ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଗବେଷଣା କାର୍ଯ୍ୟ ପ୍ରଣାଳୀ ନେଇ ସୋଆରେ କର୍ମଶାଳା, ଗବେଷଣା କରୁଥିବା ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟ

Published By : Prameya | January 6, 2025 8:14 PM

ଭୁବନେଶ୍ୱର, ୬।୧:   ଗବେଷଣା କରୁଥିବା ବ୍ୟକ୍ତି ବିଶେଷଙ୍କର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ସୋମବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ଏକ ୧୦ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । 

ଗବେଷଣା କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଗବେଷଣା କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଓ ଜ୍ଞାନର ବୃଦ୍ଧି କରିବା ହିଁ ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସୋଆ ପରିଚାଳିତ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଣ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌)ର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା କହିଛନ୍ତି । 

ଇଣ୍ଡିଆନ୍ କାଉନ୍‌ସିଲ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର୍‌)ର ପୃଷ୍ଠପୋଷକତା ଏବଂ ପ୍ରାଚୀନ୍ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ସାମାଜିକ ବିଜ୍ଞାନ ଏବଂ ମାନବିକ ଶିକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ବିଭିନ୍ନ ରାଜ୍ୟର ପ୍ରାୟ ୪୦ ଜଣ ଯୋଗ ଦେଇଥିଲେ । 

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପୂର୍ବତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଆର୍ ଶିବପ୍ରସାଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗବେଷଣାର କାର୍ଯ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ସହ ଏହା ଗବେଷଣାର ଗୁଣବତାକୁ ବୃଦ୍ଧି କରିଥାଏ ବୋଲି କହିଥିଲେ । ଗବେଷଣା କାର୍ଯ୍ୟ ପ୍ରଣାଳୀରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ସେ କହିଥିଲେ ଯେ କୌଣସି ଗବେଷଣା ବ୍ୟକ୍ତି କୈନ୍ଦ୍ରିକ ନୁହେଁ । ମିଳିତ ଉଦ୍ୟମରେ ଏହା ସଫଳ ହୋଇଥାଏ। 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟପ୍ରଣାଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ । ରଚନାତ୍ମକ ଏବଂ ଅଭିନବ ଚିନ୍ତାଧାରା ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ତେବେ ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ । ଗୋଟିଏ ପିଏଚ୍‌ଡି ଡିଗ୍ରୀ ହାସଲ କରିବା ଗବେଷଣାର ଲକ୍ଷ୍ୟ ନୁହେଁ । ଗୋଟିଏ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ବର୍ତ୍ତମାନ ଅଧିକ ଗବେଷଣା କରିବା ନିମନ୍ତେ ପ୍ରଶିକ୍ଷିତ ବୋଲି ପ୍ରଫେସର ନନ୍ଦ କହିଥିଲେ । 

କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ନୃତତ୍ୱ  ଏବଂ ଜନଜାତି ଶିକ୍ଷା ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଏହି କର୍ମଶାଳାର କୋର୍ସ ଡାଇରେକ୍ଟର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.