ପୁରୀ,୧୪/୦୫: ଶ୍ରୀମନ୍ଦିରରୁ ବଳକା ଦାରୁ ଅଂଶ ନିଆଯାଇ ଚତୁର୍ଦ୍ଧା ବିଗ୍ରହ ନିର୍ମାଣ ପରେ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ହେଲା । ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ବଙ୍ଗଳା ଚ୍ୟାନେଲକୁ ଦେଇଥିବା ଏହି ପ୍ରତିକ୍ରିୟାକୁ ନେଇ ରାଜ୍ୟ ହୁଲସ୍ତୁଲ ହେଲା । ସେପଟେ ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ନିଆଁରେ ଘିଅ ଢାଳିଲା । ଏଥିରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ ଅନ୍ୟଜଣେ ଦଇତାପତି ସେବାୟତ ସଦସ୍ୟ ରହିଥିଲେ ହେଁ ‘ଜଗନ୍ନାଥ ଧାମ’ ନିଷ୍ପତ୍ତିକୁ ବିରୋଧ ନ କରିବା ବିବାଦକୁ ଅଧିକ ଆଲୋଚନାର ବିଷୟ କରିଛି । ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁଲେଖିଥିବା ଚିଠିର ଆସିଛି ଉତ୍ତର । ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି । ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି ।
ଚିଠିରେ ଇସ୍କନ ପକ୍ଷରୁ କୁହାଯାଇଛି, ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ଇସ୍କନର ଭୂମିକା ଶୂନ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଯେଉଁ ଟ୍ରଷ୍ଟ ଗଠନ ହୋଇଛି ସେଥିରେ ଇସ୍କନର ମାତ୍ର ଜଣେ ସଦସ୍ୟ ରହିଛନ୍ତି । ଇସ୍କନକୁ କେବଳ ସେବାପୂଜା ଦାୟିତ୍ୱ ଦିଆଯାଇଛି । ଶ୍ର୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରର ଜଣେ ଟ୍ରଷ୍ଟି । ପୁରୀରୁ କାଠରେ ଦିଅଁ ନିର୍ମାଣ କରି ଆଣିବା ସହ ଏହି ଦଇତାପତି ଦୀଘାରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦଇତାପତିଙ୍କ ଶିଷ୍ୟା ବୋଲି ମଧ୍ୟ କହିଥିଲେ । ଯେହେତୁ ଦୀଘାକୁ ଜଗନ୍ନାଥ ଧାମ ନିଷ୍ପତ୍ତି ମମତା ସରକାର ନେଇଛନ୍ତି ଏହାର ଠିକ୍ ଉତ୍ତର ସେ ଦେଇପାରିବେ ବୋଲି ଇସ୍କନ କହିଛି । ଏନେଇ ଗଣମାଧ୍ୟମକୁ ଇସ୍କନ କମ୍ୟୁନିକେସନ ନିର୍ଦ୍ଦେଶକ ପ୍ରେମାନନ୍ଦ ଦାସ କହିଛନ୍ତି, ଦୀଘାରେ ମନ୍ଦିର ନିର୍ମାଣ ନିମନ୍ତେ ନିହାତି ୩ ବର୍ଷ ଲାଗିଥିବ । ଏହା ପୂର୍ବରୁ ଟ୍ରଷ୍ଟ ହୋଇଥିବ । ଟ୍ରଷ୍ଟର ନାମ ହେଉଛି ‘ଜଗନ୍ନାଥ ଧାମ’ ଟ୍ରଷ୍ଟ । ଏହି ଟ୍ରଷ୍ଟର ଯେଉଁ ଗଭଣ୍ଣି ର୍ଂ ବଡି କରାଯାଇଛି ଏଥିରେ ଇସ୍କନର ହସ୍ତକ୍ଷେପ ନାହିଁ । ଇସ୍କନର ଯେଉଁ ଜଣେ ସଦସ୍ୟ ଏହି ଟ୍ରଷ୍ଟରେ ରହିଛନ୍ତି ସେ ମାତ୍ର ୨ ମାସ ତଳେ ସଦସ୍ୟ ହୋଇଛନ୍ତି । ତେଣୁ ଇସ୍କନର ସମ୍ପୃକ୍ତି ଜଗନ୍ନାଥ ଧାମ ନିଷ୍ପତ୍ତି ପଛରେ ଆଦୌ ନାହିଁ । ବିବାଦର ସମାଧାନ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରାଯାଇ ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି ।