୧୯୪୭ ଅଗଷ୍ଟ ୧୫ରେ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ଭାରତ ଏକ ସ୍ୱାଧୀନ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଗଣିତ ହେଲା । ଧର୍ମଭିତ୍ତିରେ ଦେଶ ବିଭାଜିତ ହୋଇ ସୃଷ୍ଟି ହୋଇଥିଲା ଭାରତ ଓ ପାକିସ୍ତାନ । ସେତେବେଳେ ପାକିସ୍ତାନର ଗୋଟିଏ ଭାଗ ପଶ୍ଚିମ-ପାକିସ୍ତାନ ଓ ଅନ୍ୟ ଭାଗଟି ପୂର୍ବ-ପାକିସ୍ତାନ ଭାବେ ଥିଲା ବିଦିତ । ପାକିସ୍ତାନର ଶାସକମାନେ ପୂର୍ବ-ପାକିସ୍ତାନର ଅଗ୍ରଗତିକୁ ଧ୍ୟାନ ନଦେଇ ଶୋଷଣ ଜାରି ରଖିବାରୁ ପୂର୍ବ-ପାକିସ୍ତାନରେ ବିରୋଧୀ ମନୋଭାବର ଉଦ୍ରେକ ହେଲା । ଧର୍ମକୁ ପଛ କରି ଭାଷାକୁ ଅଗ୍ରାଧିକାର ଦେଇ ତତ୍କାଳୀନ ପୂର୍ବ-ପାକିସ୍ତାନର ବଙ୍ଗଳାଭାଷୀ ବାସିନ୍ଦା ମୁଜିବର ରେହମାନଙ୍କ ନେତୃତ୍ୱରେ ମୁକ୍ତିଯୁଦ୍ଧ ଆରମ୍ଭ କରିଥିଲେ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୯୩ହଜାର ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କ ଭାରତୀୟ ସେନାବାହିନୀ ନିକଟରେ ଆତ୍ମସମର୍ପଣ ଏବଂ ଏକ ସ୍ୱାଧୀନ ରାଷ୍ଟ୍ର ବାଂଲାଦେଶ ଗଠନରେ ଭାରତର ଭୂମିକା ସମଗ୍ର ବିଶ୍ୱରେ ସୃଷ୍ଟି କରିଥିଲା ଏକ ନୂତନ ଇତିହାସ ।
ବାଂଲାଦେଶ ଗଠନ ହେବା ପରଠାରୁ ଭାରତ ସହ ସଂପର୍କ ପ୍ରାୟତଃ ଖୁବ୍ ଭଲ ରହିଆସିଛି । ଏବେ ନିକଟରେ ଶେଖ୍ ହସିନାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ପୂରା ଦେଶ ଜଳୁଥିଲା ବେଳେ ୨୦୨୪ ଅଗଷ୍ଟ ୫ ତାରିଖରେ ସେନା ମୁଖ୍ୟ ଜେନେରାଲ ୱକାର ଉଜ୍-ଜମାନଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ହସିନାଙ୍କ ୧୫ବର୍ଷ ଶାସନର ଅନ୍ତ ଘଟିଛି । ତାଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଆଖିଦୃଶିଆ ଅର୍ଥନୈତିକ ବୃଦ୍ଧି ଏବଂ ଭିତ୍ତିଭୂମିର ବ୍ୟାପକ ବିକାଶ ସତ୍ତେ୍ୱ ଏକଛତବ୍ରାଦ ଶାସନ ଓ ଦୁର୍ନୀତି ଯୋଗୁଁ ଗାଦି ହରାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ଆଲୋଚନା କରାଯାଏ । ଏବେ ବାଂଲାଦେଶରେ ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଶାସନ ଚାଲିଥିଲାବେଳେ ସେଠାରେ ସୃଷ୍ଟ ଭାରତ ବିରୋଧୀ ମନୋଭାବ ଏବଂ ଗୋଟିଏ ପରେ ଗୋଟିଏ ଭାରତ ବିପକ୍ଷରେ ପଦକ୍ଷେପ ଚିନ୍ତାର ବିଷୟ ପାଲଟିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବାଂଲାଦେଶରୁ ପଳାୟନ କରି ଭାରତରେ ଆଶ୍ରୟ ନେବା ପରେ ସେଠାରେ ସଂଖ୍ୟାଲଘୁଙ୍କ ଉପରେ ବିଶେଷକରି ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ମୁସଲମାନ ମୌଳବାଦୀ ଓ ଆତଙ୍କବାଦୀ ସଂଗଠନର ପ୍ରରୋଚନାରେ ହିନ୍ଦୁଙ୍କ ହତ୍ୟା, ଧର୍ଷଣ ଏବଂ ବାସଗୃହ, ବ୍ୟାବସାୟିକ ପ୍ରତିଷ୍ଠାନ, ପୂଜାସ୍ଥଳୀଗୁଡ଼ିକରେ ପୋଡ଼ାଜଳା ଜାରି ରହିଥିଲାବେଳେ ଅନ୍ତରୀଣ ସରକାର ଏହାକୁ ରୋକିବାରେ ଏକପ୍ରକାର ବିଫଳ ହୋଇଥିବାର ଅନୁଭୂତ ହୁଏ । ଏଭଳି ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜାତିସଂଘ ମାନବାଧିକାର ପରିଷଦର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସଂପ୍ରତି ବାଂଲାଦେଶ ପହଞ୍ଚି ରାଜଧାନୀ ଢାକାରେ ଅବସ୍ଥାନ କରୁଛନ୍ତି । ସେମାନେ ପ୍ରାୟ ଏକ ମାସ ବାଂଲାଦେଶରେ ରହି ସ୍ଥିତି ଅନୁଧ୍ୟାନ କରିବେ । ଜାତିସଂଘ ପ୍ରତିନିଧି ଦଳକୁ ସାକ୍ଷାତ କରି ନିଜ ଦୁର୍ଦ୍ଦଶା ଜଣାଇବାକୁ ହିନ୍ଦୁ ସଂପ୍ରଦାୟର ଉଦ୍ୟମ ଜାରି ରହିଥିଲାବେଳେ ଆକ୍ରମଣର ସମସ୍ତ ତଥ୍ୟ ପ୍ରମାଣ ପ୍ରଦାନ କରିବାକୁ ସେମାନେ ଚେଷ୍ଟିତ ।
ବାଂଲାଦେଶରେ ବାସ କରୁଥିବା ପ୍ରାୟ ଦେଢ଼କୋଟି ହିନ୍ଦୁଙ୍କ ପକ୍ଷରୁ ପୂର୍ବରୁ ଜାତିସଂଘ ମହାସଚିବଙ୍କୁ ପତ୍ର ମାଧ୍ୟମରେ ସେମାନଙ୍କ ଦୁର୍ଦ୍ଦଶା ସଂପର୍କରେ ଅବଗତ କରାଯାଇଥିଲା । ବାଂଲାଦେଶର ଅନ୍ତରୀଣ ସରକାର ମୌଳବାଦୀଙ୍କ ହାତରେ ସାଜିଛି ସଖୀ କଣ୍ଢେଇ । ଆଜାନ ଓ ନମାଜ ସମୟରେ ଦୁର୍ଗାପୂଜା ଓ ଅନ୍ୟ ପର୍ବପର୍ବାଣିରେ ହିନ୍ଦୁମାନେ ମାଇକ ବଜାଇ ପାରିବେନାହିଁ କିମ୍ବା ଚଣ୍ଡୀପାଠ କରିପାରିବେ ନାହିଁ । ଏଥିପାଇଁ ସରକାର ଏବେ ନିଷେଧାଦେଶ ଜାରି କରିଛନ୍ତି । ବାଂଲାଦେଶକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିବାକୁ ସେଠାରେ ସ୍ୱର ଉଠିଛି । ବାଂଲାଦେଶ କ୍ରମଶଃ ବୌଳବାଦୀଙ୍କ କବ୍ଜାକୁ ଚାଲିଯାଉଥିବାର ଅନୁଭୂତ ହୁଏ । ଏହା ଭାରତ ପାଇଁ ନିଶ୍ଚିତ ଭାବେ ଉଦ୍ବେଗଜନକ ।
