ଭୁବନେଶ୍ଵର, ୩୦/୦୭ : ଆଇପିଏସ୍ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ ସସପେଣ୍ଡ୍। ଗତ ଶନିବାର ରାତି ଅଧରେ ଜଣେ ମହିଳା ଏସ.ଆଇଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଏଇ ଘଟଣା ସମ୍ପର୍କରେ କ୍ୟାପିଟାଲ ଥାନା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ସୋମବାର ଦିନ ମହିଳା ଏସଆଇଙ୍କ ପକ୍ଷରୁ ଭୁବନେଶ୍ଵର ମାନବ ଅଧିକାର କମିଶନରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ନୀତି ଆୟୋଗର ବୈଠକରେ ଯୋଗ ଦେବା ପରେ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ।