ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

କାଲିଠାରୁ ଆରମ୍ଭ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ, କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ ବିସ୍ତୃତରେ

Published By : Prameya | January 7, 2025 11:01 PM

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ୮ ଜାନୁଆରୀରୁ ତିନିଦିନ ଧରି ଭୁବନେଶ୍ୱରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ। ଓଡ଼ିଶାରେ ଏକାଠି ହେବେ ପ୍ରବାସୀ ଭାରତୀୟମାନେ। ସମସ୍ତେ କହିୱେ ନିଜର ଅନୁଭବ ଏବଂ ଅନୁଭୂତିର କଥା। ପ୍ରବାସୀ ଭାରତୀୟମାନେ ବିକଶିତ ଭାରତ ପରିକଳ୍ପନାରେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିବେ। ତେବେ ଏହି ୩ଦିନିଆ ସମ୍ମିଳନୀରେ ୫ଟି ସ୍ୱତନ୍ତ୍ର ବିଷୟକୁ ନେଇ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । 

କାର୍ଯ୍ୟସୂଚୀ ଅନୁସାରେ, ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଶୁଭାରମ୍ଭ କରିବେ । ଦିନ ୯.୩୦ରୁ ୧୦.୩୦ ମଧ୍ୟରେ ଉଦ୍‌ଘାଟନ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହେବ । ୧୦.୩୦ରୁ ୧୨ଟା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ, ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ, ୨ଟାରୁ ୩.୩୦ ଏବଂ ୩.୪୫ରୁ ୫.୧୫ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିବେଶନ ଆୟୋଜନ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଜାନୁଆରୀ ୯ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କାର୍ଲ କାଙ୍ଗାଲୁ । ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟାଦଶ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ୧୦ରୁ ୧୧.୩୦ ଯାଏଁ ଉଦ୍‌ଘାଟନ କାର୍ଯ୍ୟକ୍ରମ ଚାଲିବ । ଅପରାହ୍ନ ୨.୩୦ରୁ ୪ଟା ଓ ୪.୧୫ରୁ ୫.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ସେହିଭଳି ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ଯାପନୀ ଉତ୍ସବରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ଚଳିତ ଥର ୨୭ ଜଣ ବିଭୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସକାଳ ୯.୩୦ରୁ ୧୧ଟା ଓ ୧୧.୧୫ରୁ ୧୨.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟାରୁ ୪.୪୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତିନି ଦିନରେ ୫ଟି ବିଷୟରେ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ଦ୍ୱିତୀୟ ଅଧିବେଶନରେ ‘ପ୍ରବାସୀଙ୍କ ଦକ୍ଷତାର କାହାଣୀ’, ତୃତୀୟ ଅଧିବେଶନରେ ‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ’ ସମ୍ପର୍କରେ ଚର୍ଚ୍ଚା ହେବ । 

ସେହିଭଳି ଚତୁର୍ଥ ଅଧିବେଶନରେ ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଓ ପ୍ରଭାବ-ନାରୀ ଶକ୍ତି ଏବଂ ଶେଷ ତଥା ୫ମ ଅଧିବେଶନରେ ‘ସଂସ୍କୃତି, ସଂଯୋଗ ଏବଂ ସମ୍ପୃକ୍ତିର କାହାଣୀ’ ବିଷୟରେ ଆଲୋଚନା ହେବ । 

 

  • PravasiBharatiyaDivas2025
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.