କଟକ, ୨୯/୧୦ : ୨୦ରୁ କମ୍ ପିଲା ଥିବା ସ୍କୁଲ ଗୁଡିକୁ ବନ୍ଦ କରି ଦେବା ଏବଂ ଏହାକୁ ପାଖ ଏକ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାକୁ କାଏମ ରଖିଛନ୍ତି ହାଇକୋର୍ଟ। ସ୍କୁଲ୍ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଦ କରିବାଦେବା ପରେ ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟକୁ ରିଟ୍ ଅପିଲ୍ରେ ଆସିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ବିଚାରପତିଙ୍କ ପୂର୍ବ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ଅପରପକ୍ଷରେ ସ୍କୁଲ୍ ମିଶ୍ରଣକୁ ବିରୋଧ କରି ଆସିଥିବା ଆବେଦନକାରୀମାନେ ଜିଲ୍ଲା ଅଭିଯୋଗ ସେଲ୍ରେ ସେମାନଙ୍କ ଅଭିଯୋଗ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି।
ସ୍କୁଲ ମିଶ୍ରଣ ପ୍ରସଙ୍ଗକୁ ନେଇ ୨୦୧୮ ମସିହା ମେ’ ୧୪ ତାରିଖରେ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର । ପରେ ଏହି ଗାଇଡ୍ଲାଇନ୍କୁ ଆଧାର କରି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁ ବିଦ୍ୟାଳୟରେ ୨୦ କିମ୍ବା ତାହାଠାରୁ କମ୍ ପିଲା ଅଛନ୍ତି ସେହି ସବୁ ବିଦ୍ୟାଳୟକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟରେ ମିଶ୍ରଣ କରାଯିବ ବୋଲି ଏଥିରେ କୁହାଯାଇଥିଲା। ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ରୁଜୁ ହୋଇଥିଲା । ଏହିସବୁ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ଜଣିକିଆ ବିଚାରପତି ୨୦୨୧ ମେ’ ୪ ତାରିଖରେ ରାଜ୍ୟ ସରକାରଙ୍କ ଉକ୍ତ ବିଜ୍ଞପ୍ତିକୁ ରଦ୍ଦ କରି ଦେଇଥିଲେ । ଯେଉଁ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ହୋଇଯାଇଛି ସେ ସବୁକୁ ପୁନଃ ଅବସ୍ଥାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ୍ରେ ହାଇକୋର୍ଟକୁ ଆସିଥିଲେ।