ନୂଆଦିଲ୍ଲୀ: ବିଶ୍ବରେ ଟାରିଫ୍ ଝଡ଼ ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ଜଣେ ଶାନ୍ତିର ଦୂତ ବୋଲି ପ୍ରଚାର କରୁଛନ୍ତି । ଏପରିକି ତାଙ୍କ ପାଇଁ ହ୍ବାଇଟ ହାଉସ୍ ଅନେକ ଥର ନୋବେଲ୍ ପୁରସ୍କାର ଦାବି କରିସାରିଛି । ଏକାଧିକ ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି କରିବା ସହ ଟ୍ରମ୍ପ ନିଜକୁ ଜଣେ କ୍ରାନ୍ତିକାରୀ ନେତା ଭାବରେ ପ୍ରଦର୍ଶିତ କରୁଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସମ୍ଭାବ୍ୟ ଯୁଦ୍ଧକୁ ସେ ବନ୍ଦ କରିଥିବା ନେଇ ଦାବି କରୁଛନ୍ତି ଟ୍ରମ୍ପ । ତାଙ୍କର ଏହି ଦାବିକୁ ଭାରତ ସରକାର ବାରମ୍ବାର ଖଣ୍ଡନ କରିଥିଲେ ହେଁ, ସେ କିନ୍ତୁ ନଛୋଡ଼ବନ୍ଧା । ସେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ଦାବି କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସାମରିକ ସଂଘର୍ଷ ପରେ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ନଚେତ ଏହା ପରମାଣୁ ଯୁଦ୍ଧରେ ପରିଣତ ହୋଇଥାନ୍ତା । ଟ୍ରମ୍ପ ଶୁକ୍ରବାର (୮ ଅଗଷ୍ଟ, ୨୦୨୫) ହ୍ୱାଇଟ୍ ହାଉସରେ ମଧ୍ୟ ଦାବି କରିଛନ୍ତି ଯେ, ଏହି ସଂଘର୍ଷ ସମୟରେ ପାଞ୍ଚ କିମ୍ବା ଛଅଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଛି । ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି ଯେ, ନଷ୍ଟ ହୋଇଥିବା ବିମାନଗୁଡ଼ିକ ଭାରତର କି ପାକିସ୍ତାନର । ଭାରତ ସରକାରଙ୍କ ଅନୁସାରେ, ଉଭୟ ଦେଶ (ଭାରତ-ପାକିସ୍ତାନ) ପାରଷ୍ପରିକ ଆଲୋଚନା ମାଧ୍ୟମରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଥିଲେ। ଏଥିରେ ଆମେରିକା ମଧ୍ୟସ୍ଥତା କରିନାହିଁ ।
ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭ ଏବଂ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନଙ୍କ ଉପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଏହି ବିବୃତ୍ତି ଦେଇଛନ୍ତି । ଆମେରିକା ମଧ୍ୟସ୍ଥତାରେ ଏହି ଦୁଇ ଦେଶ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୋଇଛି । ଟ୍ରମ୍ପ କହିଛନ୍ତି, ‘ରାଷ୍ଟ୍ରପତି ଭାବରେ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ଆଣିବା ମୋର ସବୁଠାରୁ ବଡ଼ ଆକାଂକ୍ଷା । ଭାରତ ଏବଂ ପାକିସ୍ତାନ ସହିତ ଆମର ସଫଳତା ପରେ ଆଜିର ଚୁକ୍ତି ହୋଇଛି।’
ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି, ‘ସେମାନେ(ଭାରତ ଓ ପାକିସ୍ତାନ) ପରଷ୍ପର ବିରୋଧରେ ପୂର୍ଣ୍ଣ ଶକ୍ତି ସହିତ ଲଢ଼ୁଥିଲେ । ପରିସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା । କିନ୍ତୁ ଆପଣ ଜାଣନ୍ତି ଯେ, ଏକ ବଡ଼ ସଂଘର୍ଷ ଘଟିପାରେ - ହୁଏତ ଏକ ପରମାଣୁ ଯୁଦ୍ଧ ହୋଇପାରେ । କିନ୍ତୁ ଏହା ପୂର୍ବରୁ ଉଭୟ ମହାନ ନେତା ଏକାଠି ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।’
ଟ୍ରମ୍ପ ପୁଣି ଥରେ ଦୋହରାଇଛନ୍ତି ଯେ, ସେ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ କରିଥିଲେ । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ କରିଛି। ମୁଁ ଭାବୁଛି ଏହାର ମୁଖ୍ୟ କାରଣ ବାଣିଜ୍ୟ ଥିଲା, ଅନ୍ୟ କୌଣସି କାରଣ ନୁହେଁ । ଏହି ସମୟରେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପ୍ରସଙ୍ଗ ଦୁଇଥର ଉଲ୍ଲେଖ କରିଛନ୍ତି ।