ନୂଆଦିଲ୍ଲୀ,୦୭/୦୮: ଆୟରଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ଉପରେ ଜାତିଭେଦ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଉ ଏହାରି ମଧ୍ୟରେ ଜଣେ ଛଅ ଶିଶୁକନ୍ୟା ଉପରେ ହୋଇଛି ଆକ୍ରମଣ । ଉପଦ୍ରବୀକାରୀମାନେ କୁନି ଝିଅକୁ କେବଳ "ଡାର୍ଟି ଇଣ୍ଡିଆନ୍" ବୋଲି କହି ଗାଳି ଦେଇ ନଥିଲେ ବରଂ 'ଗୋ ବ୍ୟାକ୍ ଇଣ୍ଡିଆ' ବୋଲି କହି ହିଂସାତ୍ମକ ଆକ୍ରମଣ କରିଥିଲେ। ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଚକିତ କରୁଛି ।
ସୂଚନା ମୁତାବକ, ଝିଅଟିର ମାଆ ୮ ବର୍ଷ ଧରି ଆୟରଲ୍ୟାଣ୍ଡରେ ରହିଆସୁଥିବା ବେଳେ ନିକଟରେ ତାଙ୍କୁ ଆୟରଲ୍ୟାଣ୍ଡ ନାଗରିକତା ମିଳିଛି । ମହିଳା ଜଣକ ପେଶାରେ ଜଣେ ନର୍ସ। ସେ କହିଛନ୍ତି ଯେ, ତାଙ୍କ ଝିଅ ଉପରେ ୧୨ରୁ ୧୪ ବର୍ଷ ବୟସର ପୁଅମାନେ ଆକ୍ରମଣ କରିଥିଲେ। ୫ଜଣ ପୁଅ ତାଙ୍କ ମୁହଁରେ ମୁଥା ମାରିବା ସହ ସାଇକେଲ ଚକରେ ତାଙ୍କ ଗୁପ୍ତାଙ୍ଗକୁ ଆଘାତ କରିଥିଲେ, ଯାହା ଫଳରେ ତାଙ୍କୁ ଭୟଙ୍କର ଯନ୍ତ୍ରଣା ହୋଇଥିଲା । ଏଥିସହ ଝିଅଟିକୁ 'ଅଶ୍ଳୀଳ ଭାରତୀୟ' ବୋଲି କହି ତାତ୍ସଲ୍ୟ ମଧ୍ୟ କରିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆଉ ଆୟରଲ୍ୟାଣ୍ଡରେ ସୁରକ୍ଷିତ ଅନୁଭବ କରୁନାହାଁନ୍ତି । ସେ ଏହି ଘଟଣା ବିଷୟରେ ଆଇରିସ୍ ପୁଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ସେହି ପୁଅମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ, ସେ ଚାହାଁନ୍ତି ଯେ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପରାମର୍ଶ ଦିଆଯାଉ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଏପରି ନକରନ୍ତି। ତେବେ ଏହି ଘଟଣା ସମଗ୍ର ପରିବାରକୁ ଭୟଭୀତ କରିଦେଇଛି। ପ୍ରକାଶ ଥାଉକି, ପୂର୍ବରୁ ୨୩ ବର୍ଷ ଧରି ଆୟରଲ୍ୟାଣ୍ଡରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଟ୍ୟାକ୍ସି ଡ୍ରାଇଭର ଲଖବୀର ସିଂହଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଲଖବୀର ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ ଯେ, ଡବଲିନର ବାଲିମୁନ୍ ଉପକଣ୍ଠ ପପିନ୍ଟ୍ରିରେ ଦୁଇଜଣ ଯୁବକ ବିନା କୌଣସି କାରଣରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।