ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ବୋମାକୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା ଓ ଚିନ୍ତା । ଏହାର ପ୍ରଭାବ ଏବେ ଚୀନ୍ ଏବଂ ଭାରତରେ ମଧ୍ୟ ପଡ଼ିଛି । ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ତେବେ ଭାରତ ଉପରେ ଅତିରିକ୍ତ ଟାରିଫ ଲଗାଇବା ପରେ ଆମେରିକାକୁ ଟାର୍ଗେଟ କରିଥିଲା ଚୀନ୍ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ଶେଷରେ ଚୀନ୍ ଗସ୍ତ କରିବେ ଏବଂ ସେଠାରେ ଏସସିଓ ବୈଠକରେ ସାମିଲ ହେବେ।
ଟ୍ରମ୍ପଙ୍କ ଟାରିଫ ମାଡ଼ ସମୟରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇପାରେ ବୋଲି ଆଶା କରାଯାଉଛି । ଏହାକୁ ନେଇ ଚୀନ୍ର ସରକାରୀ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ ମଧ୍ୟ ଦୁଇ ଦେଶର ସଂପର୍କକୁ ନେଇ ଏକ ସଂପାଦକୀୟ ପ୍ରକାଶ କରିଛି । ଏଥିରେ ହିନ୍ଦୁ ଧର୍ମରେ ପ୍ରଚଳିତ ଲୋକ କଥାକୁ ସାମିଲ କରିଛି । ଗ୍ଲୋବାଲ ଟାଇମ୍ସରେ ଲେଖା ହୋଇଛି, ‘ତୁମ ଭାଇର ଡଙ୍ଗା ପାର କରିବାରେ ସାହାଯ୍ୟ କର... ତୁମର ଡଙ୍ଗା ମଧ୍ୟ କୂଳରେ ପହଞ୍ଚିଯିବ।’ ଗ୍ଲୋବାଲ୍ ଟାଇମ୍ସ ଏହାକୁ ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ-ଚୀନ୍ ସମ୍ପର୍କକୁ ମଜଭୁତ କରିବା ପାଇଁ ଏକ ଭଲ ସୁଯୋଗ ବୋଲି କହିଛି ।
ଚୀନର ପ୍ରମୁଖ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ ଗସ୍ତ କରିବାକୁ ଯୋଜନା କରୁଛନ୍ତି । ଯଦି ଏହି ଗସ୍ତ ହୁଏ, ତେବେ ଏହା ୭ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ । ଯଦିଓ ଏହି ଖବର ଏପର୍ଯ୍ୟନ୍ତ ଚୀନ୍ ଏବଂ ଭାରତର ସରକାରୀ ଏଜେନ୍ସି ଦ୍ୱାରା ନିଶ୍ଚିତ କରାଯାଇ ନାହିଁ, ତଥାପି ଏହା ପ୍ରକାଶ ପାଇବା ମାତ୍ରେ ଅନ୍ତର୍ଜାତୀୟ ସମୁଦାୟର ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି ।
ଆମେରିକୀୟ ପତ୍ରିକା 'ଦି ଡିପ୍ଲୋମାଟ୍'ରେ ଖବର ପ୍ରକାଶ ପାଇଛି ଯେ, ଗତ ଦଶନ୍ଧୀରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ନିକଟତର ହୋଇଛି ଏବଂ ପରେ ଖରାପ ହୋଇଛି । ଏବେ ଆଉ ଏକ ନୂତନ ଆଲୋଚନାର ସମୟ ଆସିଛି।
ସେପଟେ ଗ୍ଲୋବାଲ୍ ଟାଇମ୍ସ ଭାରତ ଏବଂ ଚୀନର ଅର୍ଥନୀତିକୁ ପ୍ରଶଂସା କରିଛି । କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ଡେଡ୍ ଇକୋନୋମି’ ବୋଲି କହିଥିଲେ । ଗ୍ଲୋବାଲ୍ ଟାଇମ୍ସ ଲେଖିଛି, ‘ଚୀନ ଏବଂ ଭାରତରେ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଜନସଂଖ୍ୟା ରହିଛି । ଦୁଇ ଦେଶର ଅର୍ଥନୀତି ଏବଂ ବିଶ୍ୱରେ ପ୍ରଭାବ ନିରନ୍ତର ବୃଦ୍ଧି ପାଉଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ, ଚୀନ୍-ଭାରତ ସମ୍ପର୍କ ବିଶ୍ୱର ଧ୍ୟାନ ଆକର୍ଷଣ କରିବ ।’