କୋରାପୁଟ, ୦୪/୦୧ : ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ବେହେରା ଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଅନିଲ ଚୌଧୁରୀଙ୍କ ସ୍ତ୍ରୀ ରଚନା ସାହୁଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମହିଳାଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ନାରାୟଣପାଟଣା ବ୍ଳକ ଜଗଗୁଡା ଗ୍ରାମର ରଚନାଙ୍କ ସହ ସେମିଳିଗୁଡା ଥାନା ବେହେରା ଗୁଡ଼ା ଗ୍ରାମର ଅନିଲ ଚୌଧୁରୀଙ୍କ ବିବାହ ହୋଇଥିଲା। ବିବାହ ସମୟରେ ୧ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଯୈାତୁକ ଭାବରେ ଦିଆଯାଇଥିଲା। ବିବାହର ତିନିମାସ ପରେ ପୁଣି ତିନି ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ରଚନାଙ୍କ ଉପରେ ଶାଶୁଘର ଲୋକ ବାରମ୍ବାର ଚାପ ପକାଉଥିଲେ। ଏହି ମଧ୍ୟରେ ଝିଅ ଦୁଇ ମାସ ଗର୍ଭବତୀ ହୋଇଥିବା ବେଳେ ଶୁକ୍ରବାର ଅଙ୍ଗନବାଡି କେନ୍ଦ୍ରରେ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲା। ହେଲେ ଗତକାଲି ହଠାତ୍ ରଚନାଙ୍କ ମୃତ୍ୟୁ ହୋଇଥିବା ନେଇ ଶାଶୁଘର ଲୋକେ ବାପଘରକୁ ଖବର ଦେଇଥିଲେ। ତେବେ ରଚନାଙ୍କ ବାପଘର ଲୋକେ ପହଞ୍ଚି ଝିଅର ମୃତଦେହ ଦେଖି ହତ୍ୟା ଅଭିଯୋଗ କରିଛନ୍ତି। ସେମିଳିଗୁଡ଼ା ଥାନାରେ ଏତଲା ଦେବା ପରେ ପୋଲିସ ସ୍ଵାମୀ ଅନିଲ ଚୌଧୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।