ଏକଦା ପରମ ବନ୍ଧୁ ଥିବା ବାଂଲାଦେଶ ପଟୁ ଭାରତକୁ ଘୋର ବିପଦ ମାଡ଼ିଆସୁଛି । ଶେଖ୍ ହସିନା କ୍ଷମତାଚ୍ୟୁତ ହେବା ପରଠାରୁ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଦୂର ହୋଇ ଏବେ ନିବିଡ଼ତା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ବାଂଲାଦେଶ ଏବେ ପ୍ରତି କଥାରେ ଭାରତକୁ ଧମକ ଦେବା ଆରମ୍ଭ କରିଦେଇଛି । ଭାରତ ବିପକ୍ଷରେ ଏବେ ବିଭିନ୍ନ ମହଲରେ ବୁଣାଯାଉଛି ଘୃଣାର ବୀଜ । ଢାକା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସହିଦୁଜ୍ଜାମନ ଭାରତବିରୋଧୀ ଜାମାତ-ଇଇସଲାମୀର ଦୃଢ଼ ସମର୍ଥକ । ବାଂଲାଦେଶରେ ଘଟିଥିବା ହିଂସା ପରେ ଅନ୍ତରୀଣ ସରକାର ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନ ଅଲକାଏଦାର ସହଯୋଗୀ ସଂଗଠନ ଆନସାରୁଲ୍ଲା ବାଂଲା ଟିମ୍ (ଏବିଟି)ର ମୁଖ୍ୟ ଜସିମୁଦ୍ଦିନ ରହମାନୀଙ୍କୁ ଜେଲ୍ରୁ ମୁକ୍ତ କରିବା ପରେ ସେ ଭାରତ ବିରୋଧରେ କରିଛି ବିଷୋଦ୍ଗାର । ତାର ଭାରତବିରୋଧୀ ଉତ୍ତେଜକ ଭାଷଣର ଭିଡିଓ ଏବେ ବାଂଲାଦେଶ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ।
ଭାରତର ପଡ଼ୋଶୀ ଦେଶ ଭୁଟାନ ସହ ବାଂଲାଦେଶକୁ ତୁଳନା କରାଯାଇନପାରେ । ଜସିମୁଦ୍ଦିନ ରହମାନୀଙ୍କ ମତ ହେଲା- ବାଂଲାଦେଶରେ ୧୮କୋଟି ମୁସଲମାନ ରହିଛନ୍ତି । ତେଣୁ ଭାରତ ବାଂଲାଦେଶ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଚିନ୍ତା କରିବାର ସମୟ ଆସିଯାଇଛି । ଭାରତରୁ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ବିଚ୍ଛିନ୍ନ କରିବାକୁ ସିଲିଗୁଡ଼ି-କରିଡରକୁ ବନ୍ଦ କରାଯିବା ଉଚିତ ହେବ। ଏଭଳି ପଦକ୍ଷେପ ପାଇଁ ଚୀନର ସାହାଯ୍ୟ ନେବା ସପକ୍ଷରେ ଦୃଢ଼ ମତ ରଖିଛନ୍ତି । ଭାରତ ବିରୋଧରେ ବିଷୋଦ୍ଗାର ଜାରି ରଖି ମୋଦି ଶାସନ କବଳରୁ ପଶ୍ଚିମବଙ୍ଗକୁ ସ୍ୱାଧୀନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଇଛନ୍ତି ଆହ୍ୱାନ । ଭାରତରେ ଅସ୍ଥିରତା ସୃଷ୍ଟି ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଜସିମୁଦ୍ଦିନ ରହମାନୀଙ୍କ ମୂଲ ଲକ୍ଷ୍ୟ ।
ଢାକା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସହିଦୁଜ୍ଜାମନ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଆଣବିକ ରାଜିନାମା ପାଇଁ ପ୍ରସ୍ତାବ ଦେବା ସହ ବାଂଲାଦେଶକୁ ଆଣବିକ ଶକ୍ତିସଂପନ୍ନ ରାଷ୍ଟ୍ର ଭାବେ ଗଢ଼ିତୋଳିବା ଏବଂ ପାକିସ୍ତାନର ଆଣବିକ ଅସ୍ତ୍ରବହନକାରୀ ‘ଘୋରୀ’ ମିଜାଇଲସ୍କୁ ଭାରତ ସୀମାରେ ମୁତୟନ କରିବାକୁ ଦେଇଛନ୍ତି ଆହ୍ୱାନ । ଚିଟାଗଙ୍ଗ ଅଞ୍ଚଳରେ ମିଜାଇଲସ୍କୁ ଭାରତ ବିପକ୍ଷରେ ସ୍ଥାନିତ କରିବାକୁ ପରାମର୍ଶ ଏବଂ ଭାରତ ବାଂଲାଦେଶର କିଛି ଭୂଭାଗ ତା’ର ଉତ୍ତର- ପୂର୍ବାଞ୍ଚଳରେ ମିଶାଇ ଦେଇଥିବାର ଆରୋପ ଗୁରୁତ୍ୱ ବହନ କରେ, କାରଣ ସେଠାରେ ବାଂଲାଦେଶର ସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ । ପାକିସ୍ତାନ ହେଉଛି ସବୁଠାରୁ ବିଶ୍ୱସ୍ତ ଓ ଭରସାଯୋଗ୍ୟ ବନ୍ଧୁଭାବେ ଚିତ୍ରଣ କରୁଥିଲାବେଳେ ବିଭିନ୍ନ ମହଲରେ ତାଙ୍କ ପ୍ରସ୍ତାବକୁ ସ୍ୱାଗତ ମଧ୍ୟ କରାଯାଇଛି ।
ଧର୍ମଭିତ୍ତିରେ ଭାରତକୁ ବିଭାଜନ କରିବାର ମୁଖ୍ୟ ଥିଲେ ମହମ୍ମଦ ଅଲି ଜିନ୍ନା । ବାଂଲାଦେଶ ସୃଷ୍ଟି ହେବା ପରଠାରୁ ତାଙ୍କ ଜୟନ୍ତୀ ବା ଶ୍ରାଦ୍ଧ ଦିବସ କେବେବି ପାଳନ କରାଯାଉନଥିଲା । ମାତ୍ର ସରକାରୀ ଭାବେ ପ୍ରଥମ ଥର ଜିନ୍ନାଙ୍କ ଶ୍ରାଦ୍ଧ ଦିବସ ପାଳନ ଏବେ କରାଯାଉଛି । ବଙ୍ଗବନ୍ଧୁ ମୁଜିବର ରେହମାନଙ୍କ ପ୍ରତିମୂର୍ତ୍ତି, ଯୁଦ୍ଧ ସ୍ମାରକୀଗୁଡ଼ିକୁ ଧ୍ୱଂସ କରିଦିଆଯିବା ସେଠାକାର ମାନସିକତାକୁ ଦର୍ଶାଏ । ହସିନାଙ୍କୁ ପଦଚ୍ୟୁତ କରି ଇସଲାମୀୟ ମୌଳବାଦୀମାନେ ଭାରତ ବିପକ୍ଷରେ ପଦକ୍ଷେପ ନେବାରେ ବ୍ୟସ୍ତ । ଏହା ପଛରେ ରହିଛି ପାକିସ୍ତାନ ଆଇଏସଆଇ’ର ପ୍ରଚ୍ଛନ୍ନ ହାତ । ମୂଳ ଲକ୍ଷ୍ୟ ହେଲା ଭାରତକୁ ତିନିପଟୁ ଘେରିବା । ଏହା ପଛରେ ଏକ ଆନ୍ତର୍ଜାତିକ ଷଡ଼ଯନ୍ତ୍ର ଜଳଜଳ ହୋଇ ଦିଶୁଛି । ଏହା ଭାରତ ପାଇଁ ନିଶ୍ଚିତ ଭାବେ ଉଦ୍ବେଗଜନକ । ଭାରତରେ ଶେଖ୍ ହସିନା ଆଶ୍ରୟ ନେଇଥିବାରୁ ବାଂଲାଦେଶର ମହମ୍ମଦ ଜାଜୁଲ ଇସଲାମ ସେପ୍ଟେମ୍ବର ୮ ତାରିଖରେ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଅନୁରୋଧ କରିଛନ୍ତି, କାରଣ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଟ୍ରିଟି ରହିଛି । ହସିନାଙ୍କ ବିପକ୍ଷରେ ବାଂଲାଦେଶ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍ ବେଶୀ ଆଗ୍ରହୀ । ଭାରତର ପଦକ୍ଷେପ କ’ଣ ହେବ ତାହା ଭବିଷ୍ୟତ କହିବ ।
