଟ ରିଙ୍ଗ ନାମକ ଏକ ଟେକ୍ କମ୍ପାନୀ ଅଫିସରେ କର୍ମଚାରୀଙ୍କ ପାଇଁ ମଦର ବ୍ୟବସ୍ଥା କରିଛି । ସେ ପୁଣି ସମ୍ପୂର୍ଣ୍ଣ ମାଗଣା । କେବଳ ଏତିକି ନୁହେଁ, ମଦ ପିଇବା ପରେ କର୍ମଚାରୀଙ୍କ ପାଇଁ ହ୍ୟାଙ୍ଗଓଭର ଲିଭ୍ ମଧ୍ୟ ଅଫର୍ କରିଛି । କମ୍ପାନୀ କର୍ମଚାରୀଙ୍କ ପାଇଁ ୨ରୁ ୩ ଘଣ୍ଟା ପାଇଁ ହ୍ୟାଙ୍ଗଓଭର ଲିଭ୍ ଦିଏ । ଏଥିସହ ହ୍ୟାଙ୍ଗଓଭର ଛୁଟି ମଧ୍ୟ ଦେଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କମ୍ପାନୀର ବସ୍ ନିଜେ କର୍ମଚାରୀଙ୍କ ସହ ମିଶି ମଦ ପିଅନ୍ତି । ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ବୃଦ୍ଧିର ଅଫର୍ ଦିଅନ୍ତି । କିନ୍ତୁ, ଜାପାନର ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଖୁସି କରିବା ଲାଗି ଏଭଳି ଭିନ୍ନ ରାସ୍ତା ଆପଣାଇଛି ।
ତେବେ କମ୍ପାନୀ ଏଭଳି ଅଫର୍ ରଖିବା ପଛର କାରଣ କ’ଣ ? କହିରଖୁ କି, ଟ୍ରଷ୍ଟ ରିଙ୍ଗ କମ୍ପାନୀକୁ ଭଲ କର୍ମଚାରୀମାନଙ୍କ ଆବଶ୍ୟକତା ଥିଲା, କିନ୍ତୁ, ଏଥିପାଇଁ ବାଧା ସାଜୁଥିଲା ଭଲ ଦରମା । ଭଲ ଦରମା ଦେଲେ ହିଁ ଦକ୍ଷ କର୍ମଚାରୀମାନେ କମ୍ପାନୀରେ କାମ କରିବାକୁ ରାଜି ହେବେ । ତେଣୁ ଏଥିପାଇଁ କମ୍ପାନୀ ଏକ ଉପାୟ ଚିନ୍ତା କଲା । ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମାଗଣା ମଦ ସହ ହ୍ୟାଙ୍ଗଓଭଳ ଲିଭ୍ ଭଳି ଅଫର୍ ରଖିଲା । ଏହି ସ୍କିମ୍ କାରଣରୁ ଏକାଧିକ କର୍ମଚାରୀ କମ୍ପାନୀରେ କାମ କରିବାକୁ ଆବେଦନ କଲେ । ଏଭଳି କରିବା ଫଳରେ କମ୍ପାନୀ କର୍ମଚାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହେଲା । କର୍ମଚାରୀମାନେ କାମ କରିବା ସମୟରେ ଭିନ୍ନ ଭିନ୍ନ ପ୍ରକାର ଡ୍ରିଙ୍କ୍ସ ଦିଆଯାଏ ।
ଅନ୍ୟପଟେ କମ୍ପାନୀର ଏଭଳି ଅଫରକୁ ନେଇ ନେଇ ସୋସିଆଲ ମିଡିଆରେ ବିବାଦ ଜୋର୍ ଧରିଛି । କର୍ମକ୍ଷେତ୍ରରେ ମାଗଣାରେ ମଦ ଦେବା ଫଳରେ ୱାର୍କ କଲଚର ନଷ୍ଟ ହେଉଥିବା ନେଇ ୟୁଜର୍ସ ମତ ଦେଇଛନ୍ତି । କହିରଖୁ କି, ବଡ଼ ବଡ଼ କମ୍ପାନୀ ତୁଳନାରେ ଏହି କମ୍ପାନୀର ସୀମିତ ବଜେଟ୍ ରହିଛି । ଟ୍ରଷ୍ଟ ରିଙ୍ଗ କମ୍ପାନୀର ସିଇଓଙ୍କ କହିବାନୁସାରେ, କମ୍ପାନୀ ଏକ ଭିନ୍ନ ଓ ଆରାମଦାୟକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଏ । କର୍ମଚାରୀମାନେ ଅଫିସରେ ମାନସିକ ଚାପରେ କାମ କରିବା ପରିବର୍ତ୍ତେ ଚିନ୍ତାମୁକ୍ତ ହୋଇ କାମ କରିପାରୁଛନ୍ତି । କମ୍ପାନୀରେ ଭଲ ସ୍ୟାଲେରୀ ପ୍ୟାକେଜ୍ ନଥିବାରୁ ଏହି ଉପାୟ ଆପଣେଇ କର୍ମଚାରୀଙ୍କୁ ଆକୃଷ୍ଟ କରିବାକୁ ସେମାନେ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ତେବେ କମ୍ପାନୀର ପ୍ରାରମ୍ଭିକ ଦରମା ୧ ଲକ୍ଷ ୨୭ ହଜାର ଟଙ୍କା ଥିବାବେଳେ ୨୦ ଘଣ୍ଟାର ଓଭରଟାଇମ୍ ପାଇଁ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ ।