ଝୁମ୍ପୁରା, ୦୨/୦୧ : ପରକିୟା ପ୍ରୀତିର କରୁଣ ପରିଣତି। ସ୍ଵାମୀର ତୀରମାଡ଼ରେ ସ୍ତ୍ରୀ ମୃତ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ହାଣ୍ଡିଭଙ୍ଗା ଗାଁରେ ବୁଧବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବାମେବାରୀ ଥାନା ହାଣ୍ଡିଭଙ୍ଗା ଗାଁ ମାଧସହିର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିଲା। ଏହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ବୁଧବାର ବିଳମ୍ଵିତ ରାତିରେ ମଧ୍ୟ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କ ଉପରକୁ ତୀରମାଡ଼ କରିଥିଲେ। ତୀରଟି ଚିନିଙ୍କ ଛାତିରେ ବାଜିଥିଲା। ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।