ଶେଖ୍ ହସିନାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଏବଂ ଘଟିଥିବା ହିଂସାରେ ଯେଉଁ ସାମ୍ବାଦିକମାନେ ତତ୍କାଳୀନ ସରକାରଙ୍କୁ ସହଯୋଗ କରିଥିଲେ ସେମାନଙ୍କ ବିପକ୍ଷରେ ଅନ୍ତରୀଣ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି । ବାଂଲାଦେଶର ଏକ ବୃହତ୍ତ ଘରୋଇ ଟିଭି ‘ଏକାତୁର ଟିଭି’ର ମୁଖ୍ୟ ସଂପାଦକ ମୋଜାମିଲ ବାବୁ, ଏକ ସମ୍ବାଦପତ୍ର ‘ଭୋରେର କାଗଜର’ ସଂପାଦକ ଶ୍ୟାମଲ ଦତ୍ତ, ଏକ କାର୍ ଯୋଗେ ଭାରତକୁ ଆସିବାକୁ ଚେଷ୍ଟା କରୁଥିଲାବେଳେ ତାଙ୍କୁ ଗିରଫ କରି ଗଣହତ୍ୟା ଭଳି ସଂଗୀନ ଦଫା ଲଗାଇଛନ୍ତି ଅନ୍ତରୀଣ ସରକାର । ଆଉ ଦୁଇଜଣ ସାମ୍ବାଦିକ ସକିଲ ଅହମ୍ମଦ ଓ ଫରାନା ରୂପାଙ୍କୁ ଫ୍ରାନ୍ସଗାମୀ ବିମାନ ଯୋଗେ ଦେଶ ଛାଡ଼ି ପଳାୟନ କରୁଥିଲାବେଳେ ଢାକା ଏୟାରପୋର୍ଟରେ ଗିରଫ କରାଯାଇ ହତ୍ୟା ମାମଲା ରୁଜୁ ହୋଇଥିବାର ଜଣାଯାଏ । ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ମଧ୍ୟରେ ବହୁବାର ଫୋନ ମାଧ୍ୟମରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳେ । ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ବୈଠକରେ ସାକ୍ଷାତ କାଳରେ ଭବିଷ୍ୟତ ପନ୍ଥା ସ୍ଥିର କରି ଦୁଇ ଦେଶ ଅଧିକ ଘନିଷ୍ଠ ହେବେ ବୋଲି ଜଣାଯାଏ । ବାଂଲାଦେଶ ଗଠନରେ ଭାରତର ଭୂମିକା ସମଗ୍ର ବିଶ୍ୱ ଅବଗତ । ସେଥିପାଇଁ ଭାରତକୁ ଅଶେଷ କଷ୍ଟ ଓ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥିଲା ।
ବାଂଲାଦେଶ ଗଠନର ବହୁବର୍ଷ ପରେ ମଧ୍ୟ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧର ବହୁ ଅନୁଭୂତି ଅବିସ୍ମରଣୀୟ । ଯୁଦ୍ଧଭୂମିରେ ଶତ୍ରୁର ଗୁଳିରେ କେଉଁ ମୁହୂର୍ତ୍ତରେ ଜଣେ ସହିଦ ହେବ ତାହା ଚିନ୍ତା କରିବା କଷ୍ଟକର । ଏହି ଯୁଦ୍ଧରେ ଲେଖକଙ୍କ ସହ ଯୁଦ୍ଧ କରୁଥିବା ଅନେକ ବୀର ସହିଦ ହୋଇଛନ୍ତି ଅଥବା ଅଙ୍ଗ ହରାଇ ସାରା ଜୀବନ ପାଇଁ ପଙ୍ଗୁ ହୋଇଯାଇଛନ୍ତି । ଏହି ବୀରମାନେ ଏକ ଭୂଖଣ୍ଡକୁ ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ବାଂଲାଦେଶ ସୃଷ୍ଟି କରିବାରେ ତାଙ୍କ ସର୍ବସ୍ୱକୁ ସହାସ୍ୟ ବଦନରେ ଦାନ କରି ଦେଇଛନ୍ତି । ଯେଉଁ ଦେଶ ଗଠନ ପାଇଁ ଭାରତ ଅକଥନୀୟ ସମସ୍ୟା ଭିତରେ ଗତି କଲା ସେହି ଦେଶରେ ସୃଷ୍ଟ ପରିସ୍ଥିତି ଏବଂ ଭାରତବିରୋଧୀ ପଦକ୍ଷେପ, ଏହା କ’ଣ ବଳିଦାନର ପ୍ରତିଦାନ?