ରଘୁନାଥପୁର,୨୬ା୩(ଆପ୍ର): ରାଜ୍ୟ ଓ କେନ୍ଦ୍ର ସରକାର ଶୁଦ୍ଧ ପାନୀୟ ଜଳ କିପରି ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବ ଓ ପ୍ରତ୍ୟେକ କାର୍ଯ୍ୟାଳୟରେ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ଶହଶହ କୋଟି ଟଙ୍କା ସରକାର ବ୍ୟୟ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ନିର୍ଦ୍ଦେଶ ରହିଛି ଯେପରିକି କେହି ପାନୀୟ ଜଳରୁ ବଞ୍ଚିତ ହେବେ ନାହିଁ । କିନ୍ତୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନାହିଁ ସ୍ୱଚ୍ଛ ପାଣି ମୁନ୍ଦାଏ । ମେଡିକାଲ୍ ପରିସରରେ ହୋଇଥିବା ବୋରିଂରୁ ବାହାରୁଛି ଲୁହା ଗୁଣ୍ଡ ମିଶା ପାଣି ।
ଏହି ପାଣି ଦ୍ୱାରା ମେଡିକାଲ୍ରେ ଲାଗିଥିବା ୭ଟି ଆକ୍ୱାଗାର୍ଡ ମେସିନ୍ ଖରାପ ହୋଇଗଲାଣି । ପାଣି ପାଇଁ ମେଡିକାଲ୍ର କର୍ମଚାରୀମାନେ କଟକ-ପାରାଦୀପ ରାସ୍ତା ପାର୍ ହୋଇ ଆସି ପାଣି ନେଉଛନ୍ତି । ଏଭଳିକି ମେଡିକାଲ୍କୁ ଆସୁଥିବା ଶହଶହ ରୋଗୀ ଓ କର୍ମଚାରୀମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏଘଟଣା ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡା. ସୁକାନ୍ତ କୁମାର ଦଳାଇଙ୍କୁ ପଚାରିବାରୁ ସେ କହନ୍ତି ବିଭାଗୀୟ ଅଧିକାରୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ରଘୁନାଥପୁରରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ଟାଙ୍କି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇଥିଲେ ମଧ୍ୟ ମେଡିକାଲ୍ରେ ତାହା ବ୍ୟବହାର କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।