ଖୁଣ୍ଟା, ୧୯/୦୮ : ଅବ୍ୟବସ୍ଥା ଘେରରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର। ମାନୁ ନାହାଁନ୍ତି ଡ୍ୟୁଟି ଚାଟ୍। ମନ ଇଚ୍ଛା ଡ୍ୟୁଟି କରୁଛନ୍ତି ଡାକ୍ତର। ଅଦଳବଦଳରେ ସବୁ ଚାଲିଛି। ମୁଖ୍ୟତଃ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ରବିନ୍ଦ୍ର ନାଥ ସିଂଙ୍କ ମନମୁଖି କାର୍ଯ୍ୟ ଓ ବିଳମ୍ବରେ ଅଫିସ୍ ଆସିବା ଯୋଗୁଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ବଢିବାରେ ଲାଗିଛି। ଏଠାରେ ଆଖି ପରୀକ୍ଷା ନିମନ୍ତେ ସହକାରୀ ଆଖି ପରୀକ୍ଷକଙ୍କୁ ସପ୍ତାହକୁ ଦୁଇଦିନ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିବା ବେଳେ ବାବୁ ଜଣଙ୍କ (ଓପିଡି) ଖୋଲୁନଥିବା ଦେଖିବାକୁ ମିଳିଛି।
ସରକାରଙ୍କ ନିୟମ ଅନୁଯାୟୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର (ଓପିଡି) ସକାଳ ୭ ଟାରୁ ଦିନ ୧୧ ପର୍ଯ୍ୟନ୍ତ ଓ ଅପରାହ୍ନ ୪ ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବାର ନିୟମ ରହିଛି। ସପ୍ତାହକୁ ଦୁଇଥର ଅର୍ଥାତ ମଙ୍ଗଳବାର ଓ ଶୁକ୍ରବାର ଆଖି ବିଭାଗ (ଓପିଡି) ଖୋଲିବାର ବ୍ୟବସ୍ଥା ରହିଥିବା ବେଳେ ଦାଇତ୍ୱରେ ଥିବା ସହକାରୀ ଆଖି ପରୀକ୍ଷକ ଅବିନାଶ ବାଛିନି (ଓପିଡି) ଖୋଲୁ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଯାହାଫଳରେ ବହୁତ ରୋଗୀଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବା ସହ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ୁଛି। ଖୁଣ୍ଟା ବ୍ଲକର ୧୪ ଟି ପଞ୍ଚାୟତକୁ ନେଇ ଗୋଟିଏ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଏଠାକୁ ବହୁତ ଆଶା ଭରଷା ନେଇ ରୋଗୀମାନେ ବହୁ ଦୂରରୁ ଆସିଥାନ୍ତି। ହେଲେ ଡାକ୍ତର ଓ କର୍ମଚାରୀମାନଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି।
ସୂଚନା ମୁତାବକ, ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ରବିନ୍ଦ୍ର ନାଥ ସିଂଙ୍କର (ଓପିଡି)ରେ ଡ୍ୟୁଟି କରି ରୋଗୀ ଦେଖିବାର ନିୟମ ରହିଥିବା ବେଳେ ସେ କେବେବି ରୋଗୀ ଦେଖନ୍ତି ନାହଁ। ସେ କେବଳ ବିଳମ୍ବରେ ଅଫିସ୍ ଆସି ଠିକ୍ ସମୟରେ ଘରକୁ ଯାଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର କିମ୍ବା ସ୍ଵାସ୍ଥ୍ୟ ଅଧିକାରୀଙ୍କ କୌଣସି କ୍ବାର୍ଟର ନଥିବାରୁ ସେମାନେ ବାରିପଦାରୁ ଯିବା ଆସିବା କରୁଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖିଆ ହେଡ୍ କ୍ୱାର୍ଟରରେ ରହୁନଥିବାରୁ ଅନ୍ଯ କର୍ମଚାରୀ ଓ ଡାକ୍ତର କାର୍ଯ୍ୟରେ ଢିଲା ଦେଉଥିବା ସାଧାରଣରେ ଆଲୋଚନା ହେଉଛି। ମାତ୍ର ଉକ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ବହୁ ଡାକ୍ତର ପଦବୀ ଖାଲିପଡ଼ିଛି। ଯେତିକି ଡାକ୍ତର ଅଛନ୍ତି, ସେମାନେ ସେବା ଯୋଗାଇବାରେ ଫେଲ୍ ମାରିଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।